ଧର୍ମ ଚକ୍ରବର୍ତ୍ତୀ

0

ପୁତ୍ର ଭୂମିଷ୍ଠ ହେବାର ଠିକ୍‌ ପରେପରେ ହିମାଳୟର ସିଦ୍ଧ କ୍ଷେତ୍ରରୁ ଅସିତା ନାମକ ଜଣେ ତପସ୍ବୀ ଆସି ପହଞ୍ଚିଥିଲେ ରାଜ ପ୍ରାସାଦରେ। ପିତା ଶୁଦ୍ଧୋଧନଙ୍କୁ କହିଥିଲେ- ‘ ବାଳକ ରୂପରେ ଆପଣଙ୍କ ପ୍ରାସାଦରେ ଭଗବାନ ହିଁ ଅବତୀର୍ଣ୍ଣ ହୋଇଛନ୍ତି। ମୁଁ ତାଙ୍କୁ ଦେଖିବାକୁ ଆସିଛି।’
ଶୁଦ୍ଧୋଧନ କହିଥିଲେ- ‘ଏବେ ଏବେ ପୁଅ ପ୍ରସୂତି ଗୃହରୁ ଆସିଲା। ମୁଁ ତ ଏପର୍ଯ୍ୟନ୍ତ ଦେଖିନାହିଁ। ସେବିକାମାନେ ହିଁ ଦେଖାରଖା କରୁଛନ୍ତି। ଜନ୍ମ ପରେପରେ ତା’ର ମାଆଙ୍କ ଦେହାନ୍ତ ହୋଇଯାଇଛି। ହେଲେ ଆପଣ କିପରି ଏହାର ସୂଚନା ପାଇଲେ?’
ଋଷି ଅସିତ‌ା ଏହାଶୁଣି କହିଥିଲେ- ‘ଏଭଳି ମହାମାନବ କେବେକେବେ ଯୁଗଯୁଗର ପ୍ରାବଧାନରେ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥାନ୍ତି। ଯେତେବେଳେ ଏହି ଶିଶୁ ‘ବୁଦ୍ଧ’ ଭାବରେ ନିଜକୁ ପତିପାଦିତ କରି ସଂସାର ସମ୍ମୁଖରେ ଉଭା ହେବ ସେତେବେଳକୁ ମୁଁ ନଥିବି। ଏଣୁ ଅନ୍ତତଃ ଏବେ ଥରୁଟିଏ ଦର୍ଶନ ଲାଭ ଆଶାରେ ଆସିଛି।’ ରାଜା ଚିନ୍ତାରେ ପଡ଼ିଗଲେ।
ସେ ସମୟରେ ମଗଧ ବୃହତ୍ତର ଭାରତର ସବୁଠାରୁ ବଡ଼ରାଷ୍ଟ୍ର ଥିଲା। କପିଳବସ୍ତୁ, ଯେଉଁଠାରେ ତଥାଗତ ଜନ୍ମଗହଣ କରିଥିଲେ- ତାହା ଏକ ଛୋଟ ରାଜ୍ୟ ଥିଲା। ଉଚ୍ଚାକାଙ୍‌କ୍ଷୀ ରାଜା ଶୁଦ୍ଧୋଧନଙ୍କ ମନ ଭିତରେ ପ୍ରବଳ ବାସନା ଥିଲା ତାଙ୍କର ପୁଅ ଚକ୍ରବର୍ତ୍ତୀ ସମ୍ରାଟ ହେବ, ପୂରା ଆର୍ଯ୍ୟବର୍ତ୍ତକୁ ନିଜ ଶାସନାଧୀନ ରଖିବ। ନିଜ ମନକଥା ପ୍ରକାଶ କରି ଅସିତାଙ୍କୁ କହିଥିଲେ- ‘ମୁଁ ତ ଆଶା ପୋଷଣ କରିଛି ସେ ଚକ୍ରବର୍ତ୍ତୀ ସମ୍ରାଟ ହେବ।’
