ଦାଦନର କରୁଣ କାହାଣୀ ; ଇଟା ଭାଟିରେ ଚାପି ହୋଇଗଲେ ଦୁଇ ଭଉଣୀ

ଧର୍ମଗଡ : ଦାନା ଯୋଗାଡ କରିବାକୁ ସେମାନେ ସାଜିଥିଲେ ଦାଦନ। ଦାନା ଯୋଗାଡ କରୁକରୁ ଚାଲିଗଲା ଜୀବନ। ଶେଷ ଦର୍ଶନ ବି କରିପାରିଲେ ନାହିଁ ପରିବାର ଲୋକ। ସୁଦୂର ତାମିଲନାଡୁରେ ସଂପନ୍ନ ହେଲା ସେମାନଙ୍କ ଶେଷକୃତ୍ୟ। ୟେ ହେଉଛି ଦାଦନର ଦୁଃଖ। ସେମାନଙ୍କ ବାସ୍ତବ କାହାଣୀ। କରୋନା ମମହାମାରୀ ପରବର୍ତ୍ତି ଲକଡାଉନରେ ଅନେକ ପ୍ରବାସୀ ଶ୍ରମିକ ଗାଁ ମୁହାଁ ହୋଇଥିବାବେଳେ ସେମାନେ କିନ୍ତୁ ସେଇଠି ରହିଗଲେ। କାରଣ ତାଙ୍କ ଉପରେ ସର୍ଦାରର ଅଗ୍ରୀମ ରହିଥିଲା। କାମ କରି ସର୍ଦ୍ଦାରର ଅଗ୍ରୀମ ସୁଝାହେବ। ତା’ସାଙ୍ଗକୁ ଦି’ପଇସା ରୋଜଗାର କରି ଘରକୁ ଫେରିବୁ ବୋଲି। କିଏ ଜାଣିଥିଲା ମୃତ୍ୟୁ ସେମାନଙ୍କୁ ଅନାଇ ବସିଛି। ମାଲିକର ଆଦେଶରେ ବୁଧବାର ତା-୩/୬ରିଖ ଦିନ ଭାଟିରୁ ଇଟା କାଢ଼ି ଟ୍ରକରେ ଲୋଡ କଲାବେଳେ ଇଟା ଭାଟି ଧସି ଯିବାରୁ ଚାପି ହୋଇ ମରିଗଲେ ଦୁଇ ଭଉଣୀ କମଳା ଓ ଚାନ୍ଦିନି। ଅବେଳାରେ ଚାଳିଗଲା ଦୁଇଟି ଜୀବନ। ଗାଁକୁ ଶବ ଆଣିବା ସମ୍ଭବ ନୁହେଁ ବୋଲି ସେଠାରେ ସେମାନଙ୍କ ଶବ ସତ୍କାର କରାଗଲା। ଗୋଲାମୁଣ୍ଡା ବ୍ଳକ ମାନଝରି ଗାଁର ସଜନ ଚଣ୍ଡିଙ୍କ ଝିଅ ପ୍ରମିଳା ଚଣ୍ଡି (୨୦) ଓ ମଙ୍ଗଳ ଚଣ୍ଡିଙ୍କ ଝିଅ ମଦନା ଚଣ୍ଡି(୧୮) ଗତ ନଭେମ୍ବର ମାସରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ। ସଜନ ଓ ମଙ୍ଗଳ ଦୁଇ ଭାଇ ହୋଇଥିବାବେଳେ ଏମାନେ ମଧ୍ୟ ସଂପର୍କରେ ଦୁଇ ଭଉଣୀ ହେବେ। ଘରେ ତାଙ୍କର ପୁରୁଷ ପିଲାମାନେ ଥିବାବେଳେ ନିଜ ମାଆ ମାନଙ୍କ ସହ ଏହି ଦୁଇ ଝିଅ ଗାଁର ଆଉ ୧୨ ଲୋକଙ୍କ ସହ ମିଶି ଘରୁ ଗୋଡ କାଢ଼ିଥିଲେ। ଏମାନେ ତାମିଲନାଡୁର ଥିରୁଭାଲୁର ଜିଲା ପାନେରି ତାଲୁକ ମିନଜୁର ଇଟାଭାଟିରେ କାମ କରୁଥିଲେ। କଂଟାବାଂଜିର ଡିଜନ ଖାନ ନାମକ ଜନୈକ ଦାଦନ ଦଲାଲ ଠାରୁ ଏହି ପରିବାର ଜଣ ପିଛା ୩୦ହଜାର ଟଙ୍କା ଲେଖାଏଁ ଅଗ୍ରୀମ ନେଇଥିଲେ। ୬ମାସ ସେଠାରେ କାମ କରିବାକୁ କଥାବାର୍ତ୍ତା ସରିଥିଲା। ୫ମାସ କାମ କରିସାରିଲେ। ଅପ୍ରେଲ ମାସରେ କଣ୍ଟ ପୁରିଥାନ୍ତା। ହେଲେ ତା’ପୂର୍ବରୁ ଦେଶରେ ଲକଡାଉନ ଲାଗୁ ହେଲା। ଲକଡାଉନ ଯୋଗୁଁ କାମ ବନ୍ଦ ହେବାରୁ ଏମାନଙ୍କ ଅଗ୍ରୀମ ସୁଝିବା ସମ୍ଭବ ହେଲା ନାହିଁ। ସେଠାରେ ସେମାନେ ପଡିରହିଲେ। ପୁଣି ଭାଟି ଚାଲୁହେଲେ ଅଗ୍ରୀମ ସୁଝି ଘରକୁ ଫେରିବା କଥା। ଭାଟି କାମ ବି ଚାଲୁ ହେଲା। କିନ୍ତୁ ଘରକୁ ଫେରିବା ପୂର୍ବରୁ ଜୀବନ ଚାଲିଗଲା। ମୃତ ଦେହକୁ ଜେସିବି ସାହାଯ୍ୟରେ ଉଦ୍ଧାର କରି ସେଠାରେ ଶେଷକୃତ୍ୟ ସଂପନ୍ନ କରିଥିବା ସବିଶେଷ ସୂଚନା ମିଳିଛି। ଘଟଣାକୁ ନେଇ ପରିବାର ଲୋକ ଦୁଃଖରେ ଭାଙ୍ଗିପଡିଥିବା ବେଳେ ଏନେଇ ଶ୍ରମ ଅଧିକାରୀ ଜିତମ ମାଝୀ ଗୁରୁବାର ମାନଝରି ଗାଁକୁ ଯାଇ ପୀଡିତା ପରିବାରକୁ ଭେଟିଛନ୍ତି। ଶ୍ରମ ଅଧିକାରୀ ଜିତମ ମାଝୀଙ୍କୁ ପଚାରିବାରୁ ଅଗ୍ରୀମ ନେଇଥିବା ହେତୁ ସର୍ଦ୍ଦାର ଏମାନଙ୍କୁ ଗାଁକୁ ଫେରିବାକୁ ଦେଇନଥିଲା। ଦୁଇ ଭଉଣୀର ମୃତ୍ୟୁ ପରେ ବି ଇଟା ଭାଟି ମାଲିକ କିମ୍ବା ଦାଦନ ଦଲାଲ କିଛି କ୍ଷତିପୂରଣ ଦେଇନଥିବାବେଳେ ଜିଲା ଶ୍ରମ ବିଭାଗତରଫରୁ ଶ୍ରମ ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି କହିଥିଲେ।

Comments are closed.