ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ରାଜ୍ୟରେ ରପ୍ତାନି ୭.୫୨ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର: ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ରାଜ୍ୟରେ ରପ୍ତାନି ପୁଣି ଥରେ ସ୍ବାଭାବିକ ଅବସ୍ଥାକୁ ଆସିଥିବାର ଶୁଭ ସଙ୍କେତ ଦେଇଛି। ୨୦୧୯-୨୦୨୦ରେ ରପ୍ତାନି ଆକର୍ଷଣୀୟ ଭାବେ ବୃଦ୍ଧି ପାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ଏହି ସମୟରେ ମୋଟ ରପ୍ତାନି ୫୧୭୪୨.୩୨ କୋଟି ଟଙ୍କାରେ ପହଞ୍ଚିଛି। ଯାହାକି ୨୦୧୮-୧୯ ତୁଳନାରେ ୭.୫୨ ପ୍ରତିଶତ ଅଧିକ। ଓଡ଼ିଶାର ରପ୍ତାନି ୨୦୧୧-୨୦୧୨ ରୁ ୨୦୧୭-୧୮ ମଧ୍ୟରେ ଲଗାତାର ଭାବେ ବୃଦ୍ଧି ପାଇଥିଲା। କିନ୍ତୁ ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ୨୦୧୮-୧୯ ଏହା ସାମାନ୍ୟ ଧିମା ହୋଇଥିଲା। ୨୦୧୬-୧୭ରେ ରପ୍ତାନି ସାମଗ୍ରୀ କାରବାର ୪୦୮୭୨.୧୯ କୋଟିରେ ପହଞ୍ଚି ଥିଲା, ଯାହାକି ୨୦୧୧-୧୨ ବର୍ଷ ତୁଳନାରେ ୧୫୨.୧୮ ପ୍ରତିଶତ ବୃଦ୍ଧି ଥିଲା। ୨୦୧୭-୧୮ରେ ଏହା ୨୮.୮୮ ପ୍ରତିଶତ ବୃଦ୍ଧି ସହ ରପ୍ତାନି ସାମଗ୍ରୀର ମୂଲ୍ୟ ୫୨୬୭୭.୦୯ କୋଟିକୁ ବୃଦ୍ଧି ପାଇଥିଲା। ତେ‌େ‌ବ ୨୦୧୮-୧୯ରେ ମାନ୍ଦାବସ୍ଥା ଯୋଗୁଁ ଏହା ୮.୬୫ ପ୍ରତିଶତ ହ୍ରାସ ପାଇଥିଲା। ତେବେ ୨୦୧୯-୨୦୨୦ରେ ଅଭିବୃଦ୍ଧି ଦେଖିବାକୁ ମିଳିଥିଲେ ମଧ୍ୟ ୨୦୧୭-୧୮ର ଅଭିବୃଦ୍ଧିକୁ ଏହା ଛୁଇଁ ପାରନି।

ସେହିପରି ରପ୍ତାନିରେ ଧାତବ ଉତ୍ପାଦ ସର୍ବାଧିକ ରହିଛି। ରାଜ୍ୟର ମୋଟ ରପ୍ତାନି ସାମଗ୍ରୀ ମଧ୍ୟରେ ଧାତବ ଉତ୍ପାଦ ୪୮ ପ୍ରତିଶତ ରହିଥିବାବେଳେ ଏହା ପଛରେ ରହିଛି ଖଣିଜ ପଦାର୍ଥ (୨୮.୩ ପ୍ରତିଶତ), ସଫ୍ଟୱେର ଏବଂ ଇଲେକଟ୍ରୋନିକ୍ସ (୮.୭ ପ୍ରତିଶତ) ଏବଂ ଇଞ୍ଜିନିୟରିଂ ଏବଂ କେମିକାଲ୍ସ (୮.୬ ପ୍ରତିଶତ)। ତେବେ ୨୦୧୮-୧୯ ତୁଳନାରେ ୨୦୧୯-୨୦୨୦ରେ ଧାତବ ଉତ୍ପାଦ ରପ୍ତାନି ୬.୨ ପ୍ରତିଶତ ହ୍ରାସ ପାଇଛି। ସେହିପରି ଇଞ୍ଜିନିୟରିଂ, କେମିକାଲ୍ସ ଏବଂ ଅନ୍ୟ ଆନୁଷାଙ୍ଗିକ କ୍ଷେତ୍ରରେ ରପ୍ତାନି ବିଗତ ବର୍ଷ ତୁଳନାରେ ହ୍ରାସ ପାଇଛି। ତେବେ ଖଣିଜ ପଦାର୍ଥ ରପ୍ତାନି ୨୦୧୯-୨୦୨୦ରେ ବୃଦ୍ଧି ପାଇଛି। ତେବେ ସଫ୍ଟୱେର, ଖାଦ୍ୟ ଏବଂ ଖାଦ୍ୟ ପଦାର୍ଥ, ହସ୍ତତନ୍ତ, ବୟନ, ହସ୍ତଶିଳ୍ପ, କୁଟୀର ଶିଳ୍ପ ଏବଂ ସାମୁଦ୍ରିକ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ରପ୍ତାନି କ୍ଷେତ୍ରରେ ବିଶେଷ ସମ୍ଭାବନା ରହିଛି। ଯାହାକି ଉପଯୁକ୍ତ ଯୋଜନା ଦ୍ବାରା କାର୍ୟ୍ୟକାରୀ କରାଯାଇ ପାରିବ।

Comments are closed.