ସଂସ୍କୃତି ବିଭାଗର ତତ୍ପରତା : ଏକାଡେମୀ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ

ସ୍ବତନ୍ତ୍ର ନିର୍ଦେଶନାମାରେ ମିଳିବ ନିଯୁକ୍ତି

ଭୁବନେଶ୍ୱର : ତାଲାବନ୍ଦ ପରେ ଚଳଚଞ୍ଚଳ ହୋଇଛି ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ବିଭାଗ ଅଧୀନରେ ଥିବା ୪ ଏକାଡେମୀରେ ବିଭିନ୍ନ ପଦ ପୂରଣ ପାଇଁ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଐତିହ୍ୟ କ୍ୟାବିନେଟରେ ସରକାର ଏଥିରେ ମୋହର ଲଗାଇଥିବାବେଳେ ଏବେ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଚାରୁ ଓ ଚାରୁକଳା, ଚିତ୍ରକଳା, ସ୍ଥାପତ୍ୟ, ନାଟ୍ୟ ଓ ସଙ୍ଗୀତ, ଊର୍ଦୁ ଭାଷା ଓ ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତିବିଶେଷଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଆସନ୍ତା ମାସ ୧୧ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସଂସ୍କୃତି ଭବନ, ବିଜେବି ନଗର, ଭୁବନେଶ୍ୱର-୧୪ଙ୍କୁ ଆବେଦନ କରିପାରିବେ। ଏ ସମ୍ପର୍କିତ ସମସ୍ତ ତଥ୍ୟ ତଥା ଆବେଦନ ପାଇଁ ଆବଶ୍ୟକ ନମୁନା ଦରଖାସ୍ତ ଫର୍ମ ବିଭାଗୀୟ ୱେବ୍‌ସାଇଟ୍‌ରୁ ମିଳିପାରିବ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟ କରୁଛି ୪ ଏକାଡେମୀ। ସାହିତ୍ୟ, ସଙ୍ଗୀତ, ଲଳିତକଳା ଓ ଊର୍ଦ୍ଦୁ ଏକାଡେମୀ। ପ୍ରତିଷ୍ଠା ଦିନଠାରୁ ଏକାଡେମୀଗୁଡ଼ିକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର, ପ୍ରସାର କରିଆସୁଛି । ଏହାରି ଭିତରେ ଯୋଡ଼ି ହୋଇଛି ଓଡିଆ ଭାଷା ପ୍ରତିଷ୍ଠାନ। ଏହିସବୁ ଏକାଡେମୀରେ କର୍ମଚାରୀଙ୍କ ଅଭାବ ରହିଛି। ଏହାଯୋଗୁଁ ଅଧାରୁ ଅଧିକ କାମ ହୋଇପାରୁନି। ଏ ସମ୍ପର୍କରେ ଆଲୋଚନା ହେବା ପରେ ଶେଷରେ ସରକାର ଏହାକୁ ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଊର୍ଦୁ ଏକାଡେମୀ ବ୍ୟତୀତ ୩ଟି ଏକାଡେମୀରେ ସଭାପତି, ଉପସଭାପତି, ସଚିବ ପଦ ରହିଛି। ବର୍ତ୍ତମାନ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି, ଉପସଭାପତି, ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀର ଉପସଭାପତି, ସଚିବ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି, ଉପସଭାପତି, ଓଡ଼ିଶା ଊର୍ଦୁ ଏକାଡେମୀର ସଚିବ ପଦରେ ନୂଆ ନିଯୁକ୍ତି କରାଯିବ। ବିଭିନ୍ନ ପଦ ମନୋନୟନ ପାଇଁ ନିୟମାବଳୀ ପ୍ରସ୍ତୁତ ହୋଇଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଓ ଉପସଭାପତି ପଦ ପାଇଁ ଆବେଦନ କରିବାକୁ ଥିବା ବ୍ୟକ୍ତିଙ୍କର ନୃତ୍ୟ, ସଙ୍ଗୀତ, ନାଟକ ଇତ୍ୟାଦି କ୍ଷେତ୍ରରେ ବେଶ୍ ଖ୍ୟାତି ଥିବା ସହିତ ବୟସ ୬୦ବର୍ଷରୁ କମ୍ ଓ ୮୦ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ଓଡ଼ିଶା ଊର୍ଦୁ ଏକାଡେମୀ ପାଇଁ ଖାଲି ଥିବା ସମ୍ପାଦକ ପଦରେ ଊର୍ଦୁ ଭାଷା ଓ ସାହିତ୍ୟରେ ଆଗ୍ରହ ଥିବା ଆବେଦନକାରୀଙ୍କ ବୟସ ୪୫ରୁ ୬୫ବର୍ଷ ମଧ୍ୟରେ ହୋଇଥିବା ନିର୍ଦେଶନାମାରେ ପ୍ରକାଶ ପାଇଛି।

Comments are closed.