କୋଭିଡ-୧୯ ନିୟମ ଭାଙ୍ଗି ୫୦୦୦ ଜୋରିମନା ଗଣିଲେ ଜିଲା ପରିଷଦ ସଭ୍ୟ

ଗଡ଼ମଧୁପୁର: କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ଜାରି କରିଛନ୍ତି କୋଭିଡ-୧୯ ନିୟମ। ସର୍ବସାଧାରଣ ସ୍ଥାନରେ ଏକାଧିକ ଲୋକମାନଙ୍କୁ ଏକାଠି ହେବାରେ ରୋକ ଲଗାଇ ଜାରି କରିଛନ୍ତି ଲକଡାଉନ ବ୍ୟବସ୍ଥା। କିନ୍ତୁ ଜଣେ ଜିଲା ପରିଷଦ ସରକାରୀ ବ୍ୟବସ୍ଥା ଭିତରେ ଥାଇ ସରକାରୀ ନିୟମ ଭଙ୍ଗ କରି ଅର୍ଥଦଣ୍ଡ ଭଳି ଦଣ୍ଡ ଭୋଗିବା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ଧର୍ମଶାଳା ତହସିଲର ଚିଠିନଂ ୨୯୨୫/୨୪।୭ ବଳରେ ଧର୍ମଶାଳା ବ୍ଲକର ୧୩ ଜୋନ ଜିଲା ପରିଷଦ ସଦସ୍ୟ ନିରଞ୍ଜନ ରାଉତ ୫୦୦୦ଟଙ୍କା ଜୋରିମନା ଦେଇ ଭୁଲ ସ୍ୱିକାର କରିଛନ୍ତି।

ସରକାରୀ ଭାବରେ ସେ ଏକ ନିକାଞ୍ଚନ ଜାଗାରେ ଗ୍ରାମର ବିବାଦ ତୁଟାଇବାକୁ ମିଟିଙ୍ଗ କରିଥିବା କୁହାଯାଇଛି। ବାସ୍ତବରେ ଅନେକ ଦିନ ଧରି ପ୍ରଶାସନର ୧୪୪ଧାରା ଜାରି ଓ ଧରପଗଡ ପରେ ବନ୍ଦ ହୋଇ ରହିଥିବା ଆରୁହା କଳାପଥର ଖାଦାନ ଚଳାଇବାକୁ ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଲୋକମାନଙ୍କର ମେଳି ହୋଇଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥଲା।

ତେବେ ଏଠାରେ ଆୟୋଜିତ ପଥର ଖାଦାନ ମାଲିକ ଓ ଅନ୍ୟମାନେ କରୋନା କଟକଣା ସଙ୍ଗରୋଧ ନିୟମକୁ ଫୁ କରିଥିବା ଫଟୋ ଏବଂ ଭିଡିଓରୁ ସ୍ପଷ୍ଟ ବାରି ହୋଇଛି। ପ୍ରଶାସନିକ ଅଧିକାରୀମାନେ ଏହି ୧୫ଦିନର ଲକଡାଉନକୁ ସଫଳତା ପୂର୍ବକ ସମାପ୍ତ କରିବାକୁ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଜିଲା ପରିଷଦଙ୍କର ଏପରି ଉଦ୍ୟମ ସାଧାରଣରେ ସମାଲୋଚିତ ହୋଇଛି।

ଜୀବନ ବଞ୍ଚାଇବାକୁ ସରକାର ଉଦ୍ୟମ କରୁଥିବା ବେଳେ କଳାପଥର କ୍ୱାରୀ ବଞ୍ଚାଇବାକୁ ଏଭଳି ଉଦ୍ୟମକୁ ସାଧାରଣରେ ନାପସନ୍ଦ କରାଯିବା ସହିତ ନିୟମ ଭଙ୍ଗ କରିଥିବା ଲୋକମାନଙ୍କ ପ୍ରତି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଥିଲା।

Comments are closed.