ଗାଁ’ରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ସଦ୍ୟଜାତ ଶିଶୁ ଓ ମା’ଙ୍କୁ ଅଢେଇ କିମି ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ/ରିଆମାଳ : ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଅଢେଇ କିଲୋମିଟର ପାଦଚଲା ରାସ୍ତା ଓ ନାଳ ଅତିକ୍ରମ କରି ସଦ୍ୟଜାତ ଶିଶୁ ଓ ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଗୁଣ୍ଡିଆପାଲି ପଞ୍ଚାୟତର ମାଘୁମୁଣ୍ଡା ଗ୍ରାମରେ ା ପ୍ରକାଶ ଯେ ମାଘୁମୁଣ୍ଡା ବାସିନ୍ଦା ଚାରୁ ମୁଣ୍ଡାଙ୍କ ସ୍ତ୍ରୀ ବାହାଲ ହେମ୍ବ୍ରମ (୨୬) ମଙ୍ଗଳବାର ସକାଳ ୬ଟା’ରେ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ସ୍ଥାନୀୟ ଆଶାଦିଦି ତପସ୍ୱିନୀ ସେଠୀଙ୍କ ମାଧ୍ୟମରେ ୧୦୮ ଆମ୍ବୁଲାନ୍ସର ସହାୟତା ଲୋଡିଥିଲେ। ଉକ୍ତ ଗ୍ରାମରେ ଟେଲି ଯୋଗାଯୋଗ ସୁବିଧା ନଥିବା ତଥା ଗ୍ରାମରେ ପହଞ୍ଚିବା ପାଇଁ ରାସ୍ତା ସୁବିଧା ନଥିବାରୁ ଆମ୍ବୁଲାନ୍ସ ସ୍ୱାସ୍ଥ୍ୟକର୍ମୀ ସତ୍ୟାନନ୍ଦ ସାହୁ, ଆମ୍ବୁଲାନ୍ସ ଚାଳକ ସୁରେଶ ସାମଲ ଓ ସହାୟକ ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଅଢେଇ କି.ମି ରାସ୍ତା ଚାଲି ଚାଲି ବାହାଲଙ୍କ ଘରେ ପହଞ୍ଚିବା ବେଳକୁ ଚାରୁଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ସାରିଥିଲେ ା ପ୍ରସୂତି ଏବଂ ନବଜାତର ସୁରକ୍ଷା ପାଇଁ ଉକ୍ତ ତିନିଜଣ ଯାକ ଆମ୍ବୁଲାନ୍ସ କର୍ମଚାରୀ ସେମାନଙ୍କୁ ଷ୍ଟ୍ରେଚର ଯୋଗେ ଅଢେଇ କି.ମି ରାସ୍ତା ଓ ନାଳ ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ସେଠାରୁ ମା, ସନ୍ତାନଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ା ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ଉଦ୍ୟମକୁ ଜିଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Comments are closed.