ଦେବୀ ସୁଭଦ୍ରାଙ୍କ ରଥର ତୁମ୍ବ ଫାଟିଲା

ପୁରୀ : ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥପାଇଁ ନିର୍ମାଣ କରାଯାଇଥିବା ରଥର ତୁମ୍ବ ଫାଟିଛି । ରଥ ନିର୍ମାଣ ପୂର୍ବରୁ ମଙ୍ଗଳବାର ଗୋଟିଏ ଚକର ତୁମ୍ବ ଫାଟିଛି । ମଙ୍ଗଳବାର ତୁମ୍ବରେ ଫାଟ ଦେଖିବାକୁ ମିଳିଛି । ଗୋଟିଏ ସ୍ଥାନରେ କାଠ ଫାଟି ବାହାରକୁ ବାହାରିଛି । ରଥନିର୍ମାଣ ବୈଷୟିକ କମିଟି ତାହାକୁ ଯାଞ୍ଚ କରିବା ପରେ ଏହାକୁ ବ୍ୟବହାର ଅନୁପଯୋଗୀ ଘୋଷଣା କରିଛନ୍ତି । ରଥଖଳାରୁ ତାହାକୁ ପୃଥକ କରାଯାଇଛି । ତୁମ୍ବ ଫାଟିଥିବା ଚକ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥପାଇଁ ନିର୍ମାଣ କରାଯାଇଥିଲା । କାଠ ଠିକ୍‌ ନଥିବାରୁ ତୁମ୍ବ ଫାଟିଥିବା ମୁଖ୍ୟ ବିଶ୍ବକର୍ମା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି ।

ଆଉ ଏକ ଚକପାଇଁ ତୁମ୍ବ ନିର୍ମାଣ କରିବାକୁ ସ୍ଥିର କରାଯାଇଛି । ଫାଟିଥିବା ତୁମ୍ବରେ ଅର ଓ ପହି ସଂଯୋଗ ଶେଷ ହୋଇଥିଲା। ସେଥିରେ ବିନ୍ଧ କରାଯିବା ସହ ପନ୍ଦାରି ଓ ଲୁହାବଳା ଲଗାଯାଇଥିଲା।  କଞ୍ଚା କାଠରେ ଚକ ନିର୍ମାଣ ସମେତ ଅତ୍ୟଧିକ ଖରାଯୋଗୁଁ ଏପରି ହୋଇଥିବା କୁହାଯାଉଛି ।
ତିନିରଥ ପାଇଁ ୪୨ଚକ ଆବଶ୍ୟକ । ତୁମ୍ବରେ ଅର ଓ ପହି ଲଗାଯାଇ ଚକ ପ୍ରସ୍ତୁତ କରାଯାଏ । ନୟାଗଡ, ଦଶପଲା ଓ ବୌଦ୍ଧ ବନଖଣ୍ଡରୁ ଆସିଥିବା ପ୍ରାୟ ୫ଫୁଟ ଗୋଲେଇ ଫାସି କାଠରେ ତୁମ୍ବ ନିର୍ମାଣ କରାଯାଇଛି । ମଙ୍ଗଳବାର ସନ୍ଧ୍ୟାସୁଦ୍ଧା ୧୮ଟି ତୁମ୍ବରେ ଅର ଓ ପହି ସଂଯୋଗ ହୋଇଛି । ଏହାଛଡା ଗୁଜ ଏବଂ ଅଖ ପ୍ରସ୍ତୁତ କରାଯାଉଛି । ଗୁଜ ଗୁଡିକରେ ରୂପକାର ସେବକ ନୃସିଂହ ମୂର୍ତ୍ତି ଖୋଦେଇ କରୁଛନ୍ତି । ସ୍ବତନ୍ତ୍ର କମାରଶାଳରେ ରଥ ନିର୍ମାଣ ପାଇଁ କଣ୍ଟା କବ୍‌ଜା ପ୍ରସ୍ତୁତ କରାଯାଉଛି ।

Comments are closed.