ଗୁଣ୍ଡିଚା ମନ୍ଦିର ଅଭିମୁଖେ ଶ୍ରଦ୍ଧାଳୁ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଝଲସୁଛି ଶ୍ରୀଜୀଉଙ୍କ କଳାଶ୍ରୀମୁଖ। ସୋମବାର ଆଷାଢ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି କରାଯାଇଛି। ବିଭିନ୍ନ ପ୍ରାକୃତିକ ରଙ୍ଗରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ​ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ବନକଲାଗି କରିଛନ୍ତି ଦତ୍ତମହାପାତ୍ର ସେବକ। ଶ୍ରୀମୁଖ ସିଂହାର ପରେ ଝଲସି ଉଠୁଛି ମହାପ୍ରଭୁଙ୍କ ଶ୍ରୀମୁଖ। ପ୍ରଭୁଙ୍କ ଦର୍ଶନ କରି ଆତ୍ମହରା ହେଉଛନ୍ତି ଶ୍ରଦ୍ଧାଳୁ ଭକ୍ତ। ପରମ୍ପରା ଅନୁଯାୟୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦ୍ବିତୀୟ ଭୋଗମଣ୍ଡପ ଶେଷହେବା ପରେ ମଇଲମ ଏବଂ ପହୁଡ ଆଳତି କରାଯାଇଥିଲା। ଭିତରୁ ଦୁଆର ବନ୍ଦ କରାଯାଇଥିଲା। ବନକ ପେଡିଧରି ତିନିଜଣ ଦତ୍ତମହାପାତ୍ର ସେବକ ଭିତରେ ପ୍ରବେଶ କରିଥିଲେ। ଆଡ଼ପ ମଣ୍ଡପ ଉପରକୁ ଯାଇ ସେମାନେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିଥିଲେ। ସେଥିରେ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଁଥ ଅଠା, କସ୍ତୁରୀ ଏବଂ କଳା ବ୍ୟବହାର କରାଯାଇଥିଲା। ବନକଲାଗି ସମୟରେ ପାଳିଆ ଖୁଣ୍ଟିଆ, ଗରାବଡୁ, ପୁଷ୍ପାଳକ, ଚାଙ୍ଗଡା ମେକାପ, ମୁଦୁଲି ଓ ପୂଜାପଣ୍ଡା ଉପସ୍ଥିତ ଥିଲେ। ଏଥିପାଇଁ ରାତି ୮ଟାରୁ ୧୨ଟା ପର୍ଯ୍ୟନ୍ତ ଦାରୁବ୍ରହ୍ମଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ବନକଲାଗି ଶେଷକରି ଦତ୍ତମହାପାତ୍ର ବାହାରିବା ପରେ ପୂଜାପଣ୍ଡା ପଞ୍ଚାମୃତରେ ମହାସ୍ନାନ କରିଥିଲେ। ପାଳିଆ ମେକାପଙ୍କ ଦ୍ବାରା ସିଂହାସନ ଧୁଆ ଯାଇଥିଲା। ପ୍ରଭୁଙ୍କୁ ନୂଆଲୁଗା ଲାଗି, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ ଏବଂ ବଡ଼ସିଂହାର ଭୋଗ କରାଯାଇଥିଲା। ଏହାପରେ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ଭିତରକୁ ଯାଇ ଆଡ଼ପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ।

Comments are closed.