ଧାମରା ବଙ୍ଗୋପସାଗରରେ ମାଛଧରା ହେଲା କାଳ: ପାଣିରେ ବୁଡ଼ି ୧ ମୃତ, ଜଣେ ଆହତ

ଧାମରା: ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତରେ ମାଛ ଧରିବାକୁ ଯାଇ ଜଣେ ଧୀବରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଥିବା ଜଣାଯାଇଛି। ପ୍ରାପ୍ତ ଖବର ଅନୁଯାୟୀ, କରଞ୍ଜମାଳ ପଂଚାୟତ ଅଧିନସ୍ଥ ଧାନକୁଟା ଗ୍ରାମର ଲକ୍ଷ୍ମୀଧର ଦାସ(୫୨) ଏବଂ ପ୍ରଶାନ୍ତ ଦାସ(୩୮) ୨ଜଣ ନିକଟସ୍ଥ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ। ସେ ନିକଟସ୍ଥ ବଙ୍ଗୋପସାଗର କୂଳଠାରୁ କିଛି ଦୂରରେ ବେଢ଼ ଜାଲ ମାରିଥିଲେ। ସମୁଦ୍ର ଅଶାନ୍ତ ଥିବା ସମୟରେ ଏହି ୨ଜଣ ଜାଲ ଉଠାଇବାକୁ ଯାଇଥିବା ବେଳେ ଅଚାନକ ସମୁଦ୍ରରେ ଉଚ୍ଚା ଢେଉ ଆସିବା ଫଳରେ ଲକ୍ଷ୍ମୀଧର ଦାସ ସମୁଦ୍ରରେ ଭାସି ଯାଇଥିଲେ। ଲକ୍ଷ୍ମୀଧର ଭାସି ଯାଉଥିବା ଦେଖି ପ୍ରଶାନ୍ତ ତତକ୍ଷଣାତ ଏକ ଦଉଡି ଫିଙ୍ଗି ଦେଇ ସେହି ଦଉଡିକୁ ଧରିବାକୁ କହିଥିଲେ। ମାତ୍ର ସମୁଦ୍ରର ଅଶାନ୍ତ ଢେଉରେ ଲକ୍ଷ୍ମୀଧର ଭାସି ଯାଇଥିଲେ।ପ୍ରଶାନ୍ତ ଦାସ ଆସି ଏହି ଦୁଃଖଦ ଖବର ନିଜ ଗାଁରେ ଦେବାପରେ ତତକ୍ଷଣାତ ଗ୍ରାମବାସୀ ଧାମରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଧାମରା ଅଗ୍ନିଶମ ବାହିନୀ ସେହି ସ୍ଥାନକୁ ଯାଇ ସମୁଦ୍ରର ଅଶାନ୍ତ ପରିସ୍ଥିତିକୁ ଦେଖି ସମୁଦ୍ର ମଧ୍ୟକୁ ନଯାଇ ଫେରି ଆସିଥିଲେ। ପରେ କରଞ୍ଜମାଳ ପଂଚାୟତବାସୀ ସେହି ସ୍ଥାନକୁ ଯାଇ ପାଣି ଛାଡିବା ପରେ ଲକ୍ଷ୍ମୀଧରଙ୍କ ମୃତଦେହକୁ ଦେଖିବାକୁ ପାଇଥିଲେ ଓ ବଇଁଚା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ଜିଲ୍ଲା ମେଡିକାଲକୁ ପଠାଇଥିବା ଜଣାଯାଇଛି। ଅପରପକ୍ଷେ ପାଣିରେ ବୁଡି ଶ୍ୱାସ ରୁଦ୍ଧ ହୋଇଥିବା ପ୍ରଶାନ୍ତଙ୍କୁ ଚିକିତ୍ସା କରିବା ପାଇଁ ବଇଁଚା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପାଣିରେ ବୁଡି ନିଖୋଜ ହୋଇଥିବା ଜଣେ ଲୋକଙ୍କୁ ଖୋଜିବା ପାଇଁ ଯାଇ କେଉଁ ପରିସ୍ଥିତିରେ ଧାମରା ଅଗ୍ନିଶମ ବାହିନୀ ସେହି ସ୍ଥାନକୁ ଯାଇ ମୃତକଙ୍କୁ ଖୋଜାଖୋଜି ନ କରି ଫେରି ଆସିଲେ ତା’ର ବିଦ୍ଧିବଦ୍ଧ ତଦନ୍ତ ଦାବୀ କରିଛନ୍ତି ଅଂଚଳବାସୀ। ଏ ନେଇ ବାଂଶଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Comments are closed.