ସବୁଥାନାରେ ରହିବ ଅଭ୍ୟର୍ଥନା କକ୍ଷ; ମାର୍ଗଦର୍ଶିକା ଜାରି କଲେ ଡ଼ିଜିପି ଅଭୟ

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଲୋକଙ୍କ ଅଭିଯୋଗ ବୁଝିବା ପାଇଁ ରାଜ୍ୟର ସମସ୍ତ ଥାନା ନିମନ୍ତେ ପୁଲିସ ମହାନିର୍ଦେଶକ(ଡିଜିପି) ଅଭୟ ମାର୍ଗଦର୍ଶିକା ଜାରି କରିଛନ୍ତି। ଥାନାଗୁଡ଼ିକରେ କାର୍ଯ୍ୟରତ ପୁଲିସ କର୍ମଚାରୀ ଲୋକଙ୍କ ଅଭିଯୋଗ କିଭଳି ବୁଝିବେ ତାହା ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।
ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲା ପୁଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ୍‍ ରୁମ୍‍ ରହିବ। ଜିଲା ପୁଲିସ କଣ୍ଟ୍ରୋଲ୍‍ ରୁମ୍‍ ନମ୍ବର ଟ୍ୱିଟର୍‍ ଏବଂ ଫେସ୍‍ବୁକ୍‍ରେ ଦିଆଯିବ। ରାଜ୍ୟର ସମସ୍ତ ଥାନା ସେମାନଙ୍କ ଲ୍ୟାଣ୍ଡଲାଇନ୍‍ ନମ୍ବର ସୋସିଆଲ୍‍ ମିଡ଼ିଆରେ ଦେବାକୁ ପଡ଼ିବ। ଥାନାକୁ ଫୋନ୍‍ ନମ୍ବର ଆସୁଥିବା ଅଭିଯୋଗର ତଦାରଖ ଏସ୍‍ପି ଓ ଡିଏସ୍‍ପି କରିବେ। ଲୋକଙ୍କ ଆପତ୍ତି ଓ ଅଭିଯୋଗ ଶୁଣିବାକୁ ସବୁ ଥାନାରେ ଅଭ୍ୟର୍ଥନା କକ୍ଷ ରହିବ। ଏହା ଥାନା ମୁଖ୍ୟ କୋଠାଠାରୁ ଛାଡ଼ି କି ରହିବ, ଅଲଗା ଘର ନ ଥିଲେ ଟେଣ୍ଟ ଲଗାଯିବ। ଅଭ୍ୟର୍ଥନା କକ୍ଷ ଅଞ୍ଚଳ ନିୟମିତ ବିଶୋଧନ କରାଯିବ। ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ। ଡିଆଇଜି, ଏସ୍‍ପି ଓ ଡିଏସ୍‍ପିଙ୍କ ଅଫିସ୍‍ ଫୋନ୍‍ ନମ୍ବର ମୁଖ୍ୟ ଫାଟକରେ ଲଗାଯିବ। ମୁଖ୍ୟଫାଟକରେ ଅଭିଯୋଗ ବାକ୍ସ ରଖାଯିବ ଏବଂ ସେଥିରେ ଲୋକେ ଅଭିଯୋଗ ପକାଇବେ ବୋଲି ମାର୍ଗ ଦର୍ଶିକାରେ ଉଲ୍ଲେଖ କରାଯାଇଛି।

Comments are closed.