ଲଳିତ କଳା ଏକାଡେମୀ : ତିନି ମାସରେ ଦିଆଗଲା ୧୨ ବର୍ଷର ଧର୍ମପଦ ପୁରସ୍କାର

୨୭ରେ ଘୋଷଣା, ୨୯ରେ ଉତ୍ସବ, - ନିୟମିତ ହେବ ପୁରସ୍କାର ବ୍ୟବସ୍ଥା: ମନ୍ତ୍ରୀ

ଭୁବନେଶ୍ୱର : ତିନି ମାସ ମଧ୍ୟରେ ଦୀର୍ଘ ୧୨ ବର୍ଷର ଧର୍ମପଦ ପୁରସ୍କାର ପ୍ରଦାନ କରିଛି ଓଡ଼ିଶା ଲଳିତ କଳା ଏକାଡେମୀ। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନ ଏହି ଏକାଡେମୀର ସର୍ବୋଚ୍ଚ ପୁରସ୍କାର ପ୍ରଦାନକୁ ନେଇ ମାମଲା ଅଦାଲତରେ ପହଞ୍ଚିଥିବାବେଳେ ଏହି ପୁରସ୍କାର ପ୍ରଦାନ ବନ୍ଦ ରହିଥିଲା। ତେବେ ବର୍ତ୍ତମାନ ଏକାଡେମୀ ଏହି ପୁରସ୍କାର ପ୍ରଦାନ କରି ପ୍ରଶଂସିତ ହେବା ସହ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ମତପ୍ରକାଶ କରିଛନ୍ତି ଅଧିକାଂଶ ବରିଷ୍ଠ ଶିଳ୍ପୀ।
ଗତ ଅଗଷ୍ଟ ମାସରେ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ଘୋଷଣା ସହ ପ୍ରଦାନ କରାଯାଇଥିଲା। ଏହା ପରେ ଚଳିତ ମାସ ୨୭ ତାରିଖରେ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଧର୍ମପଦ ପୁରସ୍କାର ଓ ସମ୍ବର୍ଦ୍ଧିତ ହେବାକୁ ଥିବା ଶିଳ୍ପୀଙ୍କ ନାମ ଘୋଷଣା କରାଯାଇଥିଲା। ଘୋଷଣାର ଦୁଇଦିନ ପରେ ଅର୍ଥାତ ରବିବାର ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି। ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ୫ବର୍ଷ ପାଇଁ ଉଭୟ ଧର୍ମପଦ ପୁରସ୍କାର ସହିତ ଶିଳ୍ପୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ୫ ଜଣ ଶିଳ୍ପୀଙ୍କୁ ଧର୍ମପଦ ସହିତ ୨୫ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପ୍ରତିଭାଧରଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତ୍ୟେକ ଧର୍ମପଦ ପୁରସ୍କୃତ ଶିଳ୍ପୀଙ୍କୁ ଫଳକ, ଉପଢୌକନ, ମାନପତ୍ର ସହ ୫ଲକ୍ଷ ଟଙ୍କାର ଚେକ୍‍ ଓ ସମ୍ବର୍ଦ୍ଧିତ ଶିଳ୍ପୀଙ୍କୁ ୧ଲକ୍ଷ ଟଙ୍କାର ଚେକ୍‍, ଫଳକ, ଉପଢୌକନ, ମାନପତ୍ର ପ୍ରଦାନ କରିଥିଲେ। ଏକାଡେମୀର ପୁରସ୍କାର ବ୍ୟବସ୍ଥା ନିୟମିତ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।
ଉତ୍ସବରେ ୨୦୧୬ ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡ଼ା, ୨୦୧୭ ପାଇଁ ବିଶିଷ୍ଟ ସ୍ଥପତି ଶ୍ୟାମସୁନ୍ଦର ପଟ୍ଟନାୟକ, ୨୦୧୮ ପାଇଁ ଜଗଦୀଶ ଚନ୍ଦ୍ର କାନୁନଗୋ, ୨୦୧୯ ପାଇଁ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଏବଂ ୨୦୨୦ ବର୍ଷ ପାଇଁ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଥିଲା।
ସେହିପରି ୨୦୧୬ ପାଇଁ ଶିଳ୍ପୀ ଚନ୍ଦ୍ର କୁମାର ସାମନ୍ତରାୟ, ଶରତଚନ୍ଦ୍ର ମହାନ୍ତି, ବସନ୍ତ କୁମାର ସାମନ୍ତ, ବାଞ୍ଛାନିଧି ପଟ୍ଟନାୟକ, ଯୋଗେଶ ପ୍ରସାଦ ଦାନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୨୦୧୭ ପାଇଁ ରାଧାଶ୍ୟାମ ବିଶୋଇ, ଦେବେନ୍ଦ୍ର ଦାସ, ବନମାଳି ମହାପାତ୍ର, ଲଲାଟ ମୋହନ ପଟ୍ଟନାୟକ, ଡ. ଅଲେଖ ଚରଣ ସାହୁ, ୨୦୧୮ ପାଇଁ ଶ୍ରୀଧର ମହାରଣା, ଗୋକୁଳାନନ୍ଦ ଦାସ, ଟୁନେନ୍ଦ୍ର ପଟ୍ଟନାୟକ, କଳ୍ପତରୁ ମହାରଣା, ଅଶୋକ କୁମାର ମହାନ୍ତି, ୨୦୧୯ ପାଇଁ ଶ୍ରୀନିବାସ ପଢ଼ିହାରୀ, ଲକ୍ଷ୍ମୀଧର ରଣା, ବ୍ରଜକିଶୋର ଜେନା, ପ୍ରଶାନ୍ତ କୁମାର ଦାସ ଏବଂ ଗୌରାଙ୍ଗ ବାରିକିଙ୍କ ସମେତ ୨୦୨୦ ପାଇଁ ରବିନାରାୟଣ ରଥ, ବିଜୟ କୁମାର ପରିଡ଼ା, ପ୍ରଭାକର ମହାରଣା, ଦିନବନ୍ଧୁ ମହାପାତ୍ର ଏବଂ ବୃନ୍ଦାବନ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପୁରସ୍କାର ପ୍ରଦାନ ଉତ୍ସବରେ ବିଭାଗୀୟ ନିର୍ଦେଶକ ରଞ୍ଜନ କୁମାର ଦାସ, ଲଳିତକଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ସଚିବ ଗଜେନ୍ଦ୍ର ସାହୁ ଉପସ୍ଥିତ ଥିଲେ। କୋଭିଡ କଟକଣାକୁ ପାଳନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଅଧ୍ୟାପକ ଡ. ମୃତ୍ୟୁଞ୍ଜ ରଥ ସଂଯୋଜନା କରିଥିଲେ।
ଏକାଡେମୀର ତ୍ବରିତ କାର୍ଯ୍ୟକ୍ରମକୁ ଅନେକ ପ୍ରଶଂସା କରିଥିବାବେଳେ ଆଉ କେତେକ ଶିଳ୍ପୀ ତରବରିଆ ଭାବେ ଉତ୍ସବ ଆୟୋଜନ ନକରି ସ୍ବତନ୍ତ୍ରଭାବେ ଉତ୍ସବ ଆୟୋଜନର ଆବଶ୍ୟକତା ଥିଲା ବୋଲି କହିଛନ୍ତି।

Comments are closed.