ମୋଦୀଙ୍କ ଐତିହାସିକ ନିଷ୍ପତ୍ତି ଓଡ଼ିଶାକୁ ଅଧିକ ଲାଭ ଦେବ – ଧର୍ମେନ୍ଦ୍ର ପ୍ରଧାନ

ଏନ୍‍ଆଇଏନ୍‍ଏଲ୍‍ ଓ ଏମ୍‍ଏମ୍‍ଡିଆର୍‍ ଆକ୍ଟ୍‍ ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତି

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ନିଆଯାଇଥିବା ଐତିହାସିକ ନିଷ୍ପତି ଇଜ୍‍ ଅଫ୍‍ ଡୁଇଙ୍ଗ୍‍ ବିଜନେସରେ ବଡ ପଦ ପଦକ୍ଷେପ। ଏହି ନିଷ୍ପତ୍ତି ଦ୍ୱାରା ଓଡିଶା ଭଳି ରାଜ୍ୟ ଅଧିକ ଲାଭ ପାଇବ ବୋଲି ନୂଆଦିଲ୍ଲୀ ଠାରେ କ୍ୟାବିନେଟ ବୈଠକରେ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତନ୍ମଧ୍ୟରୁ ଓଡିଶାର ନୀଳାଚଳ ଇସ୍ପାତ ନିଗମ(ଏନଆଇଏନଏଲ୍‍)ରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ୍‍ ମଞ୍ଜୁରି ପ୍ରଦାନ କରିଛି। ଯଦ୍ୱାରା ଏନ୍‍ଆଇଏନ୍‍ଏଲରେ ନୂଆ ଉପାୟରେ ପୁଞ୍ଜି ପ୍ରତ୍ୟାହାର ଓ ସ୍ୱଚ୍ଛ ଉପାୟରେ ନିଲାମୀ ମାଧ୍ୟମରେ ଆଗାମୀ ଦିନରେ ଏହି ୧.୧ ମିଲିୟନ ଟନ୍‍ କ୍ଷମତା ବିଶିଷ୍ଟ ପ୍ରକଳ୍ପକୁ ୧୦ ମିଲିୟନରେ ପରିଣତ କରାଯିବ। ଏହା ଦ୍ୱାରା ନିଳାଚଳ ଇସ୍ପାତ କାରଖାନାର ସଂପ୍ରସାରଣ ହେବ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାରା ଦେଶରେ ୨୦୩୦ ସୁଦ୍ଧା ୩୦୦ ମିଲିୟନ ଟନ୍‍ ଇସ୍ପାତ୍‍ ଉତ୍ପାଦନର ଲକ୍ଷ୍ୟ ରହିଥିବା ବେଳେ ଓଡିଶା ୩୦ ପ୍ରତିଶତ ବା ପ୍ରାୟ ୧୦୦ ମିଲିୟନ ଟନ୍‍ ଇସ୍ପାତ୍‍ ଉତ୍ପାଦନ କରିବ। ଏହି ନିଷ୍ପତି ଓଡିଶାର ଇସ୍ପାତ୍‍ ଇତ୍ପାଦନ କ୍ଷମତାକୁ ବଢାଇବ ଓ ଚାକିରି, ବ୍ୟବସାୟ ଓ ରାଜ୍ୟର ରୋଜଗାର ବଢାଇବ। କଳିଙ୍ଗ ନଗରକୁ ଷ୍ଟିଲ୍‍ ହବ୍‍ କରିବାରେ ଏନଆଇଏନଏଲ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।  କ୍ୟାବିନେଟ୍‍ ବୈଠକରେ ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭଲପମେଂଟ ରେଗୁଲେସନ ଆକ୍ଟ(ଏମ୍‍ଏମ୍‍ଡିଆର) ଏବଂ କୋଲ ମାଇନ୍ସ(ସ୍ପେଶିଆଲ ପ୍ରୋଭିଜନ) ନିୟମରେ ପରିବର୍ତ୍ତନ କରାଯାଇଛି। ଏବେ କୋଇଲା କ୍ଷେତ୍ରରେ ପୁଞ୍ଜିନିବେଶ ଓ କୋଇଲା ଉତ୍ପାଦନ ବୃଦ୍ଧି ପାଇଁ ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି। ଏହା