ଅର୍ଥ ହଡ଼ପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ପ୍ରତିବାଦରେ ଥାନା ଆଗରେ ଜମାକାରୀଙ୍କ ଧାରଣା

ବେଗୁନିଆ: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ରାଉତପଡା ସମ୍ପ୍ରସାରିତ ଶାଖାରୁ ଜମାକାରୀମାନଙ୍କର ପ୍ରାୟ ଦେଢ଼ କୋଟି ଟଙ୍କା ସମ୍ପୃକ୍ତ ଶାଖାର କର୍ମଚାରୀମାନେ ତୋଷରପାତ କରିଛନ୍ତି । ଏହି ଘଟଣା ଜଣାପଡିବା ପରେ ଜମାକାରୀମାନଙ୍କର ଅଭିଯୋଗ ଉପରେ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନଥିଲା। ଫଳରେ ଜମାକାରୀମାନେ ଏବେ ନିଜ ନିଜର ଜମା ଟଙ୍କା ପାଇବା ପାଇଁ ବାରଦୂଆର ଶୁଣ୍ଡି ପିଣ୍ଡା ହେଉଥିବାର ଦେଖିବାକୁ ମିଳୁଛି । ଆଜି ଜମାକାରୀମାନେ ଥାନାକୁ ଆସି କାର୍ଯ୍ୟାନୁଷ୍ଠାନ ଦାବିରେ କିଛି ସମୟ ପାଇଁ ଧାରଣାରେ ବସିଥିଲେ । ପରେ ବେଗୁନିଆ ପୁଲିସଠାରୁ ପ୍ରତିଶୃତି ପାଇ ନିଜ ନିଜ ଘରକୁ ଫେରି ଯାଇଛନ୍ତି । ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ରାଉତପଡା ସେବା ସମବାୟ ସମିତି ଲିଃର ଜମାକାରୀମାନଙ୍କର ୧.୫୦କୋଟି ଟଙ୍କା ତୋଷରପାତ ଅଭିଯୋଗରେ ଗତ ଏପ୍ରିଲ ମାସ ୨୭ ତାରିଖରେ ବେଗୁନିଆ ଥାନାରେ ସମ୍ପୃକ୍ତ ଶାଖାରେ କାର୍ୟ୍ୟ କରୁଥିବା ୩ ଜଣ କର୍ମଚାରୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ଶାଖାରେ ଖଟିଖିଆ, ନିରାଶ୍ରୟ, ବିଧବା, ବୃଦ୍ଧା ଏବଂ ଅବସର ପ୍ରାପ୍ତ କର୍ମଚାରୀଙ୍କର ଜମା ଟଙ୍କା ହଡ଼ପ କରାଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ ଆଜି ପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଜମାକାରୀମାନେ ଗତ ଅପ୍ରେଲ ମାସ ୨୬ ତାରିଖ ରେ ଅର୍ଥ ଫେରସ୍ତ ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ପରେ ଜିଲ୍ଲା ପ୍ରଶାସନର ଚେତା ପଶିଥିଲା । ଫଳରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ ବେଗୁନିଆ ଥାନାରେ ୨୭ ତାରିଖରେ ବୁଦ୍ଧିରାମ ଦାଶ, ପ୍ରତାପ ତୋଷ ଏବଂ ଶୁଭଲକ୍ଷ୍ମୀ ସାହୁଙ୍କ ନାମରେ ଅର୍ଥ ତୋଷରପାତ ଅଭିଯୋଗରେ ଏତଲା କରିଛନ୍ତି । ବେଗୁନିଆ ପୁଲିସ୧୦୨/୨୨ନଂ କେଶ ରୁଜୁ କରି ବସିପଡିଥିବା ବେଳେ ଆଜି ଜମାକାରୀମାନେ ଆଜି ପର୍ୟ୍ୟନ୍ତ କାହିଁକି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉନାହିଁ ବୋଲି ତାର ପ୍ରତିବାଦରେ ଥାନାରେ କିଛି ସମୟ ପାଇଁ ଧାରଣା ଦେଇଥିଲେ । ପରେ ବେଗୁନିଆ ପୁଲିସ ଥାନାଅଧିକାରୀ ତାଙ୍କର ପାରିବାରିକ ସମସ୍ୟାକୁ ନେଇ ଛୁଟିରେ ଥିଲେ, ସେକେଣ୍ଡ ଅଫିସର କୌଣସି ଏକ କାର୍ଯ୍ୟରେ ଗୁଜୁରାଟ ଯାଇଛନ୍ତି । ଏହା ସତ୍ତ୍ୱେ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ବ୍ୟାପକ ତଦନ୍ତ ସାପେକ୍ଷ । ତେଣୁ ବିଳମ୍ବ ହେଲେ ମଧ୍ୟ ସମସ୍ତ ଜମାକାରୀଙ୍କୁ ପୁଲିସ ନିଶ୍ଚୟ ନ୍ୟାୟ ଦେବ । ଜମାଖାତା ଓ ସୋସାଇଟି କାଗଜପତ୍ର ଯାଞ୍ଚ କରିବା ପ୍ରକ୍ରିୟା ପୁଲିସ ଆରମ୍ଭ କରିଛି କହିବା ପରେ ଜମାକାରୀମାନେ ଧାରଣାରୁ ଉଠିଥିଲେ ।

Comments are closed.