ଚାଷ ପ୍ରତି ଯୁବକଙ୍କ ଆଗ୍ରହ ଯୋଗୁଁ ଅତୀତର ‘ଲାଲଗଡ଼’ ଏବେ ସାଜିଛି ‘ଲାଲ ଟମାଟୋ’ର ଗଡ

ପଶ୍ଚିମ ଓଡିଶାର ‘ଟମାଟୋ ହବ୍‍’ ହେବାକୁ ଯାଉଛି ସଡୋ ପଞ୍ଚାୟତ 

ଦେବଗଡ଼: ‘ସମାଜ’ର ଶତବାର୍ଷିକୀ ଅବସରରେ ଗତବର୍ଷ ଗୋପବନ୍ଧୁ ଜ୍ୟୋତି ପରିକ୍ରମା (ପ୍ରଣାମ ମାତୃଭୁମି) କାର୍ୟ୍ୟକ୍ରମରେ ‘ସମାଜ’ ଅନୁଷ୍ଠାନ ପକ୍ଷରୁ ଆଦର୍ଶ କୃଷକ(ତିଲେଇବଣି ବ୍ଲକ)ସମ୍ମାନରେ ସମ୍ମାନିତ ହୋଇଥିବା ଦେବଗଡ ଜିଲା ତିଲେଇବଣି ବ୍ଲକ ସଡୋ ପଞ୍ଚାୟତ ଅନ୍ତର୍ଗତ କାଲ୍‍ଚିପୁଡାଡିହୀ ଗ୍ରାମର ଯୁବଚାଷୀ ପ୍ରଦୀପ ଲାକ୍ରାଙ୍କ ଦ୍ୱାରା ଉତ୍ପାଦିତ ଟମାଟୋ ଏବେ ଦେବଗଡ ଜିଲାର ପ୍ରଥମ ପସନ୍ଦ ସାଜିଛି। ତେବେ ତାଙ୍କ ଉତ୍ପାଦିତ ଟମାଟୋ କେବଳ ଯେ, ଦେବଗଡ ଜିଲାରେ ବିକ୍ରି ହେଉଛି ତାହା ନୁହେଁ, ପ୍ରଦୀପଙ୍କ ଉତ୍ପାଦିତ ଟମାଟୋ ଉଚ୍ଚମାନ ଓ ଗୁଣବତ୍ତା ସମ୍ପନ୍ନ ହୋଇଥିବାରୁ ଏହାର ଚାହିଦା ପଡୋଶୀ ସମ୍ବଲପୁର ଜିଲାର ବେପାରୀ ଓ ଗ୍ରାହକମାନଙ୍କ ଦ୍ୱାରା ବେଶ ଆଦୃତ ହେଉଥିବା ଜଣାପଡିଛି। ଏଣୁ ଟମାଟୋ ଚାଷକରି ପ୍ରଦୀପ ଭଲ ଦ୍ୱି’ପଇସା ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ତଥା ପଥ ପ୍ରଦର୍ଶକ ସାଜିଛନ୍ତି। କରୋନା ଜନିତ ଚାଲିଥିବା ଲଡ ଡାଉନ ସମୟରେ ପ୍ରଦୀପ ଟମାଟୋ ଚାଷ ଉପରେ ଅଧିକ ଫୋକସ କରି ଟ୍ରିପ ଟ୍ରିପ ଟମାଟୋ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ତାଙ୍କ ଉତ୍ପାଦିତ ଟମାଟୋ ଖରିଦ ପାଇଁ ବେପାରୀ ମାନେ ଗାଡିସହ ତାଙ୍କ କାଳଚିପୁଡାଡିହୀ ଗାଁରେ ପହଂଚି କିଲୋ ପିଛା ୪୨ ଟଙ୍କା(ଆଜିର ବେପାରୀ ଦର)ରେ କ୍ରୟ କରୁଛନ୍ତି। ‘ସମାଜ’ ଦ୍ୱାରା ମିଳିଥିବା ସମ୍ବର୍ଦ୍ଧନା ତାଙ୍କପାଇଁ ସଞ୍ଜିବନୀ ସଦୃଶ ହେବା ସହ ଟମାଟୋ ଚାଷ ପାଇଁ ତାଙ୍କୁ ଅଧିକ ଉତ୍ସାହିତ କରିଥିବା ଯୁବଚାଷୀ ଶ୍ରୀ ଲାକ୍ରା ପ୍ରକାଶ କରିବାସହ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନଙ୍କ ଉତ୍କୃଷ୍ଟ ଜ୍ଞାନ କୌଶଳ ସାଙ୍ଗକୁ ଉଚିତ ମାର୍ଗଦର୍ଶନ ତାଙ୍କର ସଫଳତାର ଅନ୍ୟତମ ଚାବିକାଠି ବୋଲି ମଧ୍ୟ ଯୁବଚାଷୀ ଶ୍ରୀ ଲାକ୍ରା ମୁକ୍ତକଣ୍ଠରେ ପ୍ରକାଶ କରିଛନ୍ତି। ପୂର୍ବରୁ ଝାଉଁଳା ରୋଗରେ ତାଙ୍କର ଏବଂ ଗ୍ରାମର ଅନ୍ୟ ଚାଷୀ ମାନଙ୍କର ଟମାଟୋ ଫସଲ କ୍ଷତିଗ୍ରସ୍ତ ହେଉଥିବା ବେଳେ ଚଳିତ ବର୍ଷ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନଙ୍କ ଦ୍ୱାରା ଉଚିତ କୃଷି ପରାମର୍ଶ ଏବଂ ତୁହାକୁ ତୁହା ଗସ୍ତ ଯୋଗୁଁ ଝାଉଁଳା ରୋଗ ବେଶ ହ୍ରାଶ ପାଇବାସହ ଟମାଟୋ ଉତ୍ପାଦକ ବୃଦ୍ଧି ପାଇଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ କିଛି ବର୍ଷ ହେଲା ଆଦିବାସୀ ଅଧ୍ୟୁଷିତ ସଡୋ ପଂଚାୟତର ଶହଶହ ଯୁବକ ଯୁବତୀ କାମ କରିବାକୁ ବାହାରକୁ ନଯାଇ ବର୍ଷା ଦିନେ ଟମାଟୋ ଓ ଲଙ୍କା ମରିଚ ଚାଷକରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିବାସହ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅଦିନିଆଁ ଟମାଟୋ ଚାଷ ପାଇଁ ଆଇ.ଟି.ଡି.ଏ. ପକ୍ଷରୁ ସଡୋ ପଂଚାୟତର ବହୁ ଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଚାଷ କାର୍ୟ୍ୟରେ ଉତ୍କର୍ଷତା ନିମନ୍ତେ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଯୁବଚାଷୀ ଶ୍ରୀ ଲାକ୍ରାଙ୍କୁ ‘ଫାର୍ମ କ୍ୟାପ୍ଟେନ’ ଉପାଧିରେ ଭୁଷିତ କରାଯାଇଛି। ଦେବଗଡ କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ବୈଜ୍ଞାନିକ ଡକ୍ଟର ସୁଜିତ ନାଥ ସମ୍ପୃକ୍ତ ଅଂଚଳର ଚଳିତ ବର୍ଷର ଟମାଟୋ ଉତ୍ପାଦନ ପରିପ୍ରେକ୍ଷୀରେ ମନ୍ତବ୍ୟ ଦେଇ ଉପଯୁକ୍ତ ଜ୍ଞାନ କୌଶଳ ଓ ପ୍ରୋତ୍ସାହନ ମିଳିଲେ ସଡୋ ଗ୍ରାମ ପଂଚାୟତ ‘ପଶ୍ଚିମ ଓଡିଶାର ଟମାଟୋ ହବ ହୋଇପାରିବ’ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ,କିଛିବର୍ଷ ପୂର୍ବେ ସଡୋ ପଂଚାୟତ ମାଓବାଦୀଙ୍କ କବଜାରେ ରହିବାସହ ‘ଲାଲଗଡ’ ଭାବେ କୁଖ୍ୟାତି ଅର୍ଜନ କରିଥିବା ବେଳେ ଯୁବଚାଷୀ ମାନଙ୍କୁ ନିଷ୍ଠା,ପ୍ରଚେଷ୍ଟା,ଦୃଢ ସଙ୍କଳ୍ପ ଓ କୃଷି କାର୍ୟ୍ୟପାଇଁ ଆଗ୍ରହ ଏବେ ସଡୋ ଗ୍ରାମ ପଞ୍ଚାୟତକୁ ଲାଲ୍‍ ‘ଟମାଟୋର ଗଡ’ ଭାବେ ସୁଖ୍ୟାତି ଆଣିଦେଇଛି।

Comments are closed.