ଅଜଣା ଗାଡି ଧକ୍କାରେ ମହିଳା ମୃତ

କରୋନା ସଂକ୍ରମଣ ଭୟରେ ଛୁଇଁଲେନି କେହି,ନିଜହାତରେ ଶବ ଉଠାଇଲେ ୨ପୁଲିସ ଅଧିକାରୀ

ଦେବଗଡ: ଦୁର୍ଘଟଣାରେ ଜଣେ ଅପରିଚିତା ମହିଳାଙ୍କର ମୃତ୍ୟୁ ଘଟିଛି। ହେଲେ କରୋନା ସଂକ୍ରମଣ ଭୟରେ ମୃତଦେହ ଉଠାଇବାକୁ କେହି ଆସିଲେ ନାହିଁ। ଫଳରେ ୨ ଜଣ ପୁଲିସ ଅଧିକାରୀ ମୃତଦେହକୁ ନିଜେ ବୋହି ଅଟୋରିକ୍ସାରେ ବ୍ୟବଚ୍ଛଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ଜଣାପଡିଛି। ପୁଲିସ ଅଧରକାରୀ ଦ୍ୱୟଙ୍କର ଏଭଳି ମନୋଭାବକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରୀ ପ୍ରାୟ ୧ଟା ସମୟରେ ଦେବଗଡ ଥାନା ଅନ୍ତର୍ଗତ କଣ୍ଢଳ କଲେଜ ଛକ ସମ୍ମୁଖସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡି ଧକ୍କାରେ ମାନସିକ ରୋଗରେ ପୀଡୀତ ଜଣେ ଅପରିଚିତା ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ସୂଚନା ପାଇ ଦେବଗଡ ଥାନା ସବ ଇନ୍ସପେକ୍ଟର ବୁଦ୍ଧରାୟ ମାଝୀ ଓ ସବ ଇନ୍ସପେକ୍ଟର ପ୍ରତାପ ଚନ୍ଦ୍ର ଦଳେଇ ତୁରନ୍ତ ସେଠାରେ ପହଂଚି ମୃତଦେହ ଉଦ୍ଧାର ପ୍ରକ୍ରୀୟା ଆରମ୍ଭ କରିଥିଲେ। ମାତ୍ର ଅନୁରୋଧ ସତ୍ୱେ କରୋନା ସଂକ୍ରମଣ ଭୟରେ ସ୍ଥାନୀୟ ଲୋକେ ମୃତଦେହ ଉଠାଇବାକୁ ରାଜି ହୋଇନଥିଲେ। ଫଳରେ ପୁଲିସ ଅଧରକାରୀ ଦ୍ୱୟ ମହିଳାଙ୍କ ମୃତଦେହକୁ ନିଜେ ବୋହି ଅଟୋରିକ୍ସାରେ  ବ୍ୟବଚ୍ଛଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

 

Comments are closed.