ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଲେ ଧର୍ମେନ୍ଦ୍ର

0

ଭୁବନେଶ୍ୱର :ଯାଜପୁର ଜିଲାର ଚଣ୍ଡିଖୋଲଠାରେ ୪ ନିୟୁତ ମେଟିକ୍‍ ଟନ୍‍ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍‍ ପେଟ୍ରୋଲିୟମ ରିଜର୍ଭ (ଏସ୍‍ପିଆର୍‍) ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୬,୫୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବ୍ରାରେ ସହଯୋଗ ପାଇଁ ଶ୍ରୀ ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଏହି ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ୬ଟି ପ୍ରସଙ୍ଗରେ ସହଯୋଗ ପାଇଁ ସେ ଅନୁରୋଧ କରିଛନ୍ତି। ପ୍ରଥମ ପ୍ରକଳ୍ପକୁ ଇଡ୍‍କୋ ଦ୍ୱାରା ଏକକ ବାତାୟନ ଅନୁମତି ପ୍ରଦାନ, ଏଥିପାଇଁ ଆବଶ୍ୟକ ସରକାର ମାଲିକାନାରେ ରହିଥିବା ୬୦୦ ଏକର ଜମିି ତୁରନ୍ତ ପ୍ରଦାନ କରିବା, ବିଜୁଳି ଓ ପାଣିର ବ୍ୟବହାର ପାଇଁ ଅନୁମତି, ରାଜ୍ୟ ଖଣି ଓ ଭୂତତ୍ୱନିର୍ଦେଶାଳୟର ଅନୁମତି ଏବଂ ୫ମ ପ୍ରସ୍ତାବିତ ଅଞ୍ଚଳରେ ପଥର ଖନନ ବନ୍ଦ କରିବା। ଷଷ୍ଠ ପର୍ଯ୍ୟାବରଣ ଓ ପ୍ରଦୂଷଣ ବୋର୍ଡ଼ର ଅନୁମତି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ପାଇଁ ଅନୁରୋଧ ଭଳି ପ୍ରସଙ୍ଗ ପତ୍ରରେ ରହିଛି।
ଶ୍ରୀ ପ୍ରଧାନ ପତ୍ରରେ କହିଛନ୍ତି ଯେ ଚଳିତବର୍ଷ ଜୁନ୍‍ ୨୭ରେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ୍‍ ଅନୁମତି ଦେଇଥିଲା। ଏହି ପ୍ରକଳ୍ପ ଓଡ଼ିଶାକୁ ବିଶ୍ୱର ଷ୍ଟ୍ରାଟେଜିକ୍‍ ପେଟ୍ରୋଲିୟମ ରିଜର୍ଭ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେବ। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୫ ବର୍ଷ ଧରି ଚାଲିବାବେଳେ ଦୈନିକ ୪ ହଜାର ଲୋକ କାମ କରିବାର ଆବଶ୍ୟକତା ରହିବ। ଗତ ଅକ୍ଟୋବର ୩ରେ ତାଙ୍କ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ଏହି ପ୍ରକଳ୍ପ ସଂକଳ୍ପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ ଯୋଗୁଁ ଆନୁଷଙ୍ଗିକ ଶିଳ୍ପ ବିଶେଷ ଭାବେ ଟ୍ରାଭେଲ୍‍ ଓ ହସ୍ପିଟାଲିଟି ସେବାର ଆବଶ୍ୟକତାକୁ ବୃଦ୍ଧି କରିବ।
ଏହି ପ୍ରକଳ୍ପ କ୍ରିୟାନ୍ୱୟନ ଆନୁମାନିକ ୧୬.୬ ନିୟୁତ ମେଟ୍ରିକ୍‍ ଟନ୍‍ ପଥର ବାହାରିବ ଯାହା ସହରାଞ୍ଚଳ, ରାଜମାର୍ଗ ଓ ବନ୍ଦର ନିର୍ମାଣର ଭିତ୍ତିିଭୂମି ପାଇଁ ଆବଶ୍ୟକ ହେବ। ଏହି ପଥର ବିକ୍ରି ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧିରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

Leave A Reply