ଚାନ୍ଦା ଆଦାୟ ପାଇଁ କହିଥିଲେ ଦେଶମୁଖ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଉପରେ ମୋହର ମାରିଛନ୍ତି ସଚିନ ବାଜେ। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖାଯିବା ଓ ବ୍ୟବସାୟୀ ମନସୁଖ ହିରେନଙ୍କ ମୃତ୍ୟୁ ଘଟଣାରେ ଗିରଫ ନିଲମ୍ବିତ ପୁଲିସ ଅଧିକାରୀ ସଚିନ ବାଜେ ଏ ସମ୍ପର୍କରେ ଏନଆଇଏ ନିକଟକୁ ଚିଠି ଲେଖିଛନ୍ତି। ମହାରାଷ୍ଟ୍ରର ବିଭିନ୍ନ ହୋଟେଲ ଓ ବାର୍‌ରୁ ଚାନ୍ଦା ଆଦାୟ ଲାଗି ଦେଶମୁଖ ତାଙ୍କୁ ଦାୟିତ୍ବ ଦେଇଥିଲେ ବୋଲି ବାଜେ ସ୍ବୀକାର ପୂର୍ବକ ଏନଆଇଏ ନିକଟକୁ ଚିଠି ଲେଖିଛନ୍ତି। ଏପରିକି ଦେଶମୁଖଙ୍କ ସହିତ ବର୍ତ୍ତମାନର ପରିବହନ ମନ୍ତ୍ରୀ ଅନିଲ ପରବ ମଧ୍ୟ ତାଙ୍କୁ ଚାନ୍ଦା ଆଦାୟ ଦାୟିତ୍ବ ଦେଇଥିଲେ ବୋଲି ବାଜେ କହିଛନ୍ତି।

ଦେଶମୁଖଙ୍କ ବିରୋଧରେ ପୂର୍ବତନ ପୁଲିସ କମିସନର ପରମବୀର ସିଂହ ଦୁର୍ନୀତି ଓ ଚାନ୍ଦା ଆଦାୟର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗର ସିବିଆଇ ତଦନ୍ତ ଲାଗି ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଦେଶମୁଖ ମୁମ୍ବଇର ବିଭିନ୍ନ ହୋଟେଲ ଓ ବାର୍‌ରୁ ମାସିକ ୧୦୦କୋଟି ଚାନ୍ଦା ଆଦାୟ କରିବାକୁ ସଚିନ ବାଜେଙ୍କୁ ଦାୟିତ୍ବ ଦେଇଥିଲେ। ରିପୋର୍ଟ ଅନୁଯାୟୀ ପରମବୀର ସିଂହଙ୍କ ଏହି ଅଭିଯୋଗକୁ ଯଥାର୍ଥ ଦର୍ଶାଇବା ପୂର୍ବକ ଏନଆଇଏକୁ ଚିଠି ଲେଖିଛନ୍ତି। ଏନଆଇଏ ନିକଟକୁ ବାଜେ ଲେଖିଥିବା ୪ପୃଷ୍ଠାର ହାତଲେଖା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଏନସିପି ମୁଖ୍ୟ ଶରଦ ପୱାର ତାଙ୍କର ପୁନଃନିଯୁକ୍ତିକୁ ବିରୋଧ କରିଥିଲେ। ତେବେ ଅନିଲ ଦେଶମୁଖ କହିଥିଲେ ସେ (ବାଜେ) ୨କୋଟି ଟଙ୍କା ଦେଲେ ପୱାରଙ୍କୁ ମନାଇପାରିବେ। ପରିବହନ ମନ୍ତ୍ରୀ ଅନିଲ ପରବ ବିଏମସି ଅଧୀନରେ ଥିବା ୫୦ ଠିକାଦାରଙ୍କଠାରୁ ୨କୋଟି ଲେଖାଏଁ ଚାନ୍ଦା ଆଦାୟ କରିବାକୁ ଦାୟିତ୍ବ ଦେଇଥିଲେ ବୋଲି ବାଜେ ଉଲ୍ଲେଖ କରିଛନ୍ତି। ଚାନ୍ଦା ଆଦାୟ ସମ୍ପର୍କରେ ବୁଝାମଣା ପାଇଁ ସେ ଦୁଇ ମନ୍ତ୍ରୀଙ୍କ ବିଭିନ୍ନ ସମୟରେ ଭେଟିଥିଲେ।

ସଚିନ ବାଜେଙ୍କ ହାଜତ ମିଆଦକୁ ଆଜି ସ୍ବତନ୍ତ୍ର ଅଦାଲତ ଏପ୍ରିଲ ୯ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ସହିତ ସଚିନଙ୍କୁ ଜେରା କରିବା ଲାଗି ସିବିଆଇକୁ ଅଦାଲତ ଅନୁମତି ଦେଇଛନ୍ତି। ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ ଘଟଣାରେ ମାର୍ଚ୍ଚ ୧୩ରେ ଏନଆଇଏ ବାଜେଙ୍କୁ ଗିରଫ କରିଥିଲା। ବାଜେ ଆଣିଥିବା ଅଭିଯୋଗକୁ ଅନିଲ ପରବ ଖଣ୍ଡନ କରିଛନ୍ତି। ଅନିଲ କହିଛନ୍ତି ଏହି ଅଭିଯୋଗର ତଦନ୍ତ ହେଉ। ନିଜର ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା ଅନିଲ କହିଛନ୍ତି। ଅନ୍ୟପଟେ ବାଜେ ଲେଖିଥିବା ଏହି ଚିଠି ପଛରେ ବିଜେପିରେ ହାତ ରହିଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିନ୍ଦିତ କରିବାକୁ ଏହା ବିଜେପିର ଏକ ଷଡଯନ୍ତ୍ର ବୋଲି ଅନିଲ କହିଛନ୍ତି। ପୂର୍ବରୁ ଦେଶମୁଖ ମଧ୍ୟ ଚାନ୍ଦା ଆଦାୟ ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି।

Comments are closed.