ହରିଣ ମୁଣ୍ଡ, ମାଂସ ଓ ଚମଡା ସହ ଦେଶୀ ବନ୍ଧୁକ ଜବତ – ୩ ଗିରଫ

ଦେବଗଡ: ଦେବଗଡ ବନଖଣ୍ଡ ରିଆମାଳ ବନାଂଚଳର ବୁରୁବୁଡା ଗ୍ରାମରେ ଗତକାଲିବନ ବିଭାଗ ପକ୍ଷରୁ ଚଢଉ କରାଯାଇ ୩ କିଲୋ ହରିଣ ମାଂସ, ଏକ ହରିଣ ମୁଣ୍ଡ, ଏକ ହରିଣ ଚମଡା ଜବତ କରାଯାଇଛି। ଏଥିସହ ହରିଣ ଶିକାର ଅଭିଯୋଗରେ ବୁରୁବୁଡା ଗ୍ରାମର ମୁକ୍ତେଶ୍ୱର ନାୟକ, ବିଶିକେନ କିସାନ ଓ ବିପିନ ଦାସ ପ୍ରମୁଖ ୩ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ସେମାନେ ବ୍ୟବହାର କରିଥିବା ଏକ ଦେଶୀ ବନ୍ଧୁ, ଏକ ଟାଙ୍ଗିଆ ଏବଂ ଏକ ପନିଖି ମଧ୍ୟ ଜବତ କରାଯାଇଛି। ବନ ବିଭାଗ ସୂତ୍ରରୁ ମିଳୀଥିବା ସୂଚନା ଅନୁଯାୟୀ, ଗତକାଲି ଏହି ୩ ଜଣ ଶିକାରୀ ବୁରୁବୁଡା ଗ୍ରାମ ନିକଟସ୍ଥ କଂକରଖୋଳ ରକ୍ଷିତ ଜଙ୍ଗଲ (ପିଆରଏଫ୍‍)ରୁ ଦେଶୀ ବନ୍ଧୁକ ସହାୟତାରେ ଏକ ହରିଣ ଶିକାର କରିବା ସହ ସଂଧ୍ୟାରେ ମୁକ୍ତେଶ୍ୱର ଘରେ ଏହାର ମାଂସ ଭାଗବଂଟା କରୁଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ ବନଖଣ୍ଡ ଅଧିକାରୀଣୀ କ୍ଷମା ଷଡଙ୍ଗୀ ସେଠାରେ ଚଢଉ ପାଇଁ ରିଆମାଳ ବନାଂଚଳ ଅଧିକାରୀ ମହେନ୍ଦ୍ର ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଦେଶ ଅନୁଯାୟୀ ବନାଂଚଳ ଅଧିକାରୀ ସାହୁ ରିଆମାଳ ଫରେଷ୍ଟର ତୁଷାର ପ୍ରଧାନ ଓ ଫରେଷ୍ଟଗାର୍ଡ ମୀନା ପ୍ରଧାନଙ୍କ ସହ ସଦଳବଳେ ବୁରୁବୁଡା ଗ୍ରାମ ସ୍ଥିତ ମୁକ୍ତେଶ୍ୱର ନାୟକ ଘରେ ପହଂଚି ସେଠାରୁ ୩ କିଲୋ ହରିଣ ମାଂଶ, ଏକ ହରିଣ ମୁଣ୍ଡ, ଏକ ହରିଣ ଚମଡା, ଶିକାରରେ ବ୍ୟବହୃତ ଏକ ବନ୍ଧୁକ ଏବଂ ମାଂଶ କଟାରେ ବ୍ୟବହୃତ ଏକ ଟାଙ୍ଗିଆ ଓ ଏକ ପନିଖି ମଧ୍ୟ ଜବତ କରିବାସହ ଉପରୋକ୍ତ ୩ ଜଣଙ୍କୁ ଗିରଫ କରିଥିଲେ। ବନ ବିଭାଗ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ଆଜି ବନ୍ୟଜନ୍ତୁ ଆଇନ ସମେତ ବିଭିନ୍ନ ଦଫାରେ ମାମଲା ଋଜୁକରାଯାଇ କୋର୍ଟ ଚାଲାଣ କରାଯାଇଛି।

Comments are closed.