ବଦଳିବ ଧବଳେଶ୍ୱରଙ୍କ ରୂପରେଖ : ପୀଠର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟୟ ହେବ ୪୦ କୋଟି

ଗୁରୁଡିଝାଟିଆ :  ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ମହାନଦୀ ମଧ୍ୟସ୍ଥ ନୈସର୍ଗୀକ ପ୍ରାକୃତିକ ଶୋଭାର ଭଣ୍ଡାର ଏହି ପୀଠରେ ଆଗନ୍ତୁକ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ । ପୀଠକୁ ମହାନଦୀର ବନ୍ୟାଦାଉରୁ ସୁରକ୍ଷା ପାଇଁ ସୁଦୃଢ ପଥର ପ୍ୟାକିଂ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୪୦ କୋଟି ଟଙ୍କା ବ୍ୟୟ ହେବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ କୁମାର ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୀଠର ଚାରିପାଖରେ ସୁଦୃଢ ପଥର ପ୍ୟାକିଂ ସହ ରିଙ୍ଗ ରୋଡ ମଧ୍ୟ ନିର୍ମାଣ କରାଯିବ ଓ ପୀଠର ମଧ୍ୟବର୍ତ୍ତୀ ଖୋଲା ସ୍ଥାନମାନଙ୍କରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ତ୍ରିପାଠୀ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟ ଖୁବଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏକାଦଶ ଶତାବ୍ଦୀରୁ ନିର୍ମିତ ଏହି ମନ୍ଦିରଟି ଭାସ୍କର୍ଯ୍ୟକଳା ଓ ଓଡିଆ କାରୀଗରଙ୍କ ନିପୁଣତାକୁ ଦର୍ଶାଇଥାଏ । ଭୌଗଳିକ ଦୃଷ୍ଟିକୋଣରୁ ମହାନଦୀର ମଧ୍ୟଭାଗରେ ମନ୍ଦିରଟି ଅବସ୍ଥିତି ଐତିହାସିକ ଦୃଷ୍ଟିକୋଣରୁ ମଧ୍ୟ ଏହାର ତାତ୍ପର୍ଯ୍ୟ ମହତ୍ୱପୂର୍ଣ୍ଣ ଅଟେ। ଏହାର ଶାନ୍ତ, ସ୍ନିଗ୍ଧ ଓ ମନୋରମ ପରିବେଶ କବି, ଭାବୁକମାନଙ୍କୁ ସଦା ଆକୃଷ୍ଟ କରିଥାଏ ଯାହା ଇତିହାସରୁ ବେଶ ବାରି ହୋଇପଡୁଛି । ଏଠାରେ ପଞ୍ଚକ ଓ ବଡଓଷା ସମୟରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ସମାଗମ ହୋଇଥାଏ। ଏହା ସହିତ ମହା ଶିବ ରାତ୍ରୀ, ମକର ଆଦି ପର୍ବ ପାଳନ ହୋଇଥାଏ। ବର୍ଷର ବିଭିନ୍ନ ଦିନମାନଙ୍କରେ ଝୁଲାପୋଲ ଯୋଗୁଁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥାନ୍ତି। ମହାନଦୀରେ ସିଡିଏରୁ ନୂଆପାଟଣାକୁ ମଧୁସେତୁ ହେବା ପରେ ଉଭୟ ନଗରୀ କଟକ-ଭୁବନେଶ୍ୱର ଜନସାଧାରଣଙ୍କ ପାଇଁ ଧବଳେଶ୍ୱରର ଦୂରତା ମାତ୍ର ଅଧଘଣ୍ଟାର ସମୟ। ପୀଠର କଳେବର ଓ ଶ୍ରୀବୃଦ୍ଧି ହେଲେ ଦେଶର ବିଭିନ୍ନ ପ୍ରାନ୍ତରୁ ଓଡିଶା ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ଏହାର ପ୍ରାକୃତିକ ଶୋଭାରାଜିର ଭରପୂର ଉପଭୋଗ କରିପାରିବେ। ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଧବଳେଶ୍ୱର ପୀଠର ଉନ୍ନତି ପାଇଁ ମହନୀୟ ପଦକ୍ଷେପ ନେଇଥିବାରୁ ସ୍ଥାନୀୟ ବିଧାୟକ ତଥା ଖାଦ୍ୟଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅତ୍ୟନ୍ତ ଆନନ୍ଦିତ ହେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାର ବିକାଶ ସ୍ଥାନୀୟ ଜନସାଧାରଣଙ୍କ ଅର୍ଥନୈତିକ ସମୃଦ୍ଧିରେ ପରିବର୍ତ୍ତନ ଆଣିପାରିବ। ପ୍ରକାଶଯୋଗ୍ୟ, ରାଜ୍ୟ ସରକାର ବିଭିନ୍ନ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତି ପାଇଁ ବ୍ୟାପକ ଅର୍ଥ ବ୍ୟୟ କରବା ସହିତ ପରିବର୍ତ୍ତନର ଧାରା ଆଣିଛନ୍ତି । ଏହି ଧାରାରେ ଶୈବପୀଠ ଧବଳେଶ୍ୱରର କ’ଣ ପାଇଁ ସଂଶ୍ଲିଷ୍ଟ ହେଉନାହିଁ ସେଥି ନିମନ୍ତେ ‘ସମାଜ’ରେ ଏକାଧିକବାର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶେଷରେ ରାଜ୍ୟ ସରକାର ଶୈବକ୍ଷେତ୍ର ଧବଳେଶ୍ୱରର ଉନ୍ନତି ପାଇଁ ଆଗଭର ହୋଇଥିବାରୁ ପର୍ଯ୍ୟଟନ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିପାରିବ। ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପର୍ଯ୍ୟଟନ, ଜଳସଂପଦ ବିଭାଗର ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ସ୍ଥପତି ବିଶେଷଜ୍ଞ, କଟକ ଜିଲ୍ଲାପାଳ ଓ ଆଠଗଡ ଉପଜିଲ୍ଲାପାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.