ଧନତେରାସ୍‌ ପୌରାଣିକ କଥା

0

ବିଭିନ୍ନ ପୂଜାପର୍ବର ଭିନ୍ନ ଭିନ୍ନ ଅର୍ଥ ଓ କାରଣ ରହିଛି। ସେହି କାରଣରୁ ପୂଜାପର୍ବର ମହତ୍ୱ ବଢିଯାଏ। ସେହିଭଳି ଧନତେରାସ୍‌ ସହ ଏକ ପୌରାଣିକ କଥା ଜଡ଼ିତ ରହିଛି। ଜାଣନ୍ତୁ, ତାହା କଣ….
ଏକଦା ମୃତ୍ୟୁର ଦେବତା ଯମରାଜ ତାଙ୍କ ଦୂତମାନଙ୍କୁ ପ୍ରଶ୍ନ କଲେ – ପ୍ରାଣୀମାନଙ୍କ ପ୍ରାଣ ହରଣ କରିବା ସମୟରେ ତୁମକୁ କାହା ଉପରେ ଦୟା ଆସେ ? ସେମାନେ ସଙ୍କୋଚରେ ଉତ୍ତର ଦେଲେ ନାଁ ମହାରାଜ। ଆମେ ତ ଆପଣଙ୍କ ଆଜ୍ଞାର ପାଳନ କରୁ। ଆମର ଦୟାଭାବ ସହ କି ପ୍ରୟୋଜନ ? ଯମରାଜା ଚିନ୍ତା କଲେ, ଏମାନେ ବୋଧହୁଏ ସଙ୍କୋଚରେ ଏପରି କହୁଛନ୍ତି। ସେ ସେମାନଙ୍କୁ ଭୟ ନକରି ବିନା ସଙ୍କୋଚରେ ସତ କହିବାକୁ କହିଲେ। ସେହି ସମୟରେ ଯମଦୂତ ମାନେ ଡ଼ରି ଡ଼ରି ଉତ୍ତର ଦେଲେ ସତରେ ଏପରି ଘଟଣା ଥରେ ଘଟିଥିଲା ମହାରାଜା, ଯେଉଁ ସମୟରେ ଆମ ହୃଦୟ ଥରି ଉଠିଥିଲା। ତାହା କେଉଁ ଘଟଣା ଥିଲା ? ଯମରାଜ ପ୍ରଶ୍ନ କଲେ। ଦୂତମାନେ କହିଲେ, ମହାରାଜା ହଂସ ନାମରେ ଏକ ରାଜା ଥିଲେ। ସେ ଏକଦା ଶିକାର କରିବାକୁ ତାଙ୍କ ସାଥିଙ୍କ ସହ ଜଙ୍ଗଲ ଯାଇଥିଲେ। ମାତ୍ର ସେ ସେଠାରେ ତାଙ୍କ ସାଙ୍ଗମାନଙ୍କ ଠାରୁ ଅଲଗା ହୋଇ ଅନ୍ୟ ଏକ ରାଜ୍ୟର ସୀମାରେ ଯାଇ ପହଞ୍ଚିଲେ। ସେଠାକାର ରାଜା ହେମା ତାଙ୍କର ଖୁବ ଆଦର ଯତ୍ନ କଲେ।
ସେହିଦିନରେ ରାଜା ହେମାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ। ଜ୍ୟୋତିଷମାନଙ୍କ ଗଣନାରୁ ଜଣାଗଲା ଯେ, ସେହି ପୁତ୍ରଟିର ବିବାହର ଚାରିଦିନରେ ମୃତ୍ୟୁ ହୋଇଯିବ। ତେଣୁ ରାଜାଙ୍କ ଆଦେଶରେ ସେହି ପୁତ୍ରଟିକୁ ଯମୁନା ତଟରେ ଏକ ଗୁମ୍ଫାରେ ବ୍ରହ୍ମଚାରୀ ଭାବେ ରଖାଗଲା। ତାଙ୍କ ଉପରେ ସ୍ତ୍ରୀମାନଙ୍କର ଛାଇ ସୁଦ୍ଧା ପଡ଼ୁନଥିଲା।
ମାତ୍ର ବିଧିର ବିଧାନ ତ ଅତୁଟ। ସମୟ ଧୀରେ ଧୀରେ ବିତିବାକୁ ଲାଗିଲା। ସଂଯୋଗ ବଶତଃ ଏକଦା ରାଜା ହଂସଙ୍କର ଝିଅ ଯମୁନାର ତଟକୁ ବୁଲିବାକୁ ଯାଇଥିଲେ। ସେହି ସମୟରେ ସେ ରାଜା ହେମାଙ୍କର ପୁଅ ସେହି ବ୍ରହ୍ମଚାରୀଙ୍କୁ ଦେଖିଲେ ଓ ତାଙ୍କୁ ବିବାହ କଲେ। ମାତ୍ର ଜ୍ୟୋତିଷ ବାଣୀ ଅନୁଯାୟୀ ବିବାହର ଚାରିଦିନରେ ତାଙ୍କର ମୃତ୍ୟୁ ହୋଇଗଲା। ସେହି ନବବଧୂର କରୁଣ କାନ୍ଦଣା ଦେଖି ଆମ ହୃଦୟ ଥରି ଉଠିଲା ବୋଲି ଯମରାଜାଙ୍କ ଦୂତ ଉତ୍ତର ଦେଲେ।
ଏହା ଶୁଣି ଯମରାଜା କହିଲେ କ’ଣ କରାଯାଇପାରିବ! ବିଧିର ଯାହା ନିୟମ ରହିଛି। ତାହାକୁ ମାନିବାକୁ ପଡ଼ିବ। ଏହାପରେ କେତୋଟି ଦୂତ ପ୍ରଶ୍ନ କଲେ ଏହି ଅକାଳ ମୃତ୍ୟୁ ଠାରୁ ରକ୍ଷା ପାଇବାର କଣ କିଛି ଉପାୟ ନାହିଁ ? ସେହି ସମୟରେ ଯମରାଜା ଅକାଳ ମୃତ୍ୟୁ ଠାରୁ ରକ୍ଷା ପାଇବାର ଉପାୟ କହିଲେ – ଯେ ଧନତେରାସ୍‌ ପୂଜା ଏବଂ ଦୀପ ପ୍ରଜ୍ଜ୍ୱଳନ ଯଥା ବିଧିପୂର୍ବକ କଲେ ଅକାଳ ମୃତ୍ୟୁରୁ ରକ୍ଷା ମିଳିଥାଏ। ଯେଉଁ ଘରେ ଏହି ପୂଜା ହୋଇଥାଏ, ସେଠାରେ ଅକାଳ ମୃତ୍ୟୁର ଭୟ ରହି ନଥାଏ। ତେଣୁ ଏହି ଦିନରେ ଧନ୍ୱନ୍ତରୀ ( ବିଷ୍ଣୁଙ୍କ ଏକ ଅବତାର ବୋଲି ମାନ୍ୟତା ରହିଛି )ଙ୍କ ପୂଜା ସହ ଦୀପ ପ୍ରଜ୍ଜ୍ୱଳନର ପ୍ରଥା ପ୍ରଚଳନ କରାଯାଇଥିଲା।

ଆଲେଖ୍ୟ- ସସ୍ମିତା ମହାନ୍ତି

Leave A Reply