ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ : ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ହେଉ

ଭୁବନେଶ୍ୱର : କରୋନା ଭଳି ମହାବିପତ୍ତି ବେଳେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରକାର ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ସାରା ବିଶ୍ବ ଓ ଭାରତ ତଥା ଓଡ଼ିଶା କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀ ଆତଙ୍କ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବାପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶାବାସୀ ଦେଶର ବିଭିନ୍ନ ସ୍ଥାନରେ ରହୁଥିବାରୁ ସେମାନଙ୍କୁ ଚିକିତ୍ସାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ସହଯୋଗର ହାତ ବଢ଼ାଇବାପାଇଁ ତତ୍ପର। ଏହି ସଙ୍କଟ ସମୟରେ ଲୋକଙ୍କ ସାଙ୍ଗରେ ଦୃଢ଼ତାର ସହିତ ଛିଡାହେବାର ସମୟ ଆସିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପରିସ୍ଥିତିର ଗମ୍ଭରତାକୁ ହୃଦବୋଧ କରି ଯେତେ ଶୀଘ୍ର ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବେ ରାଜ୍ୟର ସାଧାରଣ ଗରିବ ବିଶେଷ ଉପକୃତ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ ତାଙ୍କ ଅନୁରୋଧରେ କହିଛନ୍ତି।

Comments are closed.