ନାବାଳକ ପ୍ରେମିକର ଏକତରଫା ପ୍ରେମ: ଉଠେଇ ନେବାକୁ ଦେଇଥିଲେ ଧମକ, ଅପମାନ ସହି ନ ପାରି ଆତ୍ମହତ୍ୟା କଲେ ନାବାଳିକା

ଶାଗବାହାଲି ନାବାଳିକା ଆତ୍ମହତ୍ୟା ମାମଲାରେ ଜଣେ ନାବାଳକ ପ୍ରେମିକ ସହ ୬ ଗିରଫ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଶାଗବାହାଲି ଗ୍ରାମର ଯୁକ୍ତ ଦୁଇ ପଢୁଥିବା ଜନୈକା ନାବାଳିକା ଛାତ୍ରୀ ଆତ୍ମହତ୍ୟା ମାମଲାରେ କୋକସରା ପୁଲିସ ୬ଜଣକୁ ଗିରଫ କରିଛି । ଗିରଫ ମଧ୍ୟରେ ଘଟଣାର ମୁଖ୍ୟ ଚରିତ୍ର କୁହାଯାଉଥିବା ଜଣେ ନାବାଳକ ପ୍ରେମିକ ରହିଛି। ଆଉ ଚାରିଜଣ ଅଭିଯୁକ୍ତ ଫେରାର ଥିବା ପୋଲିସ ପ୍ରକାଶ କରିଛି।
ଘଟଣାରୁ ପ୍ରକାଶ ଯେ ମୃତା ନାବାଳିକା ଜଣକ ଧର୍ମଗଡ଼ କଲେଜରେ ଯୁକ୍ତ ଦୁଇ ପଢୁଥିଲେ । ମୃତାଙ୍କ ବାପା ଅଭିଯୁକ୍ତଙ୍କ ଘରେ ଦୀର୍ଘ ବର୍ଷ ଧରି ଶ୍ରମିକ ଭାବେ କାମ କରୁଥିଲେ। ଅଭିଯୁକ୍ତ ନାବାଳକ ଜଣକ ମୃତା ବାଳିକାକୁ ଏକ ତରଫା ପ୍ରେମ କରୁଥିଲା ଏବଂ ବିଭିନ୍ନ ସମୟରେ ଫୋନ କରି ହଇରାଣ କରୁଥିଲା। ମାଲିକଙ୍କ ପୁଅ ହୋଇ ଥିବାରୁ ମୃତା ନାବାଳିକାଙ୍କ ପରିବାର ସବୁ ସହିଯାଉଥିଲେ ।
ନାବାଳକ ପ୍ରେମିକ ନିଜର ପ୍ରାୟ ୧୫ ଜଣ ସହଯୋଗୀଙ୍କୁ ଗତ ଅଗଷ୍ଟ ୧ ରାତି ପ୍ରାୟ ୧୧ଟାରେ ମୃତା ନାବାଳିକା ଝିଅ ଘରକୁ ଯାଇ ପରିବାର ଲୋକଙ୍କୁ ଧମକଚମକ ଦେବା ସହ ଝିଅ ପ୍ରତି ଅଶାଳୀନ ବ୍ୟବହାର କରିଥିଲେ। ଏପରିକି ଝିଅକୁ ଉଠେଇ ନେବାକୁ ମଧ୍ୟ ଧମକ ଦେଇଥିଲେ। ଅପମାନ ତୀବ୍ର ହେବା ଫଳରେ ଏହା ପରଦିନ ଅର୍ଥାତ ଅଗଷ୍ଟ ୨ରେ ଏକ ଗଛରେ ଦଉଡ଼ି ଦେଇ ମୃତା ନାବାଳିକା ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଏହି ଘଟଣା ପାଇଁ ଅଭିଯୁକ୍ତ ଯୁବକମାନେ ଦାୟୀ ବୋଲି କୋକସରା ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ୬ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରି ଭାରତୀୟ ପିଙ୍ଗଳ କୋଡ଼ ଧାରା୧୪୭,୪୫୧,୨୯୪,୫୦୬,୩୦୫,୧୪୯ ଆଇପିସି(୧୨) ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.