କାର୍ଯ୍ୟ କରିବ ସ୍ବତନ୍ତ୍ର ଡ୍ରଗ୍ସ ୟୁନିଟ୍‌ – ଡିଜି

ଭୁବନେଶ୍ବର: ରାଜ୍ୟରେ ନିଶା କାରବାର ହୁ ହୁ ହୋଇ ବଢୁଛି। ଗତ କିଛି ବର୍ଷରେ ରାଜ୍ୟରେ ନିଶା କାରବାର ଚିନ୍ତା ବଢ଼ାଇ ଦେଇଛି। ରାଜ୍ୟରେ ଏହି ନିଶା କାରବାର ବିରୋଧରେ ଓଡ଼ିଶା ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। ଡ୍ରଗ୍ସ କାରବାର ଦମନ କରିବାରେ ସ୍ବତନ୍ତ୍ର କାର୍ଯ୍ୟବଳ(ଏସ୍‌ଟିଏଫ୍‌) ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଅଭୟ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ମହାନିର୍ଦେଶକ କହିଥିଲେ, ଖୁବଶୀଘ୍ର ସ୍ବତନ୍ତ୍ର ଆହୁରି ସୁଦୃଢ ଏବଂ ଶକ୍ତିଶାଳୀ କରାଯିବ। ଏଥିନିମନ୍ତେ ଓଡ଼ିଶା ପୁଲିସ ତରଫରୁ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା। ସେହି ଅନୁଯାୟୀ, ସୁଦୃଢ କରିବାକୁ ରାଜ୍ୟ ସରକାର ଗୋଟିଏ ପୁଲିସ ଅଧୀକ୍ଷକ ଓ ୩ଟି ଉପପୁଲିସ ଅଧୀକ୍ଷକ ପଦବି ସହ ୨୭ଟି ନୂଆ ପଦବି ମଞ୍ଜୁର କରିଛନ୍ତି। ଏହାବ୍ୟତୀତ ଏକ ସ୍ୱତନ୍ତ୍ର ଡ୍ରଗ୍ସ ୟୁନିଟ୍ ପ୍ରତିଷ୍ଠା କରାଯିବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଆଗାମୀ ଦିନରେ ଏହି ୟୁନିଟ୍‌ ନିଶା କାରବାରକୁ ରୋକିବାକୁ ଦୃଢ ପଦକ୍ଷେପ ନେବ ବୋଲି ସେ କହିଥିଲେ ।

ସ୍ବତନ୍ତ୍ର କାର୍ଯ୍ୟବଳର ନୂତନ ପଦବି ସୃଷ୍ଟି, ସ୍ୱତନ୍ତ୍ର ଡ୍ରଗ୍ସ ୟୁନିଟ୍ ସ୍ଥାପନକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାରଙ୍କୁ ଅଭୟ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ନିଶା କାରବାର ତଥା ଅନ୍ୟାନ୍ୟ ଅପରାଧକୁ ଦମନ କରିବାରେ ସ୍ୱତନ୍ତ୍ର କାର୍ଯ୍ୟବଳ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ମହାନିର୍ଦେଶକ କହିଛନ୍ତି। ଓଡ଼ିଶା ପୁଲିସ ଗତ ୫ ବର୍ଷ ହେବ ନିଶା କାରବାର ବିରୋଧରେ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରି ରାଜ୍ୟରୁ ୫୦ କୋଟି ଟଙ୍କାରୁ ଅଧିକ ବ୍ରାଉନ୍‌ସୁଗର ଜବତ କରିଛି। ଦେଢ଼ ବର୍ଷ ଭିତରେ ୧୦୩ ନିଶା ବେପାରୀଙ୍କୁ କେବଳ ସ୍ବତନ୍ତ୍ର କାର୍ଯ୍ୟବଳ ଗିରଫ କରିଛି। ସେହିପରି ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି। ୨୦୧୭ରେ ୩୦୪ କୁଇଣ୍ଟାଲ, ୨୦୧୮ରେ ୫୨୩ କୁଇଣ୍ଟାଲ, ୨୦୧୯ରେ ୬୧୮ କୁଇଣ୍ଟାଲ ଏବଂ ୨୦୨୦ରେ ସର୍ବାଧିକ ୧୫୪୯ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ରାଜ୍ୟରେ ଏବେ ୨୦୦୦ରୁ ଅଧିକ ନିଶା ବେପାରୀ କାରାଗାରରେ ଅଛନ୍ତି। ତଥାପି ନିଶା କାରାବାର ବଢ଼ି ଚାଲିଥିବାରୁ ଏହା ଚିନ୍ତାଜନକ ହୋଇପଡିଛି।

Comments are closed.