ଧରିଲାଣି ଧାମନଗର ତାତି, ହେଲାଣି ଉପନିର୍ବାଚନ ପାଇଁ ପାଗଭିଡ଼ା; ଦେଖନ୍ତୁ ଭିଡିଓ, ଜାଣନ୍ତୁ ପୁରା ଖବର

ଧାମନଗର: ଉପନିର୍ବାଚନ ମୁହାଁ ଧାମନଗର ନିର୍ବାଚନ ମଣ୍ଡଳୀ । ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଉପନିର୍ବାଚନ ଦେଖିବ ଓଡ଼ିଶା । ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ଆଉ ଏଥିପାଇଁ ଏବେଠୁ ରାଜ୍ୟ ରାଜନୀତିରେ ତତ୍ପରତା ପ୍ରକାଶ ପାଇଲାଣି । କାରଣ ବିଧାନସଭା ସଚିବଙ୍କ ପକ୍ଷରୁ ଉପନିର୍ବାଚନ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପରେ ରାଜ୍ୟ ରାଜନୀତିରେ ସରଗରମ ଦେଖିବାକୁ ମିଳିଛି । ବିଧାୟକଙ୍କ ପରଲୋକକୁ ନେଇ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଅବଗତ କରାଯାଇଛି ।

ଘଟଣାକୁ ନେଇ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତ ଥିବା କୁହାଯାଇଛି । କିନ୍ତୁ ବିରୋଧୀ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ ଏତେ ତତ୍ପରତା କାହିଁକି ବୋଲି ପ୍ରଶ୍ନ ବାଢ଼ିଛନ୍ତି । ଖାଲି ସେତିକି ନୁହେଁ ବିଧାୟକଙ୍କ ପରଲୋକକୁ ମାତ୍ର ୮ ଦିନ ବିତିନଥିବା ବେଳେ ଏପରି ଉପନିର୍ବାଚନ ପ୍ରସଙ୍ଗକୁ ସାଧାରଣରେ ଗ୍ରହଣ କରିପାରିନାହାନ୍ତି ଧାମନଗରବାସୀ ।

୨୦୧୯ ନିର୍ବାଚନରେ ପୁରା ଭଦ୍ରକକୁ ଅକ୍ତିଆର କରିଥିଲା ଶାସକ ଦଳ । ହେଲେ ବିଷ୍ଣୁଙ୍କ ଗଡ଼ରେ ଧସେଇ ପଶିପାରିନଥିଲା ବିଜେଡି । ଅଳ୍ପ ବ୍ୟବଧାନ ସତ୍ବେ ବି ଧାମନଗରରେ ପଦ୍ମ ଫୁଟାଇଥିଲେ ବିଷ୍ଣୁ । ଆଉ ପରେ ବିଧାନସଭାରେ ବିଭନ୍ନ ପ୍ରସଙ୍ଗକୁ ନେଇ କରିଥିଲେ ସରକାରଙ୍କୁ ଟାର୍ଗେଟ୍ । ହେଲେ ବର୍ତ୍ତମାନ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନକୁ ନେଇ ସଜବାଜ ହେଲାଣି ଧାମନଗର । ବିଜେଡି ପକ୍ଷରୁ ପସ୍ତୁତ ଥିବା କୁହାଯାଇଥିବା ବେଳେ, ବିଜେପି ପକ୍ଷରୁ ବିଷ୍ଣୁଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି । ଆଉ କଂଗ୍ରେସ ତାର ଉପଯୁକ୍ତ ପ୍ରାର୍ଥୀ ଉପରେ ମଧ୍ୟ ନଜର ରଖିଛି ।

ଅନ୍ୟପଟେ ଅତୀତରେ ରାଜ୍ୟରେ ହୋଇଥିବା ସମସ୍ତ ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ସମସ୍ତ ଆସନକୁ ହାତକୁ ନେଇଛି ଦଳ । ହେଲେ ବିଧାୟକଙ୍କ ଦେହାନ୍ତକୁ ମାତ୍ର ୮ ଦିନ ବିତିନଥିବା ବେଳେ, ଉପନିର୍ବାଚନ ପାଇଁ ଏହି ସଜବାଜ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.