ସେଫ୍ଟି ମନିଟରିଂ ପାଇଁ କର୍ମଚାରୀ ଅଭାବ, ଶ୍ରମିକଙ୍କ ସୁରକ୍ଷା ପାଇଁ ଆଖି ବୁଜିଦେଇଥିଲା ଶ୍ରମ ବିଭାଗ

ନିର୍ମାଣଧିନ ମହାନଦୀ ସେତୁରେ ଶ୍ରମିକ ମୃତ୍ୟୁ ଘଟଣା, ଗ୍ରାଉଣ୍ଡଜିରୋରୁ ସ୍ଥିତି ପରଖିଲା ‘ସମାଜ’

ଢିଲା ସୁରକ୍ଷାରେ ଉଚ୍ଚତାସମ୍ପନ୍ନ ବ୍ରିଜ ନିର୍ମାଣ ଦୁର୍ଘଟଣାର ପ୍ରମୁଖ କାରଣ, ବିନା ସେଫ୍ଟି ନେଟରେ ଚାଲିଥିଲା କାର୍ଯ୍ୟ
ହରଭଙ୍ଗା: ସରକାର ନିର୍ମାଣ ଶ୍ରମିକମାନଙ୍କ ସୁରକ୍ଷା ଏବଂ ନିରାପତା ପାଇଁ ସ୍ୱତନ୍ତ୍ର ଶ୍ରମ ଆଇନ କାର୍ଯ୍ୟକାରୀ କରିଛନ୍ତି, ମାତ୍ର ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ଭଳି ଏକ ଉଚ୍ଚତାସମ୍ପନ୍ନ ମହାନଦୀ ସେତୁ କାର୍ଯ୍ୟରେ ନିର୍ମାଣକାରୀ ସଂସ୍ଥାର ଢିଲା ସୁରକ୍ଷା ଓ ନିରାପତା କାରଣରୁ ଜଣେ ନୁହେଁ ତିନି ତିନି ଜଣ ଅଣଓଡିଆ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ଲଗାତାର ଦେଢମାସ ମଧ୍ୟରେ ଜଣେ ପରେ ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟଣା ଘଟିଥିଲେ ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଜିଲା ପ୍ରଶାସନ ଏବଂ ଶ୍ରମବିଭାଗ ସଂପୃକ୍ତ ଠିକାସଂସ୍ଥା ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଚୁପ୍ ବସିଛି। ଯାହାଦ୍ୱାରା ଶ୍ରମିକ ସୁରକ୍ଷା ଏବଂ ଶ୍ରମ ଆଈନ ଉପରେ ବଡପ୍ରଶ୍ନଚିହ୍ନ ଲଗାଇଛି ? କେଉଁ କାରଣରୁ ଏଭଳି ଘଟଣା ବାରମ୍ବାର ଘଟିଲା ତାକୁ ନେଇ ମଧ୍ୟ ବଡପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରମିକଙ୍କ ମୃତ୍ୟୂ ଘଟଣାର ଅନୁସନ୍ଧାନ ପାଇଁ ସମାଜ ଗ୍ରାଉଣ୍ଡ ଜିରୋରେ ପଂହଚି ଘଟଣାର ବାସ୍ତବତା ପରିଖିଛି।ଅନୁସନ୍ଧାନ ପରେ ଗୋଟିଏ ୫୦ଫୁଟ ଉ୍ଚ୍ଚତାସମ୍ପନ୍ନ ବ୍ରିଜ ନିର୍ମାଣ ସମୟରେ ଦୁର୍ଘଟଣା ଘଟିବା ଅନେକ ଆଶଙ୍କା ରହିଛି।ଦୁର୍ଘଟଣାକୁ ଏଡେଇବା ପାଇଁ ଯେଉଁସବୁ ସୁରକ୍ଷା ପ୍ରୋଟକଲ ଅନୁପାଳନ କରାଯିବା କଥା ତାହା ଠିକାସଂସ୍ଥା ପକ୍ଷରୁ କରାଯାଇନାହିଁ। ପ୍ରଥମତଃ ଏକ ଉଚ୍ଚତାସମ୍ପନ୍ନ ବ୍ରିଜ କାର୍ଯ୍ୟରେ ମନିଟରିଂ ପାଇଁ ୨/୩ଜଣ ସେଫ୍ଟି ମ୍ୟାନେଜର ନିଯୁକ୍ତ ବଦଳରେ ଜଣେମାତ୍ର ସେଫ୍ଟି ମ୍ୟାନେଜରକୁ ନିୟୋଜିତ କରାଯାଇଛି।ଯାହାଫଳରେ କାର୍ଯ୍ୟ ସମୟରେ ଶ୍ରମିକଙ୍କ ସୁରକ୍ଷା ମନିଟରିଂ କାର୍ଯ୍ୟରେ ବଡଧରଣର ବ୍ୟତିକ୍ରମ ଘଟିଛି। ଦିତ୍ୱୀୟତଃ ଠିକାସଂସ୍ଥାର ସମୟ ମିଆଦି ସରିଆସୁଥିବାରୁ ତରବରିଆଭାବେ ବିନା ସେଫ୍ଟି ନେଟରେ କାର୍ଯ୍ୟ କରାଯାଉଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।ତୃତୀୟତଃ ବ୍ରିଜ କାର୍ଯ୍ୟ ଅନୁସନ୍ଧାନ ପାଇଁ ପୂର୍ତବିଭାଗର ମୁଖ୍ୟ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀଯନ୍ତ୍ରୀଭଳି ଟେକ୍ନିକାଲ ବ୍ୟକ୍ତି ବିଶେଷଙ୍କ ବାରମ୍ବାର ପରିଦର୍ଶନ ପରେ ମଧ୍ୟ ଏଭଳି ତ୍ରୁଟି ନଜରକୁ ନ ଆସିବା ଆଉ ଏକ କାରଣ ବୋଲି କୁହାଯାଉଛି।ଶେଷରେ କାର୍ଯ୍ୟରତ ବାହାରରାଜ୍ୟ ନିର୍ମାଣ ଶ୍ରମିକଙ୍କ ସୁରକ୍ଷା ଏବଂ ନିରାପତା ଦିଗରେ ଶ୍ରମବିଭାଗ ଏବଂ ଜିଲ୍ଲାପ୍ରଶାସନ ଯତ୍ନବାନ ହେବା ବଦଳରେ ସେମାନଙ୍କ ସୁରକ୍ଷା ଦିଗରେ ଆଦୌଚିନ୍ତାପ୍ରକଟ ନକରିବା ଆନ୍ୟ ଏକ କାରଣ ବୋଲି ଜଣାପଡିଛି।

