ତହସିଲଦାର ହଟାଅ ଦାବିରେ ଗଞ୍ଜାମରେ ଧାରଣା ଓ ଶୋଭାଯାତ୍ରା

ଗଞ୍ଜାମ: ଗଞ୍ଜାମ ତହସିଲଦାର ଅରୁଣ ନାୟକଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦରେ ମଙ୍ଗଳବାର ସହରରେ ବନ୍ଦ ଡାକରା ସହ ବ୍ଲକ ଆଗରେ ଧାରଣରେ ବସିଥିଲେ। ପ୍ରଥମେ ଲୋକମାନେ ବଡ଼ ବଜାର ଜଗନ୍ନାଥ ମନ୍ଦିରଠାରୁ ପ୍ଲାକାଡ ଧରି ବଡ଼ ବଜାର, ସାନ ବଜାର ପରିକ୍ରମା ସହ ଗଞ୍ଜାମ ତହସିଲଦାରଙ୍କୁ ତୁରନ୍ତ ଏହିଠାରୁ ବଦଳି କରିବା ପାଇଁ ନାରା ଦେଇଥିଲେ। ପରେ ବ୍ଲକ ଆଗରେ ଧାରଣାରେ ବସିଥିଲେ। ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପରିଡାଙ୍କୁ ପ୍ରଦାନ କରାଯାଇଥିଲା। ଧାରଣା ସ୍ଥଳରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ନିଜ ବକ୍ତବ୍ୟ ମଧ୍ୟରେ ଧାରଣା କାରୀମାନେ ତହସିଲଦାରଙ୍କ ବିଭିନ୍ନ କାର୍ଯ୍ୟକଳାପଙ୍କୁ ଦୃଢଭାବରେ ନିନ୍ଦା କରିଥିଲେ। ତାଙ୍କୁ ଏଠାରୁ ବଦଳି ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଆନ୍ଦୋଳନ କାରୀମାନେ। ଏହି ସଭା ଚାଲିଥିଲା ବେଳେ ଅନ୍ୟ ଏକ ଗୋଷ୍ଠୀ ମୋଟର ସାଇକେଲ ରାଲି ରେ ସେହି ରାସ୍ତା ଦେଇ ସାନ ବଜାର ଯିବା ଓ ପୁଣି ସେହି ରାସ୍ତା ଦେଇ ବଡ଼ ବଜାରଙ୍କୁ ଆସିବା ବେଳେ ହୋ ହାଲ୍ଲା କରିଥିଲେ। ଫଳରେ ଏହା ଦେଖି ସଭା ସ୍ଥଳରେ ବସିଥିବା କିଛି ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ପରେ କିଛି ଲୋକ ଉତେଜନା କାରିଙ୍କୁ ବୁଝାସୁଝା କରିଥିଲେ। ଏହି ଭଳି ଦୃଶ୍ୟ କିନ୍ତୁ ଉପସ୍ଥିତ ଦେଖଣା ହାରିଙ୍କ ପାଇଁ ସହର ରେ ଅତ୍ୟନ୍ତ ରୋଚକ ପୂର୍ଣ୍ଣ ପରିସ୍ଥିତି ହୋଇଥିଲା। ପ୍ରତିବାଦ ସଭାରେ ଓକିଲ ଦିଲ୍ଲୀପ ପଟ୍ଟନାୟକ, ଲଷ୍ମୀ ପାଢ଼ୀ, ସୁଦାମ ଜେନା, ବିଜେପିର ସୁମନ୍ତ ଦାସ, କାଉନସିଲର ଅରୁଣ ପଣ୍ଡା, ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଗୋରୀ ଶଙ୍କର ପାଢ଼ୀ, ଅଭିମନ୍ୟୁ ଗୌଡ଼, ବିଷ୍ଣୁ ବେହେରା, ବଟ ରାଉଳ, ଭଗବାନ ପ୍ରଧାନ, ଅର୍ଜୁନ ଜେନା, ସଂକୁ ତରାଇ, ନିରଞ୍ଜନ ତରାଇ, ପ୍ରକାଶ ରାଉଳ, ପପୁ ମହାନ୍ତି ସମେତ ବହୁ ଲୋକ ସାମିଲ ହୋଇଥିଲେ। ଏହି ବନ୍ଦ ବେଳେ ବଡ଼ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା କିନ୍ତୁ ସାନ ବାଜରେ ଏହି ବନ୍ଦର ପ୍ରଭାବ ମିଶ୍ରିତ ଦେଖିବାକୁ ମିଳିଥିଲା। କିଛି ବନ୍ଦ ଥିବାବେଳେ ଅନ୍ୟ କିଛି ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳିଥିଲା।

Comments are closed.