ଜୁଆ ଆଡ୍ଡାରୁ ବନ୍ଧା ହେଲେ ୨ଜୁଆଡ଼ି; ୧୯ ବାଇକ୍ ଜବତ

ପୁଲିସକୁ ପଥର ମାଡ଼ କରି ଜଙ୍ଗଲକୁ ଖସିଗଲେ ଅନ୍ୟ ଜୁଆଡ଼ି

ଦେବଗଡ : ଗତକାଲି ସନ୍ଧ୍ୟାରେ ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ଗ୍ରାମରେ ଥିବା ମା’ ତାରିଣୀଙ୍କ ମନ୍ଦିର ପଛପଟେ ଜଙ୍ଗଲ ମଧ୍ୟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ଉପରେ ଚଢାଉ ସମୟରେ ବାରକୋଟ ଥାନା ପୁଲିସ ଜୁଆଡିଙ୍କର ଆକ୍ରୋଶର ଶିକାର ହେବାକୁ ପଡିଛି। ଚଢାଉ ସମୟରେ ଜୁଆଡିମାନଙ୍କର ପଥର ମାଡରେ କେତେକ ପୁଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଥିବାବେଳେ ଅନ୍ଧାର ଏବଂ ଜଙ୍ଗଲ ରାସ୍ତାର ସୁଯୋଗ ନେଇ ଜୁଆଡି ମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ତେବେ ଆହତ ପୁଲିସ ହାତରେ ୨ଜଣ ଜୁଆଡି ଧରାପଡିଥିବା ବେଳେ ସେମାନଙ୍କ ନିକଟରୁ ପୁଲିସ ନଗଦ ଟଙ୍କା , ଘୁଡଘୁଡି ପଟି ଓ ଜୁଆଡିମାନଙ୍କ ଦ୍ୱାର ବ୍ୟବହୃତ ୧୯ଟି ବାଇକ୍ ଜବତ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖୁଲୁଣ୍ଡିପାଣି ଗ୍ରାମ ସ୍ଥିତ ମା’ତାରିଣୀଙ୍କ ମନ୍ଦିର ପଛପଟେ ଜଙ୍ଗଲ ମଧ୍ୟରେ ବେଆଇନ ଜୁଆଖେଳ ଚାଲୁଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ଏସ୍‍ଡିପିଓ ସୁଲେମାନ ଏକ୍କାଙ୍କ ନିର୍ଦ୍ଦେଶରେ ବାରକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ ରଂଜନ ପାତ୍ର ସଦଳବଳେ ସେଠାରେ ଚଢାଉ କରିଥିଲେ। ପୁଲିସକୁ ଦେଖି ସେଠାରେ ଥିବା ଜୁଆଡିମାନେ ପଥର ମାଡ଼ କରିଥିଲେ। ଏହି ଆକ୍ରମଣରେ ସବ୍ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଓ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ପାତ୍ର ଆହତ ହୋଇଥିଲେ। ଏହାସତ୍ୱେ ଜୁଆଡିମାନଙ୍କୁ ପୁଲିସ ଗୋଡାଇବାରୁ ସେମାନେ ଘଂଚ ଜଙ୍ଗଲ ମଧ୍ୟଦେଇ ଖସିଯିବାରେ ସକ୍ଷମ ହୋଇଥିଲେ। ତେବେ ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିକୁଦର ଗ୍ରାମର ଲକ୍ଷ୍ମଣ ଚନ୍ଦ୍ର କିସାନ(୫୦) ଓ ସୁନ୍ଦରଗଡ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ଟୁଣିଆପାଲି ଗ୍ରାମର ଲୋକନାଥ ଓରାମ (୨୮)କୁ ପୁଲିସ କାବୁ କରିବାରେ ସକ୍ଷମ ହୋଇଥିଲା। ସେମାନଙ୍କ ନିକଟରୁ ନଗଦ ୨୧ଶହ ଟଙ୍କା ଓ ଘୁଡଘୁଡି ପଟି ଜବତ କରାଯିବା ସହ ପୁଲିସକୁ ଆକ୍ରମଣ କରି ଫେରାର ହୋଇଯାଇଥିବା ଜୁଆଡିମାନଙ୍କର ୧୯ଟି ବାଇକକୁ ପୁଲିସ ଜବତ କରିଥିଲା। ଏନେଇ ବାରକୋଟ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ଋୁଜୁକରି ୨ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଳାଣ କରିଥିବା ଜଣାପଡିଛି।

Comments are closed.