 

ବିଶେଷକରି ଆନ୍ତଃରାଜ୍ୟ ନିର୍ମାଣ ଶ୍ରମିକଙ୍କ ମାଇଗ୍ରାଟଂ ଲାଇସେନ୍ସ ,ଲେବର ଲାଇସେନ୍ସ ଓ ଏମଟି ଡବ୍ଲୁ ଲାଇସେନ୍ସ ନବୀକରଣ ବୈଧତା ଭଳି ଶ୍ରମିକ ନିରାପତା ଦିଗରେ ନିୟମିତ ଯାଂଚ କରାନଯିବା ଏଭଳି ଘଟଣାକୁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଇଛି। ପ୍ରଥମେ ଜାନୁୟାରୀ ୧୬ରେ ଜଣେ ଶ୍ରମିକ ମୃତ୍ୟୁ ପରେ ବି ଏସବୁ ଦିଗରେ ନାଁ ଶ୍ରମବିଭାଗ,ନାଁ ପୂର୍ତବିଭାଗ ନାଁ ଜିଲ୍ଲାପ୍ରଶାସନ ଅଧିକାରୀଙ୍କ ଗରୁତ୍ୱ ଦୃଷ୍ଟି ନପଡିବାରୁ ଏଭଳି ତିନିଜଣ ନିରୀହ ଅଣଓଡିଆ ଶ୍ରମିକଙ୍କ ମୃତ୍ୟୂ ଘଟିଥିବା ମଧ୍ୟ କୁହାଯାଉଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ସଂପୃକ୍ତ ଠିକାସଂସ୍ଥା ଏବଂ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବୀ ଉଠୁଛି।ସୂଚନା ଥାଉ କି ଖରଶଙ୍କୁଲେଇଠାରେ ଜିଲ୍ଲାର ଦ୍ୱିତୀୟ ବୃହତମ ମହାନଦୀ ସେତୁ ନିର୍ମାଣଧିନ ରହିଛି। ଗୁଜୁରାଟ ଅହମ୍ମଦାବାଦ ଅଞ୍ଚଳର ଏକ ବେସରକାରୀ ଠିକାସଂସ୍ଥା ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ ଗତ ୫ଡିସେମ୍ବର ୨୦୧୬ରେ ଆରମ୍ଭ କରାଯାଇଥିଲା। ନାବାର୍ଡ ସହାୟତାରେ ୧୬୮କୋଟି ୯୧ଲକ୍ଷ ଟଙ୍କାରେ ବ୍ୟୟବରାଦରେ ଏହି ସେତୁ ନିର୍ମାଣକାର୍ଯ୍ୟ ଚାଲିଛି। ୮୮ପିଲର ବିଶିଷ୍ଟ ଏହି ସେତୁର ଲମ୍ବ ୩କିଲୋମିଟର୪୨୦ମିଟର ରହିଛି। ସେତୁ କାର୍ଯ୍ୟରେ ତିନି ବର୍ଷ ମଧ୍ୟରେ ଅର୍ଥାତ୍ ଡିସେମ୍ବର ୨୦୧୯ ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ଶେଷକରିବାକୁ ଠିକସଂସ୍ଥାକୁ ସମୟ ମିଆଦି ଦିଆଯାଇଥିଲା। ମିଆଦି ବୃଦ୍ଧି ପରେ ବି ବର୍ତମାନ ସୁଦ୍ଧା ସେତୁ କାର୍ଯ୍ୟ ଅଧପନ୍ତରିଆ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Comments are closed.