ନିରାପତ୍ତା ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଶ୍ରମିକ ମାନଙ୍କ ଦାବୀ

0

ଧାମରା : ଭଦ୍ରକ ଜିଲା ଧାମରା ବନ୍ଦର ମଧ୍ୟରେ ନିରାପତ୍ତା ଅଧିକାରୀ ମି.ଥୋମାସ ଓଡିଆ ଶ୍ରମିକ ମାନଙ୍କୁ ଅଶାଳୀନ ଭାଷାରେ ଗାଳି ଦେବାକୁ ନେଇ ଉତ୍ତେଜନା ଦେଖା ଦେଇଛି। ଖବରରୁ ଜଣାଯାଇଛି ଗତକାଲି ରାତିରେ ଫରଚୁନ ଗ୍ରୁପର ଶ୍ରମିକ ମାନେ ନିରାପତ୍ତା ଅଧିକାରୀଙ୍କ ଅଫିସକୁ ନିଜର କିଛି ରେକର୍ଡ ଦେବାକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ନିରାପତ୍ତା ଅଧିକାରୀ ଥୋମାସ ତୁମେ ଓଡିଆ ବୋଲି ପଚାରିବା ସହ ତୁମେ ମାନେ କାହିଁକି ଠିକ ଭାବରେ କାର୍ଯ୍ୟକରୁନାହଁ ବୋଲି କହିଥିଲେ। ଏହାର ଉତ୍ତରରେ ଶ୍ରମିକ ଏବଂ ସୁପରଭାଇଜର ମାନେ ସମସ୍ତ କାର୍ଯ୍ୟ ଠିକ୍ ଭାବରେ କରୁଛୁ ବୋଲି କହିଥିଲେ ମଧ୍ୟ ଓଡିଆ ମାନଙ୍କ ଜାତିକୁ ନେଇ ଅଶାଳୀନ ବ୍ୟବହାର କରିବା ସହ ତୁମେ ଓଡିଆ ମାନେ ବନ୍ଦର ମଧ୍ୟକୁ ନଆସିବା ଦରକାର, ଗୁଜରାଟରୁ ଆମେ ଶ୍ରମିକ ଆଣି କାର୍ଯ୍ୟ କରିବୁ ବୋଲି ଧମକ ଦେଇଥିଲେ। ଏହାର ପ୍ରତିବାଦରେ ଶ୍ରମିକ ମାନେ ବନ୍ଦର ମଧ୍ୟରେ ଥିବା ନିରାପତ୍ତା କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପରେ ଧାମରା ଥାନା ଅଧିକାରୀ ଶ୍ରୀକାନ୍ତ ପତି ସେମାନଙ୍କୁ ବୁଝାଇ ସୁଝାଇ ପଠାଇ ଦେଇଥିଲେ। ହେଲେ ଏତିକିରେ ସମସ୍ୟାର ସମାଧାନ ହୋଇ ନଥିଲା, ପୁନଶ୍ଚ ନିରାପତ୍ତା ଅଧିକାରୀ ବୁଧବାର ସକାଳ ଫରଚୁନ କମ୍ପାନୀର ସୁପରଭାଇଜରକୁ ଡାକି ପୁନଶ୍ଚ ଅଶାଳୀନ ବ୍ୟବହାର କରିଥିଲେ ଏବଂ କମ୍ପାନୀ ମଧ୍ୟରୁ ବାହାରି ଯିବାପାଇଁ ଧମକ ଦେଇଥିଲେ। ନିରାପତ୍ତା ଅଧିକାରୀଙ୍କ କଥାକୁ ନେଇ ଫରଚୁନ ଗ୍ରୁପର ଶ୍ରମିକ ମାନେ ଆସି ଧାମରା ବନ୍ଦର ଫାଟକ ଆଗରେ ଧାରଣାରେ ବସିବେ ବୋଲି ଯୋଜନା କରୁଥିବା ବେଳେ କମ୍ପାନୀ କର୍ତ୍ତୁପକ୍ଷ ଫରଚୁନ ଗ୍ରୁପ ଅଧିକାରୀଙ୍କୁ ଖବର ଦେଇଥିଲେ। ଫରଚୁନ ଗ୍ରୁପ ଅଧିକାରୀ ନିଜର ଶ୍ରମିକ ମାନଙ୍କୁ ଧାରଣାରେ ନ ବସିବା ପାଇଁ ଅନୁରୋଧ କରିବା ପରେ ଅବସ୍ଥା ଶାନ୍ତ ପଡିଥିଲା।ଓଡିଆଙ୍କ ସ୍ୱାଭିମାନକୁ ହତାଦର କରୁଥିବା ଏବଂ ଓଡିଆ ଶ୍ରମିକ ମାନଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିବା ନିରାପତ୍ତା ଅଧିକାରୀ ମି. ଥୋମାସକୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ବନ୍ଦର ମଧ୍ୟରେ କାର୍ଯ୍ୟରତ ସମସ୍ତ ଶ୍ରମିକ ସଙ୍ଗଠନ ଦାବୀ କରିଛନ୍ତି। ପରେ ଶ୍ରମିକ ମାନଙ୍କ ତଥା ଓଡିଆ ଜାତିକୁ ନେଇ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଣଓଡିଆ ନିରାପତ୍ତା ଅଧିକାରୀ ଥୋମାସ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଧାମରା ଅଞ୍ଚଳର ବହୁ ସ୍ୱେଛାସେବୀ ସଂସ୍ଥା ଦାବୀ କରିଛନ୍ତି। ଏହା ଯଦି କାର୍ଯ୍ୟକାରୀ କରା ନଯାଏ ତେବେ ଆଗାମୀ ଦିନରେ ଓଡିଶାବାସୀ ତଥା ଓଡିଆ ଶ୍ରମିକ ମାନଙ୍କ ପେଟକୁ ନାତ ମାରୁଥିବା ଏବଂ ବିଭିନ୍ନ ଅଶାଳୀନ ମନ୍ତବ୍ୟ ଦେଉଥିବା ନିରାପତ୍ତା ଅଧିକାରୀଙ୍କ ବହିଷ୍କାର ପାଇଁ ଧାମରା ବନ୍ଦର ଆଗରେ ଧାରଣା ଦିଆଯିବ ବୋଲି କୋଷ୍ଟାଲ ଏନଭାଇରନମେଣ୍ଟ ଏଣ୍ଡ ସୋସିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନ ତରଫରୁ ଚେତାବନୀ ଦିଆଯାଇଛି।

Leave A Reply