ଆସନ୍ତାକାଲି ସେନାରେ ସାମିଲ ହେବ ଦେଶୀ ବୋଫର୍ସ ଧନୁଷ

ନୂଆଦିଲ୍ଲୀ : ସେନାର ଶକ୍ତି ବୃଦ୍ଧି ପୂର୍ବକ ସୋମବାର ଦେଶୀ ବୋଫର୍ସକୁ ବିଧିବଦ୍ଧ ଭାବେ ସାମିଲ କରାଯିବ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଧନୁଷ ୧୫୫ଏମ୍ଏମ୍/୪୫ କ୍ୟାଲିବର ବନ୍ଧୁକ ଦେଶୀ ବୋଫର୍ସ ଭାବେ ପରିଚିତ। ସେନାର ସୂଚନା ପ୍ରସାରଣ ବିଭାଗ ଅତିରିକ୍ତ ନିର୍ଦେଶକଙ୍କ କହିବା ଅନୁଯାୟୀ ସୋମବାର ଅର୍ଡନାନ୍ସ ଫ୍ୟାକ୍ଟ୍ରି ଧନୁଷକୁ ସେନାକୁ ହସ୍ତାନ୍ତର କରିବ। ଏହି କମାଣ ୩୮ କିମି ଦୂରକୁ ଲକ୍ଷ୍ୟଭେଦ କରିପାରିବ। ଏହାର ୮୧% ଯନ୍ତ୍ରାଂଶ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି। ବୋଫର୍ସ ତୁଳନାରେ ଏହା ଅଧିକ ୧୧ କିମି ଦୂର ଲକ୍ଷ୍ୟଭେଦ କରିପାରିବ। ଏହି କମାଣକୁ ଉଭୟ ଦିନ ଓ ରାତି ଏବଂ ସବୁ ସମୟରେ ବ୍ୟବହାର କରାଯାଇପାରିବ। ସିକିମ୍ ଓ ଲେହ ଭଳି ଥଣ୍ଡା ସ୍ଥାନ, ଓଡିଶାର ବାଲେଶ୍ବର ଓ ଝାନସୀ ଭଳି ଗ୍ରୀଷ୍ମ ଏବଂ ରାଜସ୍ଥାନ ପୋଖରାନର ମରୁଭୂମିରେ ଏହାକୁ ଅନେକ ଥର ସଫଳତାର ସହ ପରୀକ୍ଷା କରାଯାଇଛି। ଗୋଟିଏ ଧନୁଷ କମାଣର ମୂଲ୍ୟ ୧୪.୫୦ କୋଟି ଟଙ୍କା। ସେନା ପାଇଁ ୧୧୪ଟି ଧନୁଷ କମାଣ ତିଆରି ଲାଗି ଗତମାସରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅର୍ଡନାନ୍ସ ଫ୍ୟାକ୍ଟ୍ରିକୁ ଅନୁମତି ପ୍ରଦାନ କରିଛି।

Comments are closed.