କାରଣରୁ ଓଡିଶା ଭଳି କୋଇଲା ଭଣ୍ଡାର ଥିବା ରାଜ୍ୟର ରାଜ୍ୟ ରଜକୋଷ ଓ ସ୍ଥାନୀୟ ବ୍ୟବସାୟ ତଥା ଶିଳ୍ପ ପ୍ରଗତିରେ ବଡ ସହଯୋଗ ଦେବ। କୋଇଲା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ କଟକଣାକୁ ମଧ୍ୟ ହଟାଯାଇଛି। ଇସ୍ପାତ ଶିଳ୍ପକୁ ଏଥିରୁ ବେଶୀ ଲାଭ ମିଳିବ। ଇସ୍ପାତର ଦାମ୍‍ କମିବା ସହ କୋଇଲାର ଆମଦାନୀ ହ୍ରାସ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ନିୟମ ଦ୍ୱାରା କୋଲ ବ୍ଲକ ଆବଣ୍ଟନରେ ସୁବିଧା ହେବା ସହ ବାଣିଜ୍ୟିକ କୋଇଲା ଅଧିକ ମାତ୍ରାରେ ଉତ୍ପାଦନ ହେବ। ଏହି ସଂଶୋଧନ ସହ କୋଲ ବ୍ଲକର ଆବଣ୍ଟନ ଖଣି
ଲାଇସେନ୍ସ ପ୍ରାପ୍ତଙ୍କ ଦ୍ୱାରା କରାଯିବ ଯାହା ପୂର୍ବରୁ ଉପଲବ୍ଧ ନଥିଲା। କେନ୍ଦ୍ର ସରକାରଙ୍କୁ ମଧ୍ୟ ଏହି ସଂଶୋଧନ ନିୟମ ସୁବିଧା ଦାୟକ ହେବ। ଖଣି ଲିଜ୍‍ ପ୍ରକ୍ରିୟା ମଧ୍ୟ ସରଳୀକରଣ ହେବାରୁ ଫାଇଦା ମିଳିବ। ଏମଏମଡିଆର ଆକ୍ଟ ସଂଶୋଧନ ଦ୍ୱାରା ଓଡିଶା ଅଧିକ ଲାଭ ପାଇବ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉତ୍ତର-ପୂର୍ବ ରାଜ୍ୟ ମୋଦୀ ସରକାରଙ୍କ ପ୍ରାଥମିକତା। ଇନ୍ଦ୍ରଧନୁଷ ଗ୍ୟାସ୍‍ ଗ୍ରୀଡ ଲିମିଟେଡର ଉତ୍ତର-ପୂର୍ବ ଗ୍ୟାସ ଗ୍ରୀଡ୍‍ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ପୂର୍ବୋତରର ୮ଟି ରାଜ୍ୟରେ ଗ୍ୟାସ ଗ୍ରିଡ୍‍ ପ୍ରତିଷ୍ଠା କରାଯିବାର କ୍ୟାବିନେଟରେ ନିଷ୍ପତି ହୋଇଛି। ଏହି ପ୍ରକଳ୍ପ ଅଧୀନରେ ୧୬୫୬ କିମି ଗ୍ୟାସ ଗ୍ରୀଡରେ ୯ ହଜାର ୨୬୫ କୋଟି ଟଙ୍କା ଖର୍ଚ୍ଚ ହେବ। ଦେଶର ୩୦ ପ୍ରତିଶତରୁ ୪୦ ପ୍ରତିଶତ ଗ୍ୟାସ ଉତର ପୂର୍ବାଞ୍ଚଳରେ ଉତ୍ପାଦନ ହେବ। ଦେଶର ବ୍ୟବସାୟକୁ ଅଧିକ ସୁଗମ କରିବା ପାଇଁ ଇଜ୍‍ ଅଫ୍‍ ଡୁଇଙ୍ଗ୍‍ ବିଜନେସକୁ ସରକାର ଅଧିକ ପ୍ରାଥମିକତା ଦେଉଛନ୍ତି। କ୍ୟାବିନେଟ୍‍ ନିଷ୍ପତି ଅନୁଯାୟୀ ଇସ୍ପାତ ଶିଳ୍ପରେ ଭଲ ଅଭିବୃଦ୍ଧି ଘଟିବ। ସେହିପରି ମୋଦୀ ସରକାରଙ୍କ କ୍ୟାବିନେଟ୍‍ରେ ନିଆଯାଇଥିବା ନିଷ୍ପତି କାରଣରୁ ଆଗାମୀ ଦିନରେ ଦେଶର ଆମଦାନୀ ହ୍ରାସ ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.