୧୫୦୦ରୁ ଊର୍ଦ୍ଧ୍ବ ପରିତ୍ୟକ୍ତ ମାସ୍କରେ ବିବାହ ଗାଉନ୍‌ ତିଆରି କଲେ ଡିଜାଇନର୍

ଲଣ୍ଡନ: ଏହି ମହାମାରୀ କାଳରେ ମାସ୍କ ଓ ସାନିଟାଇଜର ଆମ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି। ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ମାସ୍କ ଫିଙ୍ଗାଯାଉଛି। ତେବେ ଏହି ପରିତ୍ୟକ୍ତ ଫେସ୍‌ ମାସ୍କରୁ ଏକ ସୁନ୍ଦର ବିବାହ ଗାଉନ୍‌ ତିଆରି କରିଛନ୍ତି ବ୍ରିଟେନର ଜଣେ ପୋଷାକ ଡିଜାଇନର। ଏହି ବିବାହ ପୋଷାକରେ ୧୫୦୦ରୁ ଅଧିକ ଧଳା ରଙ୍ଗର ଫେସ୍ ମାସ୍କ ବ୍ୟବହାର କରାଯାଇଛି। ଡିଜାଇନର୍ ଟମ୍ ସିଲଭରଉଡ୍ ଏହି ବିବାହ ଗାଉନ ତିଆରି କରିଛନ୍ତି। ବିବାହ ସମ୍ପର୍କିତ ପରାମର୍ଶ ଦେଉଥିବା ୱେବସାଇଟ୍‌ ‘ହିଚ୍‌ଡ’ ଏହି ପୋଷାକ ପାଇଁ ଅର୍ଥ ବିନିଯୋଗ କରିଛି।

ମଡେଲ ଜେମିମା ହାମ୍‌ବ୍ରୋ ଏହି ସୁନ୍ଦର ଧଳା ବିବାହ ଗାଉନଟିକୁ ପିନ୍ଧି ଲଣ୍ଡନର ସେଣ୍ଟ୍‌ ପଲ୍ସ କ୍ୟାଥେଡ୍ରାଲଠାରେ ଫଟୋଶୁଟ୍‌ କରିଛନ୍ତି। ଇଂଲଣ୍ଡରେ ବିବାହ ଉତ୍ସବ ଉପରେ ଲାଗୁ ହୋଇଥିବା କରୋନା କଟକଣା ସମାପ୍ତ ହୋଇଥିବାରୁ ଏହାକୁ ‘ଫ୍ରିଡମ୍‌ ଡେ’ ଭାବେ ପାଳନ କରିବା ପାଇଁ ଏହି ପୋଷାକକୁ ଉନ୍ମୋଚନ କରାଯାଇଛି। ଏହାସହିତ ପରିତ୍ୟକ୍ତ ପ୍ଲାଷ୍ଟିକ୍‌ ପିପିଇ ଦ୍ବାରା ପରିବେଶରେ ତିଆରି ହେଉଥିବା ବର୍ଜ୍ୟବସ୍ତୁ ଉପରେ ଦୃଷ୍ଟି ଆକର୍ଷଣ କରିବା ମଧ୍ୟ ଏହି ପୋଷାକର ଲକ୍ଷ୍ୟ ରହିଛି।
ହିଚ୍‌ଡ ଦାବି କରିଛି ଯେ, ବ୍ରିଟେନରେ ପ୍ରତ୍ୟେକ ସପ୍ତାହରେ ୧୦୦ ମିଲିୟନ ପରିତ୍ୟକ୍ତ ମାସ୍କ ଫିଙ୍ଗାଯାଏ।

Comments are closed.