ଧାମନଗରରେ ବନ୍ୟା ପରିସ୍ଥିତି ଗମ୍ଭୀର; ହଜାର ହଜାର ଲୋକ ପାଣି ଘେରରେ

ଧାମନଗର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଧାମନଗର ସୀମାନ୍ତ ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଫଳରେ ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ ବାଟ ଦେଇ ଗେଙ୍ଗୁଟିରେ ପାଣି ପଶିବାରୁ ଦୋବଲ ଜୋନର କିଛି ଅଂଶ ଜଳମଗ୍ନ ହୋଇଛି। ରବିବାର ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁରଠାରେ ଥିବା ମଲ୍ଲିମାହାରା ଏସକେପରେ ପାଣି ପଶି ତଳ ଆନନ୍ଦପୁର, ନଡ଼ିଆବାଗ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ଗୌରାଙ୍ଗପୁର ଏସକେପ୍ ବାଟେ ବନ୍ୟା ଜଳ ପ୍ରବେଶ କରିବାରୁ ସୋହଡ଼ା, କରଦା ଓ ପଧାନି ପଞ୍ଚାୟତର କିଛି ଅଂଶ ଜଳମଗ୍ନ ହୋଇଛି। ବିଶେଷ କରି ଖଡ଼ିପଦାର କାଞ୍ଜିଆପାଳ, ବେଦପୁର, ସୋହଡ଼ାର ମିଶ୍ରପୁର, ପିତେଇପୁର, ବାଲିପଡ଼ା ଓ କରଦା ପଞ୍ଚାୟତର ସାପୁଆପାଟଣା ଭାର୍ଦା କଟକ ଅଞ୍ଚଳରେ ପାଣି ପଶିଛି। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ଧାମନଗର ଦେଇ ପ୍ରବାହିତ ରେବ, କପାଳୀ ନଦୀରେ ବନ୍ୟା ଆସିଛି। ଫଳରେ କାଶୀମପୁର, ଫତେପୁର ଓ ଅସୁରାଳି ଅଞ୍ଚଳର କିଛି ଗାଁରେ ପାଣି ମାଡ଼ି ଯାଇଛି।

ମଙ୍ଗଳବାର ବୈତରଣୀ ନଦୀର ଉପର ମୁଣ୍ଡରେ ବନ୍ୟାଜଳ ହ୍ରାସ ପାଇଥିବା ବେଳେ ଧାମନଗର ଅଞ୍ଚଳରେ ବନ୍ୟାର ପ୍ରଭାବ ତିନି ଦିନ ପରେ ମଧ୍ୟ ସଙ୍ଗୀଳ ଅବସ୍ଥାରେ ଅଛି। ଧାମନଗର ବ୍ଳକର ୯୭ ରାଜସ୍ବ ଗ୍ରାମ ଏହି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ଶହେରୁ ଅଧିକ ଗ୍ରାମର ଲକ୍ଷାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବୈତରଣୀ ନଦୀର ବନ୍ୟାଜଳ ଉପର ମୁଣ୍ଡରେ କମୁଥିଲେବି ନଦୀର ତଳମୁଣ୍ଡ ଗାନ୍ଧୀଘାଟଠାରେ ବନ୍ୟାଜଳ ଏବେବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।

ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତ ଉପକଣ୍ଠ ଆନନ୍ଦପୁର-ଯାଜପୁର ଟାଉନ ରାସ୍ତାର ହାତିଢିଅ ପଡ଼ିଆ ପାଖ ରାସ୍ତାରେ ଭାସି ଯାଉଥିବା ଛୋଟା ଜେନା ନାମକ ବ୍ରୁଦ୍ଧଙ୍କୁ ସ୍ଥାନୀୟ ଯୁବକ ଉଦ୍ଧାର କରିଛନ୍ତି। ଛୋଟା ଜେନା ଭିକ୍ଷାବୃତ୍ତି କରି ଦାଣ୍ଡକୂଳ ଅଞ୍ଚଳରୁ ଫେରୁଥିବା ବେଳେ ବୈତରଣୀ ନଦୀ ବନ୍ୟା ଜଳରେ ଭାସି ଯାଇଥିଲେ। ତେବେ ସେ ଭାସିଯାଇ କିଆଁ ବଣରେ ଲାଗି ଥିଲେ। ପାଖରେ ଥିବା ଗୋଟିଏ ଗଛକୁ ଜାବୁଡ଼ି ଧରି ଡାକ ଛାଡ଼ିଥିଲେ। ତାଙ୍କ ଡାକ ଶୁଣି ପାଖ ଅଞ୍ଚଳର ଯୁବକ ନାରାୟଣ ଦାସ, ଟିକିନା ମହାନ୍ତି, ସଂଜୀବ ତରାଇ ପହଞ୍ଚି ରଶି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ। ପାଣିରେ ବୁଡି ବ୍ୟାପକ ଫସଲ ହାନୀ ହେବାର ଆଶଙ୍କା ଦେଖାଦେଇଛି । ବିଗତ ପ୍ରାୟ ୭ ଦିନ ହେବ ଘରୁ ଗୃହପାଳିତ ପଶୁ ପାଣି ଘେରରେ ଭୋକ ଉପାସରେ ରହିଛନ୍ତି। ହଜାର ହଜାର ପରିବାରରେ ବିଗତ ୨ ଧରି ଚୁଲି ଜଳି ନଥିବା ବେଳେ ଘରେ ବନ୍ୟାଜଳ ପଶିବାରୁ ଲୋକେ ଛାତି ଉପରେ ଓ ବନ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଛନ୍ତି। ସ୍ଥାନୀୟ ପ୍ରଶାସନ କିମ୍ବା ସରପଞ୍ଚ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚିନଥିବା ଦେଖିବାକୁ ମିଳିଛି। ଧାମନଗର-ଷେଣ୍ଢପୁର, ଧୂଷୁରୀ-ହସନାବାଦ ମୁଖ୍ୟ ରାସ୍ତା ସମେତ ବହୁ ଗ୍ରାମ୍ୟ ରାସ୍ତା ଏବେଟି କନ୍ୟା ଜଳରେ ବୁଡି ରହିଥିବା ବେଳେ ଶହ ଶହ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି।

ତେବେ ଲଘୁଚାପ ଯୋଗୁଁ ବର୍ଷା ଲାଗି ରହିବାରୁ ଧାମନଗର ବ୍ଲକର ୨୮ଟି ପଞ୍ଚାୟତ ଅଧିନ ୯୭ଟି ରାଜସ୍ବ ଗ୍ରାମରେ ୧୮୫୦ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ଅଧିକାଂଶ ଜମିରେ ତଳି ନଷ୍ଟ ହୋଇଛି ବୋଲି ଧାମନଗର କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଭାସ୍କର ଦାସ କହିଛନ୍ତି। ତେବେ ପ୍ରକୃତ କ୍ଷୟକ୍ଷତି ଆକଳନ ପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Comments are closed.