ଆମେରିକାରେ ଗିରଫ ହୋଇଥିବା ଭାରତୀୟ ଛାତ୍ର ଜାଣିଶୁଣି କରିଥିଲେ ଅପରାଧ: ଆମେରିକୀୟ ଗୃହ ବିଭାଗ

0

ୱାସିଂଟନ: ଆମେରିକାରେ ଗିରଫ ହୋଇଥିବା ୧୩୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୯ଜଣ ଭାରତୀୟ ଛାତ୍ରଛାତ୍ରୀ ପୂର୍ବରୁ ସେମାନଙ୍କ ଅପରାଧ ସମ୍ପର୍କରେ ଜାଣିଥିଲେ। ଜାଣିଶୁଣି ସେମାନେ ଆମେରିକାରେ ରହିବା ଉଦ୍ଦେଶ୍ୟରେ ଏଭଳି ଅପରାଧ କରିଥିଲେ ବୋଲି ଆମେରିକୀୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଇତିମଧ୍ୟରେ ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟ ପକ୍ଷରୁ ଗିରଫ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରାଯିବା ସହ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତିରେ ଭାରତୀୟ ଛାତ୍ରଛାତ୍ରୀମାନେ ସେମାନଙ୍କ ଅପରାଧ ସମ୍ପର୍କରେ ଜାଣି ନଥିଲେ ବୋଲି ଉଲ୍ଲେଖ କରାଯାଇଛି। ଷ୍ଟେଟ ବିଭାଗର ଏହି ବିଜ୍ଞପ୍ତି ଭାରତର ଦୂତାବାସ ପକ୍ଷରୁ ଘଟଣାରେ ହସ୍ତକ୍ଷେପ କରାଯିବା ପରେ ପ୍ରକାଶ ପାଇଛି। ଦୂତାବାସ ପକ୍ଷରୁ ଗିରଫ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସମ୍ପର୍କରେ ଉଦବେଗ ପ୍ରକାଶ କରାଯାଇ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦେଶ ଦିଆଯାଇଛି।
ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆମେରିକୀୟ ହୋମଲ୍ୟାଣ୍ଡ ସିକ୍ୟୁରିଟି(ଡିଏଚଏସ) ଦ୍ୱାରା ଗିରଫ କରାଯାଇ ଥିଲା। ଏହି ଛାତ୍ରଛାତ୍ରୀମାନେ ଆମେରିକାରେ ରହିବା ପାଇଁ ଜଣେ ଦଲାଲଙ୍କ ପ୍ରରୋଚନାରେ ପଡ଼ି ଏକ ଜାଲ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ଥିଲେ। ପରେ ଏହି ଜାଲ ବିଶ୍ୱବିଦ୍ୟାଳୟକୁ ଡିଏଚଏସ ପକ୍ଷରୁ ନିର୍ମାଣ କରାଯାଇ ଥିଲା। ଆମେରିକାରେ ବେଆଇନ ଭାବେ ରହିବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ ଧରିବା ଉଦ୍ଦେଶ୍ୟରେ ଡିଏଚଏସ ଏଭଳି ଫାନ୍ଦ ପ୍ରସ୍ତୁତ କରିଥିଲା। ଏହି ର୍ୟାକେଟରେ ୮ଜଣ ଭାରତୀୟ ସମ୍ପୃକ୍ତ ଥିଲେ। ପରବର୍ତ୍ତୀ ସମୟରେ ଫେଡ଼ରାଲ ଆମେରିକା ପକ୍ଷରୁ ସମ୍ପୃକ୍ତ ୮ଜଣଙ୍କୁ ନିର୍ଦେଶ ଘୋଷଣା କରାଯାଇ ଥିଲା। ଏହି ନକଲି ବିଶ୍ୱବିଦ୍ୟାଳୟରେ କୌଣସି କକ୍ଷ ନଥିଲା। ଏପରିକି ଟ୍ୱୁସନ ଫିସ ମଧ୍ୟ କମ୍‍ ଥିଲା। ଅଥଚ ଏହି ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଲେ ଆମେରିକାରେ ଛାତ୍ରଭାବେ ରହିବାକୁ ଅନୁମତି ମିଳୁଥିଲା। ଏଭଳି ପ୍ରଲୋଭନା ହେତୁ ଛାତ୍ରଛାତ୍ରୀମାନେ ଆମେରିକାରେ ନିଜ ରହଣୀ ବଢାଇବା ପାଇଁ ଏହି ପ୍ରଲୋଭନର ଶିକାର ହୋଇଥିଲେ। ଭାରତୀୟ ଦୂତାବାସ ପକ୍ଷରୁ ଗିରଫ ଛାତ୍ରଛାତ୍ରୀଙ୍କ ନିକଟରେ ସହଯୋଗ ପହଞ୍ଚାଇବା ସହ ସେମାନଙ୍କୁ ଆଇନ ସମ୍ପର୍କିତ ସହଯୋଗ ପ୍ରଦାନ କରାଯାଇଛି। ଏହି ଛାତ୍ରଛାତ୍ରୀଙ୍କୁ ଆମେରିକାର ବିଭିନ୍ନ ସ୍ଥାନରେ ଅଟକ ରଖାଯାଇ ଥିବାବେଳେ ଦୂତାବାସ ପକ୍ଷରୁ ସେମାନଙ୍କ ନିକଟକୁ ପ୍ରତିନିଧି ମଣ୍ଡଳୀ ପ୍ରେରଣ କରାଯାଇଛି।
ଏହି ଘଟଣାରେ ଭାରତ ପକ୍ଷରୁ ଶକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତ ଓ ଆମେରିକା ମଧ୍ୟରେ ଛାତ୍ରଛାତ୍ରୀ ଅଦଳ ବଦଳର ଚୁକ୍ତି ପ୍ରଭାବିତ ହେବ ବୋଲି ଯୁକ୍ତି ଦର୍ଶାଯାଇଛି। ବିଗତ ବର୍ଷ ଭାରତରୁ ଆମେରିକାକୁ ୧ଲକ୍ଷ ୯୬ହଜାର ଛାତ୍ରଛାତ୍ରୀ ଆମେରିକାକୁ ପାଠ ପଢିବା ପାଇଁ ଯାଇଥିଲେ। ଗିରଫ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଜାଲ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହେବା ପୂର୍ବରୁ ଏହା ସମ୍ପର୍କରେ ଜାଣି ନଥିଲେ ବୋଲି ଆମେରିକୀୟ ତେଲୁଗୁ ଆସୋସିଏସନ ଅଭିଯୋଗ କରିଛି।

Leave A Reply