ଶେଷ ହୋଇ ପାରୁନି ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଖରଶଙ୍କୁଲେଇଠାରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ସରିବାର ନାଁ ଧରୁନି । ତିନି ତିନି ଥର ମିଆଦି ବୃଦ୍ଧି ପରେ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଠିକାସଂସ୍ଥାର ଏଭଳି ମନମୁଖୀ କାର୍ଯ୍ୟ ଯୋଗୁଁ ସେତୁ ନିର୍ମାଣ କାର୍ଯ୍ୟ କେବେ ସରିବ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ ପ୍ରକାଶ ପାଇଛି ।

ପ୍ରକାଶ ଯେ ବହୁତ ଦିନର ଦାବୀ ପରେ ଉତ୍ତର ଓଡିଶା ସହିତ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାକୁ ସଂଯୋଗ ନିମନ୍ତେ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା। ସେତୁ ନିର୍ମାଣ କାର୍ଯ୍ୟ ପାଇଁ ବିଶ୍ୱ ବ୍ୟାଙ୍କ ନାର୍ବାଡ ସହାୟତରେ ୧୬୮କୋଟି ୯୧ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା। ଡିସେମ୍ବର ୨୦୧୬ରୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୨୦୧୯ ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ପାଇଁ ତିନିବର୍ଷ ମିଆଦି ରହିଥିଲା। ସେତୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଗୁଜରାଟ ଅହମ୍ମଦାବାଦର ରଣଜିତ ବିଲଡକନ ଲିମିଟେଡ ନାମକ ଠିକାସଂସ୍ଥା ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲା। ମାତ୍ର ରଣଜିତ ବିଲଡକନ ଏହି ପ୍ରକଳ୍ପ କାର୍ଯ୍ୟକୁ ନିଜେ କରିବା ବଦଳରେ ଅଜୟ ପ୍ରୋଟେକ ପ୍ରାଇଭେଟ ଲିମିଟେଡ ନାମକ ଏକ ଠିକାସଂସ୍ଥାକୁ ପେଟି ଠିକଦାର ଭାବେ ଏହି ପ୍ରକଳ୍ପ କାର୍ଯ୍ୟ ହସ୍ତାନ୍ତର କରିଥିଲେ। ପେଟି ଠିକାଦରା ଦ୍ୱାରା ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବ ସାଙ୍ଗକୁ ନିର୍ମାଣ ସମୟରେ ଶ୍ରମିକଙ୍କ ସୁରକ୍ଷା ଦିଗରେ ଠିକାସଂସ୍ଥା ଆଖି ବୁଜିଦେଇଥିବା ଭଳି ଗୁରୁତର ତ୍ରୁଟି ନଜରକୁ ଆସିଥିଲା। ଯାହାଫଳରେ ନିର୍ମାଣଧିନ ସେତୁୁରୁ ୩ଜଣ ଅଣଓଡିଆ ଶ୍ରମିକ ପଡି ପ୍ରାଣ ହରାଇଥିଲେ। ଏଭଳି ସ୍ଥିତିରେ ସେତୁ ନିର୍ମାଣକାରୀ ସଂସ୍ଥାକୁ ବହମୂଲ୍ୟ ଦେବାକୁ ପଡିଥିଲା । ଏହି ଘଟଣା ପରେ ସେତୁ କାର୍ଯ୍ୟ ତ୍ୱାରାନ୍ୱିତ ଏବଂ ଶେଷ ପାଇଁ ଗତ ସେପ୍ଟେମ୍ବର ମାସରେ ମାନ ନିର୍ଦ୍ଧାରଣ ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀନାରାୟଣ ନାଏକ ଏହାର ପରିଦର୍ଶନ କରି ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଠିକାସଂସ୍ଥାକୁ ତାଗିଦ୍ କରିଥିଲେ।

ସେତୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଠିକାସଂସ୍ଥାକୁ ୨୨ ମାସ ଅଧିକ ମିଆଦ ମିଳିଥିଲେ ମଧ୍ୟ ସେତୁ କାର୍ଯ୍ୟ ସରିବାରେ ନାଁ ଧରୁନାହିଁ। ବର୍ତ୍ତମାନ ସେତୁର ନିୟମିତ ନିର୍ମାଣ ଚାଲୁନଥିବା ବେଳେ ମାତ୍ର ତିନିବର୍ଷ ମିଆଦ ଶେଷ ହୋଇ ସାରିଥବାବେଳେ ଅଧିକ ୨୨ମାସ ମିଆଦ ବୃଦ୍ଧି ପରେ ମଧ୍ୟ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ।  ବର୍ତ୍ତମାନ ନିର୍ମାଣାଧିନ ସେତୁର ଆଠମଲ୍ଲିକ ପାଶ୍ୱର୍ର ଆପ୍ରୋଚ ରାସ୍ତା ସହିତ ଗ୍ୟାବିଅନ ଓାଲ, ହ୍ୟାଣ୍ଡରେଲ, ବ୍ରିଜ ଉପର ଫାଇନାଲ କୋଟ ଢଳେଇ ଭଳି ୨୨ କୋଟି ଟଙ୍କାର କାର୍ଯ୍ୟ ବାକି ରହିଛି। ଏପରିକି ସଂସ୍ଥାର ଅନେକ କର୍ମଚାରୀ, ଶ୍ରମିକଙ୍କ ଲକ୍ଷ ଲକ୍ଷ ଟଙ୍କା ଦରମା ବାକିଥିବାରୁ ବର୍ତ୍ତମାନ କାର୍ଯ୍ୟ ଏକପ୍ରକାର ବନ୍ଦ ହୋଇପଡିଛି । କାର୍ଯ୍ୟ ବିଳମ୍ବ ଯୋଗୁଁ ଠିକାସଂସ୍ଥା ବିରୁଦ୍ଧରେ ଏଲ.ଡି(ଲିକ୍ୟୁଇଡ ଡ୍ୟାମଜ ) ଭଳି ଫାଇନ ବିଭାଗ ପକ୍ଷରୁ ଚାର୍ଜ କରାଯାଇଥିବା ମଧ୍ୟ ସୂଚନା ମିଳିଛି । ଏଭଳି ସ୍ଥିତିରେ ଠିକାସଂସ୍ଥା ସେତୁ ନିର୍ମାଣ କାର୍ଯ୍ୟ କେବେ ଶେଷ କରୁଛି ତାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ଅନ୍ୟପଟେ ଜାନୁୟାରୀ ମାସରେ ପଂଚାୟତ ନିର୍ବାଚନ ପୂର୍ବରୁ ସେତୁ କାର୍ଯ୍ୟ ଲୋକାର୍ପିତ ହେବ ବୋଲି ଶୁଣିବାକୁ ମିଳୁଛି। ସେତୁକାର୍ଯ୍ୟ ଦିଗରେ ୫-ଟି ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଦାବୀ ଉଠୁଛି। ଏ ସର୍ମ୍ପକରେ ବୌଦ୍ଧ ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାନ୍ତନୁ ନାଏକଙ୍କୁ ପଚାରିବାରୁ କାର୍ଯ୍ୟ ଆଜିଠୁ ଆରମ୍ଭ ହୋଇଛି। ଡିସେମ୍ବର ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

Comments are closed.