ଅସିତା ଏହା ଶୁଣି କହିଥିଲେ- ‘ହେ​‌େ​‌ବ, ନିଶ୍ଚୟ ହେ​‌​‌ବ। ହେଲେ ଶାସକ ଭାବରେ ନୁହେଁ, ସେ ‘ଧର୍ମ ଚକ୍ରବର୍ତ୍ତୀ’ ହେ​‌​‌ବ। ସାରା ବିଶ୍ବରେ ସେ ଏକ ନୂଆ ବିଚାରଧାରା ଖେଳାଇ ଦେବେ।’ ଏହାକୁ କିନ୍ତୁ ପିତା ହିସାବରେ ଶୁଦ୍ଧୋଧନ ସ୍ବୀକାର କରିବାକୁ ନାରାଜ ଥିଲେ। ବେଶ୍‌ ଦାମ୍ଭିକତାର ସହ କହିଥିଲେ- ମୁଁ ତାହା ହେବାକୁ ଦେବିନି କେବେ।
ଅସିତା ବାଳକ ସିଦ୍ଧାର୍ଥଙ୍କ ଚରଣ ତଳେ ମୁଣ୍ଡରୁ ଏକ କେଶ ଛିଡ଼ାଇ ରଖିଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହିଦିନୁ ପିତା ଶୁଦ୍ଧୋଧନଙ୍କର ଏକମାତ୍ର ଲକ୍ଷ୍ୟ ରହିଲା ବାଳକ ସିଦ୍ଧାର୍ଥ ମନରେ ଯେପରି କୌଣସି ପରିସ୍ଥିତିରେ ବୈରାଗ୍ୟଭାବ ନ ଜନ୍ମେ। ଅତି ବାଲ୍ୟକାଳରୁ ତହିଁର ବ୍ୟବସ୍ଥା ଆରମ୍ଭ କରିଦେଇଥିଲେ।
ସୁନ୍ଦରୀ ଯୁବତୀମାନେ ସର୍ବଦା ପାଖେପାଖେ ରହୁଥିଲେ ଭୋଗାସକ୍ତ କରିବା ପାଇଁ ମନକୁ। ଭୋଗଲାଳସା, ପାର୍ଥିବ ସୁଖ କୌଣସିଥିରେ ଊଣା ନଥିଲା। ହେଲେ ସଂସ୍କାର ଆଗେଆଗେ କ୍ଷିପ୍ରଭାବରେ ଗତି କରୁଥିଲା। ପ୍ରାରବ୍ଧ ପ୍ରବଳ ଥିଲା, ଅବତାରୀ ଚେତନା ଉଦୟ ହୋଇଥିଲା, ଜାଗ୍ରତ, ସୁପ୍ତ, ସବୁ ଅବସ୍ଥାରେ ସିଦ୍ଧାର୍ଥ ଦେବତାଙ୍କ ଛାୟା ଦେଖିପାରୁଥିଲେ, ଶୁଣିବାକୁ ପାଉଥିଲେ ଦେବତାଙ୍କ ବାଣୀ। ପୂର୍ବଜନ୍ମରେ ବୋଧିସତ୍ତ୍ବ ଥିଲେ। ତପଫଳ ପ୍ରବଳ ଥିଲା। ତରୁଣ ବୟସରେ ଗୃହତ୍ୟାଗୀ ହୋଇ ବୁଦ୍ଧତ୍ବପ୍ରାପ୍ତି ହୋଇଥିଲେ। ସାଂସାରିକ ସାଧନ ଏକ ପକ୍ଷରେ, ଉଚ୍ଚକୁ ଉଠିବାର ଅଭୀପ୍‌ସା, ଆକାଙ୍‌କ୍ଷା ଅନ୍ୟ ପଟରେ। ଯଦି ବୈରାଗ୍ୟଭାବ ପ୍ରବଳ ହୁଏ ତେବେ କିଏ ଅବା ଏହାର ଗତିରୋଧରେ ସକ୍ଷମ ହେବ? ସବୁ ତ ବିଧି ନିର୍ଦିଷ୍ଟ ଥିଲା।

Leave A Reply