ସିଦ୍ଧିବିନାୟକ ମନ୍ଦିରକୁ ୩୫ କେଜି ସୁନା ଦାନ କଲେ ଶ୍ରଦ୍ଧାଳୁ

ମୁମ୍ବଇ: ମହାରାଷ୍ଟ୍ରରେ ଭକ୍ତି ଏବଂ ବିଶ୍ଵାସର ଏକ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳିଛି। ମୁମ୍ବଇରେ ଥିବା ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ଜଣେ ଶ୍ରଦ୍ଧାଳୁ ୩୫ କିଲୋଗ୍ରାମ ଓଜନର ସୁନା ଦାନ କରିଛନ୍ତି। ଏହି ସୁନାର ବଜାର ମୂଲ୍ୟ ପ୍ରାୟ ୧୪ କୋଟି ଟଙ୍କା ହେବ। ସିଦ୍ଧିବିନାୟକ ମନ୍ଦିର ମୁମ୍ବଇର ଧନୀ ମନ୍ଦିରଗୁଡ଼ିକ ମଧ୍ୟରୁ ଅନ୍ୟତମ। ଗତ ସପ୍ତାହରେ ମନ୍ଦିରକୁ ଏହି ଦାନ ମିଳିଛି। ସିଦ୍ଧିବିନାୟକ ମନ୍ଦିରକୁ ପ୍ରତିବର୍ଷ ଶ୍ରଦ୍ଧାଳୁମାନେ କୋଟି କୋଟି ଟଙ୍କା ଦାନ କରିଥାନ୍ତି। କିଛି ଶ୍ରଦ୍ଧାଳୁ ଟଙ୍କା ଦେଉଥିବାବେଳେ ଆଉ କିଛି ସୁନା, ରୁପା ଅଥବା ଅନ୍ୟ ମୂଲ୍ୟବାନ ଅଳଙ୍କାର ଦାନ କରନ୍ତି। କିନ୍ତୁ ୩୫ କେଜି ସୁନା ଦାନ କରିବା ପ୍ରଥମ ଘଟଣା ବୋଲି କୁହାଯାଇଛି। ଏହି ସୁନା ଦାନ କରିଥିବା ବ୍ୟକ୍ତି ଦିଲ୍ଲୀର ବୋଲି ଜଣାପଡ଼ିଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଆଦେଶ ବାନ୍ଦେକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କିନ୍ତୁ ସମ୍ପୃକ୍ତ ଶ୍ରଦ୍ଧାଳୁଙ୍କ ପରିଚୟ ଦେବାକୁ ମନା କରିଦେଇଛନ୍ତି। ଏହି ସୁନାକୁ ମନ୍ଦିରର କବାଟ ଏବଂ ସିଲିଂ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।

ଅଧ୍ୟକ୍ଷ କହିଛନ୍ତି, ୨୦୧୭ ପର୍ଯ୍ୟନ୍ତ ମନ୍ଦିରକୁ ୩୨୦ କୋଟି ଟଙ୍କା ଦାନ ମିଳିଥିଲା। ବର୍ତ୍ତମାନ ଏହା ବୃଦ୍ଧି ପାଇ ୪୧୦ କୋଟିରେ ପହଞ୍ଚିଛି। ବିଭିନ୍ନ ସାମାଜିକ କାର୍ଯ୍ୟରେ ଏହାକୁ ବିନିଯୋଗ କରାଯାଉଛି। ଯେଉଁ ଗରିବ ଲୋକମାନେ ମନ୍ଦିରର ଦ୍ବାରସ୍ଥ ହେଉଛନ୍ତି ସେମାନଙ୍କୁ ଏହି ଅର୍ଥରୁ ସହାୟତା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୨୦ ହଜାର ଲୋକଙ୍କୁ ସହାୟତା କରାଯାଇଛି। ଏ ବାବଦରେ ବର୍ତ୍ତମାନ ସୁଦ୍ଧା ୩୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Comments are closed.