ମା’ ର ଆକଟ ନେଲା ନାବାଳକ ପୁଅର ଜୀବନ

ଧର୍ମଗଡ଼: ମାଁ ର ଆକଟ ନେଲା ପୁଅର ଜୀବନ। ଖେଳିବାକୁ ମନା କରିବାରୁ ପୁଅ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ସ୍ଥିତ ଭବାନୀପୁର ଗ୍ରାମର ସୁଧାଂଶୁ ଶେଖର ପାତ୍ରଙ୍କ ସ୍ତ୍ରୀ ସ୍ମୃତି ରେଖା ପାତ୍ର ନିଜ ୧୧ ବର୍ଷର ପୁଅ ଓମସାଇ ପାତ୍ର ସହ ଗତ ଡିସେମ୍ବର ୧୦ ତାରିଖରେ ଧର୍ମଗଡର ରାକେଶ ରଞ୍ଜନ ଚୌଧୁରୀଙ୍କ ଘରକୁ କୁଣିଆ ଆସିଥିଲେ । ରବିବାର ଅପରାହ୍ନରେ ଓମସାଇ ପାତ୍ର ଖେଳୁଥିବାବେଳେ ତାଙ୍କ ମା’ ସ୍ମୃତିରେଖା ପାତ୍ର ନ ଖେଳିବା ପାଇଁ ତାଗିଦ କରିବା ସହ ଗାଳି କରିଥିଲେ। ଏଥିରେ ଓମସାଇ ରାଗିଯିବା ସହିତ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଏବଂ ଗାଧୁଆଘର ଭିତରକୁ ପଶି କବାଟ ବନ୍ଦ କରିଦେଇଥିଲେ। ଏହାପରେ ଗଳାରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତୁରନ୍ତ କବାଟକୁ ଭାଙ୍ଗି ଓମସାଇଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ନିମନ୍ତେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଧର୍ମଗଡ଼ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି।

Comments are closed.