ଆମ୍ବୁଲାନ୍ସ ଆସିଲାନି…ଗୁରୁତର ରୋଗୀଙ୍କୁ ନିଜ ଗାଡିରେ ଡାକ୍ତରଖାନା ନେଲେ ସ୍ୱେଚ୍ଛାସେବୀ

ଦେବଗଡ: କରୋନା ସଂକ୍ରମଣ ଭୟରେ ଲୋକେ ସଂକ୍ରମିତଙ୍କ ପାଖ ମାଡୁନାହାନ୍ତି। ଏପରିକି କରୋନା ସଂକ୍ରମଣ ଜନିତ ମୃତଦେହ ନିକଟକୁ ନିଜର ଜ୍ଞାତି କୁଟୁମ୍ବମାନେ ଯିବାକୁ ଉଚିତ ମଣୁନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ,ଏଭଳି ଅସମୟରେ କରୋନା ଭୟରେ ଲୋକେ ଅଣ ସଂକ୍ରମିତ ମୃତକଙ୍କୁ କାନ୍ଧ ଦେବାକୁ ମଧ୍ୟ ପଛଘୁଂଚା ଦେଉଛନ୍ତି। ମାତ୍ର ଶନିବାର ଦେବଗଡ ସହରର କେତେକ ସ୍ୱେଚ୍ଛାସେବୀ କରୋନା ଭୟଛାଡି ଜଣେ ସଂଦିଗ୍ଧ କରୋନା ସଂକ୍ରମିତଙ୍କୁ ନିଜର ଗାଡିରେ ଡାକ୍ତରଖାନା ନେଇ ତାଙ୍କର ସ୍ୱାବ ପରୀକ୍ଷା କରାଇବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ସାଜିବା ସହ ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ପୌରାଂଚଳ ରଜାମୁଣ୍ଡାର ଏକ ଦମ୍ପତ୍ତି କରୋନା ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିବା ବେଳେ ସଂକ୍ରମିତଙ୍କ ମା’ ଗୁରୁତର ଅସୁସ୍ଥ ହୋଇପଡିବା ସହ ତାଙ୍କ ଶରୀରରେ କରୋନାର ବିଭିନ୍ନ ଲକ୍ଷଣ ପରିଲକ୍ଷିତ ହୋଲଇଥିଲା। ମାତ୍ର ସଂକ୍ରମଣ ଭୟରେ ସ୍ୱାବ ପରୀକ୍ଷା ନିମନ୍ତେ ତାଙ୍କୁ ଡାକ୍ତରଖାନା ଆଣିବାକୁ କେହି ବାହାରିନଥିଲେ।

ଏଣେ ପୁଅ-ବୋହୁ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିବାରୁ ମହିଳା ଜଣକ ଉପାୟ ଶୂନ୍ୟ ହୋଇ ପଡିଥିବା ବେଳେ ଅନୁରୋଧ ସତ୍ୱେ ଡାକ୍ତରଖାନା ନେବା ପାଇଁ ତାଙ୍କୁ ଆମ୍ବୁଲାନ୍ସ ମଧ୍ୟ ଉପଲବ୍ଧ ହୋଇନଥିଲା। ଫଳରେ ସହରର ସ୍ୱେଚ୍ଛାସେବୀ ସୁଧିର ବ୍ରହ୍ମା ଓ ସହଯୋଗୀ ଦୟାଶଙ୍କର ଦ୍ୱିବେଦୀ, ଶିବା ମୂଖି ଓ ରଞ୍ଜିତ ମୁଖିଙ୍କ ସହିତ ପିପିଇ କିଟ୍‍ ପରିଧାନ କରି ଅବିଳମ୍ବେ ତାଙ୍କ ଘରେ ପହଂଚିବା ସହ ସୁଧିରଙ୍କ ନିଜ ଗାଡିରେ ବସାଇ ସ୍ୱାବ ପରୀକ୍ଷା ପାଇଁ ଜିଲା ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କର ସ୍ୱାବ ନମୁନା କରୋନା ପକିଟିଭ ଚିହ୍ନଟ ହେବାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜ (ମହିଳାଙ୍କ) ଘରକୁ ଆଣି ଛାଡିଥିଲେ। ସ୍ୱେଚ୍ଛାସେବୀମାନଙ୍କର ଏଭଳି ଉଦ୍ୟମକୁ ମଧ୍ୟ ଜିଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Comments are closed.