ଡିସେମ୍ବର ୩୧ ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ ୧୪୪ଧାରା ଜାରି

ଗୁରୁଡିଝାଟିଆ: ଆଠଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି। ଆଠଗଡର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ପ୍ରଜ୍ଞା ପାରମିତା ପୃଷ୍ଟି ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ୧୪୪ଧାରା ଜାରି ପାଇଁ ନିର୍ଦେଶ ଜାରି କରିଛନ୍ତି। କେବଳ ପ୍ରଭୂଙ୍କ ନୀତିକାନ୍ତି କରୁଥିବା ଧବଳେଶ୍ୱର ପୂଜକଙ୍କୁ ପୀଠ ପରିସରକୁ ଯିବା ପାଇଁ ଅନୁମତି ରହିଛି। ଡିସେମ୍ବର ୩୧ ସକାଳ ୬ଟାରୁ ଜାନୁଆରୀ ୨ ରାତି ୧୧ଟା ପର୍ଯ୍ୟନ୍ତ ଯେଭଳି ଭାବରେ ଝୁଲାପୋଲ, ଧବଳେଶ୍ୱର ପୀଠ, ଧବଳେଶ୍ୱର ସାଇକେଲ ଷ୍ଟାଣ୍ଡ ନିକଟସ୍ଥ ସମ୍ମୁଖ ଗେଟ ଓ ଧବଳେଶ୍ୱର ପୁଲିସ ସହାୟକ କେନ୍ଦ୍ର ଅଞ୍ଚଳରେ ୧୪୪ଧାରା ଜାରି କରାଯିବ।

 

ଯେଭଳି କୌଣସି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ନଯାଇପାରିବେ ସେଥିପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆଇନ ଶୃଙ୍ଖଳା ସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ମାଜିଷ୍ଟ୍ରେଟ ଶ୍ରୀମତୀ ପୃଷ୍ଟି ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରକାଶ ଯୋଗ୍ୟ ରାଜ୍ୟ ସରକାରଙ୍କ ଏସଆରସିଙ୍କ ନିର୍ଦ୍ଦେଶ ଅନୁସାରେ ଧବଳେଶ୍ୱରରେ ମଧ୍ୟ ନୂଆବର୍ଷ ଏବଂ ତା’ର ପରଦିନ ରବିବାର ପଡୁଥିବାରୁ ପୀଠରେ ଅହେତୁକ ଶ୍ରଦ୍ଧାଳୁଙ୍କ ଭିଡ ହେବାର ସମ୍ଭାବନା ରହିଛି। ଗହଳି ହେଲେ ନୂତନ ପ୍ରଜାତିର କରୋନା ଓମିକ୍ରନ ବୃଦ୍ଧି ହେବାର ଆଶଙ୍କା ରହିଛି। ସେ ଦୃଷ୍ଟିରୁ ଆସନ୍ତାକାଲି ଠାରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ପୀଠ ଓ ଏହାର ସଂଲଗ୍ନ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି।

Comments are closed.