ପୁଲିସ-ଆଇନଜୀବୀ ବିବାଦ ; ଡିଜିପି-ବାର୍‌ ପ୍ରତିନିଧି ଆଲୋଚନା ସକାରାତ୍ମକ

0

କଟକ : ପୁଲିସ-ଆଇନଜୀବୀ ବିବାଦକୁ ଇତିମଧ୍ୟରେ ଅଢେଇ ମାସ ବିତିଛି। ଏହାକୁ ନେଇ ରାଜ୍ୟ ଆଇନ୍‍ ବ୍ୟବସ୍ଥାରେ ଲାଗି ରହିଛି ଅଚଳାବସ୍ଥା। ବିବାଦର ସମାଧାନ ନିମନ୍ତେ ରବିବାର ସନ୍ଧ୍ୟାରେ ପୁଲିସ ମୁଖ୍ୟାଳୟସ୍ଥିତ ଆଇପିଏସ୍‍ ମେସ୍‍ରେ ଡିଜିପି. ଆର.ପି ଶର୍ମାଙ୍କ ତତ୍ତ୍ବାବଧାନରେ ବାର୍‍ ଆସୋସିଏସନ କର୍ମକର୍ତ୍ତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଦୀର୍ଘ ୩ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ବୈଠକରେ ବାର୍‌ ଆସୋସିଏସନ୍‌ ପକ୍ଷରୁ ଡିଜିପିଙ୍କ ଠାରେ ବିଭିନ୍ନ ଦାବି ରଖାଯାଇ ତାହା ଉପରେ ଆଲୋଚନା କରାଯାଇଥିବା ଜଣାପଡିଛି। ତେବେ ଆଲୋଚନା ସକାରାତ୍ମକ ରହିଥିବା ଉଭୟ ପକ୍ଷରୁ କୁହାଯାଇଛି। ତେବେ ସୋମବାର ହାଇକୋର୍ଟ ବାର ଆସୋସିଏସନ୍‍ର ସାଧାରଣ ପରିଷଦ ବୈଠକ ବସିବ। ଆଜି ହୋଇଥିବା ଆଲୋଚନା ସଂପର୍କରେ ସେଠାରେ ମତାମତ ରଖାଯିବା ପରେ ଏନେଇ ଯାହାକିଛି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବାର ଆସୋସିଏସନ୍‍ ପକ୍ଷରୁ ସୂଚନା ଦିଆଯାଇଛି।
ଅଗଷ୍ଟ ୨୭ ତାରିଖରୁ ଲାଗି ରହିଥିବା ପୁଲିସ-ଆଇନଜୀବୀ ବିବାଦର ସମାଧାନ ନିମନ୍ତେ ଡିଜିପି ଡ. ଶର୍ମା ହାଇକୋର୍ଟ ବାର୍‍
ଆସୋସିଏସନ୍‍ ସହ ଅାଲୋଚନା ନିମନ୍ତେ ଗତ ଗୁରୁବାର ପତ୍ର ଲେଖି ପ୍ରସ୍ତାବ ଦେଇଥିଲେ। ଡିଜିପିଙ୍କ ନିମନ୍ତ୍ରଣକ୍ରମେ ବାର ଆସୋସିଏସନ୍‍ ସଭାପତି, ସମ୍ପାଦକଙ୍କ ସହ ବିଭିନ୍ନ ବାର୍‍ର ୨୫ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ଓ କନଷ୍ଟେବଳ, ସିପାହୀ ହାବିଲଦାର ମହାସଂଘର ପ୍ରାୟ ୬ ଜଣ କର୍ମକର୍ତ୍ତା ଆଲୋଚନାରେ ସାମିଲ ହୋଇଥିଲେ। ସନ୍ଧ୍ୟା ୫.୧୫ରୁ ୮.୧୫ ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ଧରି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବାର ଆସୋସିଏସନ୍‍ ପକ୍ଷରୁ ରହିଥିବା ବିଭିନ୍ନ ପ୍ରସ୍ତାବ, ଦାବି ଓ ଏହାର ସମାଧାନ ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଉଭୟ ସମନ୍ୱୟ ରକ୍ଷା କରିବା ସହ କିଭଳି ସମସ୍ୟାର ସମାଧାନ ହେବ ସେଥିନେଇ ମତପ୍ରକାଶ କରିଥିଲେ। ଏହି ବୈଠକ ସକାରାତ୍ମକ ରହିଥିବା ଡିଜିପି ଡ. ଶର୍ମା କହିବା ସହ ବୃହତ୍ତର ଜନତାଙ୍କ ସ୍ବାର୍ଥ ଦୃଷ୍ଟିରୁ ଉଭୟପକ୍ଷ ଏହାର ତୁରନ୍ତ ସମାଧାନ କରିବା ନେଇ ସେ ଆଶାବାଦୀ ଥିବା ଏବଂ ଏଥିପାଇଁ ନିବେଦନ ମଧ୍ୟ କରିଛନ୍ତି।
ଅନ୍ୟପକ୍ଷରେ ଆଲୋଚନା ସୌହାର୍ଦ୍ଦ୍ୟ ପୂର୍ଣ୍ଣ ହୋଇଛି; ସମସ୍ୟାର ସମାଧାନ ତୁରନ୍ତ କରାଯିବ। ସୋମବାର ହେବାକୁ ଥିବା ବାର୍‍ ଆସୋସିଏସନ୍‍ର ସାଧାରଣ ପରିଷଦ ବୈଠକରେ ପ୍ରସ୍ତାବ ଆଗତ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବୋଲି ବାର୍‍ ଆସୋସିଏସନ୍‍ ସଂଘ ସଭାପତି ଶ୍ରୀକାନ୍ତ ନାୟକ କହିଛନ୍ତି। ସେହିଭଳି କନଷ୍ଟବଳ-ସିପାହୀ-ହାବିଳଦାର ମହାସଙ୍ଘ ସଭାପତି ସନ୍ତୋଷ ଶତପଥୀ ମଧ୍ୟ ବିବାଦର ଆପୋସ ସମାଧାନ ହେବାନେଇ ଆଶାବ୍ୟକ୍ତ କରିଛନ୍ତି। ତେବେ ଉଭୟ ପକ୍ଷ ସକାରାତ୍ମକ ଆଲୋଚନା ହୋଇଥିବା ସଂକ୍ରାନ୍ତରେ ମତ ଦେବା ପରେ ସୋମବାର କୌଣସି ସ୍ପଷ୍ଟ ନିର୍ଯ୍ୟାସ ବାହାରିବାନେଇ ଅନୁମାନ କରାଯାଉଛି। ଏହି ବୈଠକରେ ପୁଲିସ କମିସନର ସତ୍ୟଜିତ୍‍ ମହାନ୍ତି, ଆଇଜି ମୁଖ୍ୟାଳୟ ଅସିତ୍‍ ପାଣିଗ୍ରାହୀ, ଡିସିପି ଅଖିଳେଶ୍ୱର ସିଂହଙ୍କ ସମେତ ବାର୍ ସଭାପତି ଶ୍ରୀ ନାୟକ, ସଂପାଦକ ସତ୍ୟବ୍ରତ ମହାନ୍ତିଙ୍କ ସମେତ ବିଭିନ୍ନ ବାର୍‌ର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply