ବିଳମ୍ବରେ ହେଉ ପଛେ ଘୋଷଣା ହେଲା ୫ ବର୍ଷ ପାଇଁ ଧର୍ମପଦ ପୁରସ୍କାର

ବହୁ ଦିନର ଅପେକ୍ଷା ପରେ ଶେଷରେ ରାଜ୍ୟ ସରକାର ଆଜି ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଧର୍ମପଦ ପୁରସ୍କାର ଘୋଷଣା କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଏହି ଘୋଷଣା କରିଛନ୍ତି। ୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡା, ୨୦୧୭ ପାଇଁ ବିଶିଷ୍ଟ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ୨୦୧୮ ପାଇଁ ଜଗଦୀଶ ଚନ୍ଦ୍ର କାନୁନଗୋ, ୨୦୧୯ ପାଇଁ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଏବଂ ୨୦୨୦ ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଧର୍ମପଦ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା, ତାମ୍ର ଫଳକ ଓ ଉପଢୌକନ ପ୍ରଦାନ କରାଯିବ।

ସେହିପରି ୨୫ ଜଣ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ୨୦୧୬ ପାଇଁ ଚନ୍ଦ୍ର କୁମାର ସାମନ୍ତରାୟ, ଶରତ ଚନ୍ଦ୍ର ମହାନ୍ତି, ବସନ୍ତ କୁମାରୀ ସାମନ୍ତ, ବାଞ୍ଛାନିଧି ପଟ୍ଟନାୟକ ଓ ଯୋଗେଶ ପ୍ରସାଦ ଦାନୀ, ୨୦୧୭ ପାଇଁ ରାଧାଶ୍ୟାମ ବିଶୋଇ, ଦେବେନ୍ଦ୍ର ଦାଶ, ବନମାଳୀ ମହାପାତ୍ର, ଲଲାଟ ମୋହନ ପଟ୍ଟନାୟକ ଓ ଡଃ ଅଲେଖ ଚରଣ ସାହୁ, ୨୦୧୮ ପାଇଁ ଶ୍ରୀଧର ମହାରଣା, ଗୋକୁଳାନନ୍ଦ ଦାସ, ଟୁନେନ୍ଦ୍ର ପଟ୍ଟନାୟକ, କଳ୍ପତରୁ ମହାରଣା ଓ ଅଶୋକ କୁମାର ମହାନ୍ତି, ୨୦୧୯ ପାଇଁ ଶ୍ରୀନିବାସ ପଢ଼ିହାରୀ, ଲକ୍ଷ୍ମୀଧର ରଣା, ବ୍ରଜକିଶୋର ଜେନା, ପ୍ରଶାନ୍ତ କୁମାର ଦାସ ଓ ଗୌରାଙ୍ଗ ବାରିକି ଏବଂ ୨୦୨୦ ପାଇଁ ରବିନାରାୟଣ ରଥ, ବିଜୟ କୁମାର ପରିଡା, ପ୍ରଭାକର ମହାରଣା, ଦୀନବନ୍ଧୁ ମହାପାତ୍ର ଓ ବୃନ୍ଦାବନ ମହାରଣା ସମ୍ବର୍ଦ୍ଧିତ ହେବେ। ସମ୍ବର୍ଦ୍ଧିତ ଶିଳ୍ପୀଙ୍କୁ ୧ ଲକ୍ଷ ଟଙ୍କା, ତାମ୍ର ଫଳକ ଓ ଉପଢୌକନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

Comments are closed.