ଶିଳାନ୍ୟାସ କରି ଭୁଲିଗଲେ ମୁଖ୍ୟମନ୍ତ୍ରୀ : ଧର୍ମଗଡ଼ ଆଇଟିଆଇର ଭାଗ୍ୟ ସୂତାଖିଅରେ

ଧର୍ମଗଡ଼: ବ୍ୟୟ ବରାଦ ଏବଂ ଅର୍ଥବିଭାଗ ମଂଜୁରୀ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶିଳାନ୍ୟାସ ସତ୍ତ୍ବେ ଧର୍ମଗଡ଼ ସରକାରୀ ଆଇଟିଆଇ ଭାଗ୍ୟ ସୂତାଖିଅରେ ଝୁଲି ରହିଛି । ଶିଳାନ୍ୟାସର ୧୮ମାସ ପରେ ବି ଇଟାଖଣ୍ଡିଏ ଯୋଡ଼ା ହୋଇନି। ତେଣୁ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଏହାକୁ ଭୁଲିଗଲେ ବୋଲି ଧର୍ମଗଡ଼ବାସୀ ଅଭିଯୋଗ କରୁଛନ୍ତି ।

ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଚିଠି ନଂ ୩୧୦୨/ତା ୩ା୭ା୧୮ରେ କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ଠାରେ ଏକ ସରକାରୀ ଆଇଟିଆଇ ସ୍ଥାପନ ପାଇଁ ପ୍ରଶାସନିକ ମଂଜୁରୀ ମିଳିଥିଲା। ଏହାର ଅଟକଳ ମୂଲ୍ୟ ଥିଲା ୯.୫୦ କୋଟି ଟଙ୍କା। ପରେ ଏହାକୁ ଧର୍ମଗଡ଼ ଠାରେ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଗଲା। ଏହାର ବ୍ୟୟବରାଦ ଥିଲା ୮କୋଟି ୪ ଲକ୍ଷ ୧୦ହଜାର ଟଙ୍କା ଏବଂ ସିଜିଏସଟି ଓ ଏସଜିଏସଟି ମିଶି ୯.୫୯ କୋଟି ଟଙ୍କା। ଧର୍ମଗଡ଼ରେ ସ୍ଥାନ ନିରୂପଣ ହେବାସହ ୨୦୧୯ ଫେବୃଆରୀ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାର ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସ ଫଳକରେ ଏଥିପାଇଁ ୧୦.୩୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଲେଖାଗଲା । ପୂର୍ତ୍ତବିଭାଗ ପକ୍ଷରୁ ଏହାର ନିର୍ମାଣ ପାଇଁ ଟେଣ୍ଡର ଆବେଦନ କରାଗଲା। ଆଉ ୩ ମାସ ପରେ ଶିଳାନ୍ୟାସକୁ ୨ବର୍ଷ ପୂରିବ। କିନ୍ତୁ ଏପର୍ଯ୍ୟନ୍ତ ଟେଣ୍ଡର ଖୋଲାଯାଇ ପାରିନାହିଁ ।

ଏବେ ବୈଷୟିକ ଶିକ୍ଷାର ଅଧିକ ଗୁରୁତ୍ୱ ରହିଥିବା ବେଳେ ସରକାର ଧର୍ମଗଡ଼ ଆଇଟିଆଇ ପାଇଁ ଗୁରୁତ୍ବ ନ ଦେବା ଛାତ୍ରଛାତ୍ରୀ ଓ ଶିକ୍ଷାବିତ୍‌ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଧର୍ମଗଡ଼ ଉପଖଣ୍ଡରେ ଏକ ସରକାରୀ ଆଇଟିଆଇ ସ୍ଥାପନ ପାଇଁ ଦୀର୍ଘଦିନରୁ ଦାବି ହେଉଥିଲା। ଶିଳାନ୍ୟାସ ପରେ ଏ ଅଂଚଳର ଯୁବବର୍ଗଙ୍କ ମଧ୍ୟରେ ଏକ ଆଶା ସଂଚାର ହୋଇଥିଲା। କିନ୍ତୁ ତାହା ରାଜ୍ୟ ସରକାରଙ୍କ ଏକ ନିର୍ବାଚନ ଭେଳିକି ଥିଲା ବୋଲି ଏବେ ଯୁବବର୍ଗ ଚର୍ଚ୍ଚା କରୁଛନ୍ତି। କେଉଁ କାରଣ ପାଇଁ ୧୮ ମାସ ପରେ ମଧ୍ୟ ଟେଣ୍ଡର ଖୋଲାଯାଇ ପାରିନି ସେନେଇ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ବାବୁଙ୍କୁ ପଚାରିବାରୁ କୋଭିଡ ପାଇଁ ସବୁ ନୂଆକାମ ଅଟକି ଯାଇଛି। ପୁଣି ଥରେ ଅର୍ଥ ବିଭାଗର ଅନୁମତି ନେବା ପରେ ନୂଆଟେଣ୍ଡର ସବୁ ଖୋଲାଯିବ ବୋଲି କହିଥିଲେ।

ତେବେ ୨୦୧୯ରେ ଟେଣ୍ଡର ଡକାଯାଇଥିବା ବେଳେ କରୋନାର ଆବିର୍ଭାବ ୨୦୨୦ ଫେବୃଆରୀରେ ଦେଖିବାକୁ ମିଳିଥିଲା। ତେଣୁ ପୂର୍ତ୍ତବିଭାଗର ଯନ୍ତ୍ରୀ କହୁଥିବା ସଫେଇ କେତେ ସତ ତାହା ଜାଣିବା ମୁସ୍କିଲ । ଏ ସଂପର୍କରେ ମଧ୍ୟମ ଓ ଲଘୁ ଉଦ୍ୟୋଗ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଏନେଇ ଗତକାଲି ଜଣେ ଫେସବୁକ ୟୁଜର୍ସ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ବ୍ଲକଅଧ୍ୟକ୍ଷ ବଳରାମ ପୂଝାରୀ, ବ୍ଳକ ବିଜେଡି ସଭାପତି ଟିକମନ ଯାଦବ, ଅଶୋକ କୁମାର ମହାନ୍ତି, ବିଧାୟକ ପ୍ରତିନିଧି ସ୍ୱାଧୀନ କୁମାର ବାଗ, କଲ୍ୟାଣୀ ନାଏକ, ମଦନ ମୋହନ ନାଏକ, ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ପ୍ରମୁଖ ଉପଜିଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ ଚିନ୍ମୟ ନାଏକଙ୍କୁ ଏକ ଦାବିପତ୍ର ଦେଇଥିଲେ ।

Comments are closed.