ଆଦର୍ଶରେ ଦୀକ୍ଷା ଆଣେ ଅନୁରାଗ: ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୩ତମ ପବିତ୍ର ଜନ୍ମତିଥି ଉପଲକ୍ଷେ

ସତ୍ତା ସଚ୍ଚିଦାନନ୍ଦମୟ। ଅସତ୍‍ ନିରୋଧୀ ସ୍ୱତଃ ହିଁ, ସଚ୍ଚିଦାନନ୍ଦର ପରିପୋଷକ ଯାହା ତାହା ହିଁ ଧର୍ମ। ଧର୍ମ ମୂର୍ତ୍ତ ହୁଏ ଆଦର୍ଶରେ। ଆଦର୍ଶରେ ଦୀକ୍ଷା ଆଣେ ଅନୁରାଗ। ଅନୁରାଗ ଆଣେ ବୃତ୍ତି ନିୟନ୍ତ୍ରଣ…। ଧର୍ମକୁ ବ୍ୟାଖ୍ୟା କରିବାକୁ ଯାଇ ଯୁଗପୁରୁଷୋତ୍ତମ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ – ସତ୍ତାକୁ ଧାରଣ କରି ରଖେ ଯାହା ତାହା ହିଁ ଧର୍ମ। ଧର୍ମ ମୂର୍ତ୍ତ ହୁଏ ଆଦର୍ଶରେ ବା ସଦ୍‍ଗୁରୁଙ୍କ ଠାରେ। ତେଣୁ ଆଦର୍ଶଙ୍କ ବିନା ମଣିଷ ଜୀବନରେ ବଞ୍ଚିବା ବଢ଼ିବାର ବିପନ୍ନତା ଆସେ। କୁଳମାଲିକ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ପୁଣି କହିଲେ – ଜୀବ ନିତ୍ୟ କୃଷ୍ଣ ଦାସ ଯେବେ ଭୁଲିଗଲା, ମାୟାର ପିଶାଚୀ ସେତେବେଳେ ଗଳାରେ ବେଡ଼ିଲା। ତେଣୁ ମଣିଷ ଯଦି ଭଗବାନଙ୍କର ବନ୍ଧନରେ ବନ୍ଧା ନ ଥାଏ, ତାହେଲେ ସେ ସଇତାନର ବନ୍ଧନରେ ବନ୍ଧା ପଡ଼ିବ ହିଁ। ସଇତାନ ପୁଣି ଅନେକ ସମୟରେ ମୁଖା ପିନ୍ଧି ଆସେ। ସଇତାନ କହେ ଜୀବନ୍ତ ଆଦର୍ଶଙ୍କୁ ଯେ ଧରିବାକୁ ହେବ, ତାର ଦରକାର କ’ଣ ? ତୁମେ ସତ୍‍ପଥରେ ଚାଲିଲେ ତ ହେଲା। ସତ୍‍ କାମ କରିଲେ ତ ହେଲା। ଏଇ ଯୁକ୍ତି ମଣିଷକୁ ଖୁବ୍‍ ଭଲ ଲାଗେ। ମଣିଷ ସେଇଥିରେ ହିଁ ସମ୍ମତି ଦେଇଚାଲେ; କିନ୍ତୁ ସେଇ ଫାଙ୍କ ଦେଇ ପ୍ରବୃତ୍ତି ତାର ନାନା ରକମ, କାରସାଦି ଚଲାଏ ମଣିଷ ସହିତ। ମଜା କଥା ଏହା ଯେ, ମଣିଷ ଏହି ଅବସ୍ଥାରେ ପ୍ରବୃତ୍ତି-ଅଭିଭୂତିକୁ ପ୍ରବୃତ୍ତି-ଅଭିଭୂତି ବୋଲି ଚିହ୍ନି ପାରେନି। ଚିହ୍ନିବ ବା କିପରି ? ସେ ଯେ ନିଜର ସ୍ୱାରୂପ୍ୟ ନଷ୍ଟ କରି ସେଇଥିରେ ହିଁ ଗୋଳେଇ ହୋଇ ରହିଥାଏ। ତେଣୁ ସବୁ ଶାସ୍ତ୍ର କହିଛି ପ୍ରେରିତ ପୁରୁଷଙ୍କ ଶରଣାଗତିର କଥା। ଭଗବତ୍‍ ଗୀତାରେ ଅଛି – ସର୍ବ ଧର୍ମାନ୍‍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ। ବାଇବେଲରେ ଅଛି – ମୁଁ ହିଁ ପଥ, ମୁଁ ହିଁ ସତ୍ୟ, ମୁଁ ହିଁ ଲକ୍ଷ୍ୟ। ମୋ ବିନା ପରମପିତାଙ୍କ ନିକଟକୁ କେହି ପହଞ୍ଚି ପାରିବେନି। ବୈଷ୍ଣବ ଶାସ୍ତ୍ରରେ ଅଛି – ଶ୍ରୀକୃଷ୍ଣଙ୍କର ଯେତେ ଲୀଳା ସର୍ବୋତ୍ତମ ନରଲୀଳା। କୋରାନ୍‍ରେ ଅଛି – ପ୍ରେରିତଙ୍କୁ ବାଦ୍‍ ଦେଇ ଈଶ୍ୱରଙ୍କର ଉପାସନା ହୁଏନି। ବୌଦ୍ଧ ଧର୍ମରେ ଅଛି – ବୁଦ୍ଧଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି। ଠିକ୍‌ ସେହିପରି ଭାବରେ କଳ୍‍କୀ ଅବତାର ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି – ସଦ୍‍ଗୁରୁଙ୍କ ଶରଣାପନ୍ନ ହୁଅ, ସତ୍‍ ନାମ ମନନ କର ଓ ସତ୍‍ସଙ୍ଗର ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କରି କହୁଛି ତୁମକୁ ଆଉ ତୁମର ଉନ୍ନୟନ ପାଇଁ ଭାବିବାକୁ ହେବନାହିଁ।

Comments are closed.