ଓଡ଼ିଶା ଶିଳ୍ପ ବିକାଶର ଉନ୍ନୀତ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ : ଧର୍ମେନ୍ଦ୍ର

ଭୁବନେଶ୍ବର : କେନ୍ଦ୍ର ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ୍‌ ଏବଂ ଇସ୍ପାତ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ମଧ୍ୟରେ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାକୁ ପୁଞ୍ଜିନିବେଶର ଏକ ଲକ୍ଷ୍ୟସ୍ଥଳ ଭାବରେ ପ୍ରତିଷ୍ଠିତ କରିବା ନିମନ୍ତେ ରାଜ୍ୟ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ବାତ୍ୟାର ସଫଳ ପରିଚାଳନା ପୁଞ୍ଜିନିବେଶ ନିମନ୍ତେ ନୂଆ ଦିଗନ୍ତ ଉନ୍ମୋଚନ କରିପାରିଛି। କୋଭିଡ୍‌-୧୯ ପରବର୍ତ୍ତୀ ପରିସ୍ଥିତିରେ ରାଜ୍ୟ ଶିଳ୍ପ ବିକାଶର ଉନ୍ନୀତ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତ ହୋଇପାରିଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ଓ ‘ଇଡ଼୍‌କୋ’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି.କେ. ପାଣ୍ଡିଆନ୍‌, ‘ଇପିକଲ୍‌’ର ପରିଚାଳନା ନିର୍ଦ୍ଦେଶକ ଡ. ନୀତିନ୍‌ ଭାନୁଦାସ ଜୱାଲେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ବୃହତ୍‌ ପୁଞ୍ଜିନିବେଶ କ୍ଷେତ୍ର ଏବଂ ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଉନ୍ନୀତ ପର୍ଯ୍ୟାୟ ଇତ୍ୟାଦି ପ୍ରସଙ୍ଗଗୁଡ଼ିକ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଂଜିନିବେଶ ନିମନ୍ତେ ପ୍ରସ୍ତାବ, ପ୍ରୋତ୍ସାହନ ଅଭିଯାନ, ଶିଳ୍ପ କରିଡର୍‌ ବିକାଶ ଓ କାର୍ଯ୍ୟାନ୍ୱୟନ ଟ୍ରଷ୍ଟରେ ଓଡ଼ିଶା ଅର୍ଥନୈତିକ କରିଡରର ଅନ୍ତର୍ଭୁକ୍ତି ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା।

Comments are closed.