ଉପରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଆସନ୍ତା ଅପ୍ରେଲ୍‍ ୨ ଓ ୩ ତାରିଖରେ ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି କଟକସ୍ଥିତ ଶାରଳା ଭବନ ଓ ବାଣୀବିହାରଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଜି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।ରାଜ୍ୟ ପୋଲିସ୍‍ ମୁଖ୍ୟ କାର୍ଯ୍ୟାଳୟରୁ ଭିଡିଓ କନ୍‍ଫରେନ୍ସ ଜରିଆରେ ପୁଲିସ୍‍ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ପୁଲିସ୍‍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତି ଓ ଆୟୋଜନ ସଂକ୍ରାନ୍ତରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏହା ସହ ଭୁବନେଶ୍ୱର ବିମାନବନ୍ଦର ଏବଂ ରାଜଭବନର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ମଧ୍ୟ ଡିଜିପି ସମୀକ୍ଷା କରିଥିଲେ। ଉପରାଷ୍ଟ୍ରପତିଙ୍କ ପ୍ରତିଟି ସ୍ଥାନକୁ ଗସ୍ତ କାର୍ଯ୍ୟକ୍ରମ ସମୟରେ କୋଭିଡ୍‍ ଗାଇଡ୍‍ଲାଇନ୍‍କୁ ସଠିକ୍‍ ଭାବେ ଅନୁପାଳନ କରାଯିବ ଏବଂ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଡିଜିପି ଶ୍ରୀ ଅଭୟ ପୁଲିସ୍‍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ୩୦ ପ୍ଲାଟୁନ ପୁଲିସ୍‍ ଫୋର୍ସ ଏବଂ ୨୦ ଜଣ ବରିଷ୍ଠ ପୋଲିସ୍‍ ଅଧିକାରୀ ନିୟୋଜିତ ରହିବେ। ଆଜିର ସମୀକ୍ଷା ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍‍ ଏବଂ ଶୃଙ୍ଖଳା), ଗୁଇନ୍ଦା ନିର୍ଦ୍ଦେଶକ, କଟକ-ଭୁବନେଶ୍ୱର ପୁଲିସ୍‍ କମିଶନର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.