ଆଦିବାସୀଙ୍କ ସାମାଜିକ ଜୀବନରେ ପ୍ରଗତି ଘଟିଛି: ଡିଜି

ବିଶ୍ୱାସଭାଜନ ହୋଇପାରିଛି ପୁଲିସ, ବିଏସଏଫ

ମାଲକାନଗିରି : ଓଡ଼ିଶାର ବିଭିନ୍ନ ମାଓ ପ୍ରବଣ ଜିଲାରେ ପୁଲିସ ମୁତୟନ, ଏସ୍‍ଓଜି ଡିବିଏଫ ବାହିନୀର ମାଓ ଦମନ ନୀତି ଓ ବିଏସ୍‍ଏଫର ସହଯୋଗରେ ମାଓବାଦୀ ଏକ ପ୍ରକାର ମୂଳପୋଛ ହୋଇଛନ୍ତି। ମାଲକାନଗିରି ଜିଲାରେ ଗୁରୁପ୍ର୍ରିୟା ସେତୁ, ଓଡ଼ିଶା ପୁଲିସ ଓ ବିଏସ୍‍ଏଫ୍‍ର ଉପସ୍ଥିିତି ପାଇଁ ଆଦିବାସୀଙ୍କ ସାମାଜିକ ଜୀବନରେ ପ୍ରଗତି ଘଟିଛି। ବିଗତ ୧୦ ବର୍ଷ ମଧ୍ୟରେ ଜିଲାରେ ବହୁ ଉନ୍ନତିମୂଳକ କାର୍ଯ୍ୟ ସଫଳ ହୋଇପାରିଛି। ସେଠାକାର ଆଦିବାସୀ ସମାଜିକ ସଙ୍ଗଠନ ମାଓବାଦୀଙ୍କ ବିରୋଧରେ ଏବେ ଖୋଲାଖୋଲି ଭାବେ ସ୍ୱର ଉତ୍ତୋଳନ କରିବାକୁ ଆଗେଇ ଆସିଛନ୍ତି ବୋଲି ପୁଲିସ ମହାନିର୍ଦେଶ (ଡିଜି) ଶ୍ରୀ ଅଭୟ ଏକ ପ୍ରେସ୍‍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ମାଓ ଅଧ୍ୟୁସିତ ଜିଲାରେ ମାଓ ଦମନ, ଅର୍ଥନୈତିକ ଉନ୍ନତି, ପୁଲିସ ଷ୍ଟେସନ, ଫାଣ୍ଡି, ମୋବାଇଲ ଟାୱାର ପୁନଃ ଗଠନ ହୋଇପାରିଛି। ଗୁରୁପ୍ରିୟା ସେତୁ ଲୋକାର୍ପଣ ପରେ ବିଚ୍ଛିନ୍ନାଞ୍ଚଳର କୁନ୍ତଳପଦର, ଜଡାମ୍ବ, ହନ୍ତାଳଗୁଡା, ଜାନବାଇ, ବଡପଡା, ପାପରମେଟଲାଠାରେ ପୁଲିସ ଥାନା ଓ ବିଏସ୍‍ଏଫ୍‍ କ୍ୟାମ୍ପ ପ୍ରତିଷ୍ଠା ପରେ ମାଓବାଦୀ ପଛଘୁଞ୍ଚା ଦେଇଛନ୍ତି। ପୁଲିସ ଓ ବିଏସ୍‍ଏଫ୍‍ ସ୍ଥାନୀୟ ଅଞ୍ଚଳରେ ଜନସମ୍ପର୍କ ଶିବିର ଆୟୋଜନ କରିଛି। ଆଦିବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। ଶତାଧିକ କିଲୋମିଟର ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇପାରିଛି। ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ସମ୍ଭବ ହୋଇପାରିଛି। ଏପରିକି ବିଚ୍ଛିନ୍ନାଞ୍ଚଳରେ ମୋବାଇଲ ସେବା, ବିଜୁଳି ଆଲୋକ, ଜଳସେଚନ, ପରିବହନ ବିନା ଦ୍ୱିଧାରେ ତରାନ୍ୱିତ ହୋଇପାରିଛି। ବିଚ୍ଛିନ୍ନାଞ୍ଚଳରେ ବିଦ୍ୟାଳୟ କମ୍ପେ୍ଲକ୍ସଠାରୁ ଆରମ୍ଭ କରି ପଞ୍ଚାୟତ ପକ୍ଷରୁ ମାର୍କେଟ କମ୍ପେ୍ଲକ୍ସ ମଧ୍ୟ ଗଢି ଉଠିଛି। ଏହି ଅଞ୍ଚଳର ଅଧିକରୁ ଅଧିକ ପିଲା ପାଠ ପଢିବା ପାଇଁ ଦ୍ୱାର ଖୋଲା ହୋଇଛି। ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳକୁ ଗୁରୁତ୍ୱ ଦେଇ ଆଦିବାସୀଙ୍କ ଜୀବିକ ନିର୍ବାହ ପାଇଁ ବାଲିମେଳା ଜଳଭଣ୍ଡାରରେ ଲକ୍ଷାଧିକ ମାଛ ଜାଆଁଳ ଛାଡିଥିଲେ। ତାଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ହଳଦୀ, ମାଣ୍ଡିଆ, ମକା ଚାଷ, ବିଭିନ୍ନ ଡାଲି ଜାତୀୟ ଫସଲ କରିବାକୁ ସରକାର ପ୍ରୋତ୍ସାହିତ କରିଛନ୍ତି। ବିଭିନ୍ନ ମଣ୍ଡି ଖୋଲି ସୁଲଭ ମୂଲ୍ୟରେ ଆଦିବାସୀଙ୍କ ଅମଳକୁ ଖୋଲା ବଜାରରେ ପହଞ୍ଚାଇ ପାରିଛନ୍ତି। ଉକ୍ତ ଅଞ୍ଚଳର ଜଡାମ୍ବ, ହନ୍ତାଳଗୁଡା, ପାପରମେଟଲା, ଜାନବାଇ ବଡପଡାଠାରେ ମୋବାଇଲ ଟାୱାର ପ୍ରତିଷ୍ଠା ହୋଇଛି। ଜିଲା ତଥା ଜିଲା ବାହାରୁ ଶତାଧିକ ବ୍ୟବସାୟୀ ସ୍ୱାଭିମାନ ଅଞ୍ଚଳକୁ ଯାଇ ବେପାରବଣିଜ କରୁଛନ୍ତି। ଆଦିବିାସୀ ତାଙ୍କର ବିଭିନ୍ନ ସାମଗ୍ରୀ ଆଣି ଜିଲାର ଖୋଲା ବଜାରରେ ଠିକ ମୂଲ୍ୟ ପାଇ ପାରୁଛନ୍ତି। ଆଦିବାସୀ ନିଜର ସମସ୍ତ ସରକାରୀ ସୁବିଧା ସୁଯୋଗର ଲାଭ ଉଠାଉଛନ୍ତି। ବିକାଶକୁ ଦେଖିବା ପରେ ଆଦିବାସୀ ମାଓବାଦୀଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଅମଙ୍ଗ ହେଉଛନ୍ତି ବୋଲି ଶ୍ରୀ ଅଭୟ ପ୍ରକାଶ କରିଛନ୍ତି। ଦକ୍ଷିଣ ପଶ୍ଚମିମାଞ୍ଚଳ ଡିଆଇଜ କେ. ସଫିମ୍‍ ଅହମଦ, ମାଲକାନଗିରି ଏସପି ଋିସିକେଶ ଡି ଖିଲାରି ଗତ ଏକ ବର୍ଷ ମଧ୍ୟରେ ଉକ୍ତ ଅଞ୍ଚଳରେ ମାଓ ଦମନ ଓ ବିକାଶ ପ୍ରକ୍ରିୟାରେ ଯେଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ସହ ମାଓ ମୁକ୍ତ କରିବା ପାଇଁ ଅହରହ ପ୍ରଚେଷ୍ଟା କରିଛନ୍ତି। ଏହି ଅଞ୍ଚଳରେ ଶାନ୍ତି ସ୍ଥାପନ ସହ ବିକାଶ ପ୍ରକ୍ରିୟାରେ ଜିଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରି ସ୍ୱାଭିମାନ ଅଞ୍ଚଳକୁ ସରକାରୀ ଯୋଜନା ପହଞ୍ଚାଇବା ଜାରି ରହିବ। ସର୍ବାଙ୍ଗୀନ ଉନ୍ନତି ସହ ଲୋକଙ୍କ ସୁରକ୍ଷା ଦିଆଯିବ ବୋଲି ଅଭୟ କହିଛନ୍ତି।

Comments are closed.