ଶୁଳିଆ ପୋଲତଳୁ ଉଦ୍ଧାର ବ୍ୟକ୍ତିଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗରେ ଯୁବକ ଗିରଫ

ଦେବଗଡ: ଗତ ୨୩ତାରିଖ ଦିନ ଦେବଗଡ ଥାନା ଅନ୍ତର୍ଗତ ଶୁଳିଆ ପୋଲତଳେ ମୁମୂର୍ଷୁ ଅବସ୍ଥାରେ ଧଉରାଗୋଠ ଗ୍ରାମର ଉପେନ୍ଦ୍ର ବେହେରା ନାମକଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେହିଦିନ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ମୃତକଙ୍କ ପୁଅ ଦେବଗଡ ଆଦର୍ଶ ଥାନାରେ ଲିଖୀତ ଅଭିଯୋଗ କରିବାରୁ ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ସମୟରେ ଛେଳି କିଣାବିକାକୁ ରହିଥିବା ପୂର୍ବ ଶତୃତାକୁ କେନ୍ଦ୍ରକରି ରିଆମାଳ ଥାନା ଅନ୍ତର୍ଗତ ଗୁଣ୍ଡିଆପାଲି ଗ୍ରାମର ବ୍ରହ୍ମାନନ୍ଦ ବାଘ(୫୦) ହତ୍ୟା ଉଦ୍ଦେଶ୍ୟରେ ଉପେନ୍ଦ୍ରକୁ ପୋଲରୁ ତଳକୁ ଠେଲି ଦେଇଥିବା ସ୍ୱୀକାର କରିବାରୁ ପୁଲିସ ବ୍ରହ୍ମାନନ୍ଦ ବରୁଦ୍ଧରେ ଏକ ହତ୍ୟା ମାମଲା ଋଜୁକରି ତାକୁ ଗିରଫ କରିବା ସହ ଆଜି କୋର୍ଟ ଚାଲଣ କରିଥିବା ଜଣାପଡିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଛେଳି କିଣାବିକାକୁ କେନ୍ଦ୍ର କରି ରିଆମାଳ ଥାନା ଧଉରାଗୋଠ ଗ୍ରାମର ଉପେନ୍ଦ୍ର ବେହେରା ଓ ବ୍ରହ୍ମା ବାଘଙ୍କ ମଧ୍ୟରେ ପୂର୍ବରୁ ଶତୃତା ରହିଥିଲା। ଏହି କ୍ରମରେ ଗତ ୧୮ ତାରିଖ ଦିନ ବ୍ରହ୍ମା ଉପେନ୍ଦ୍ରଙ୍କ ଘରକୁ ଆସି ତାଙ୍କୁ ଗାଳିଗୁଲଜ କରିବାସହ ‘ଦେଖିନେବି’ ବୋଲି ଧମକ ଦେଇଥିଲା। ଏହାର ୪ ଦିନ ପରେ ୨୩ ତାରିଖ ଦିନ ଉପେନ୍ଦ୍ର ଉକ୍ତ ଗ୍ରାମର ରାଜେଶ ବେହେରାଙ୍କ ସହ ଏକ ବାଇକ ଯୋଗେ ସୁନ୍ଦରଗଡ ଜିଲା ବଣାଇଁ ଥାନାଂଚଳର ଜରେଇକେଳାରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଯାଇ ଦିନ ପ୍ରାୟ ୧ଟା ସମୟରେ ଫେରୁଥିବା ବେଳେ ବାରକୋଟ ଠାରେ ବ୍ରହ୍ମା ସହିତ ସେମାନଙ୍କର ସାକ୍ଷାତ ହୋଇଥିଲା। ସେଠାରେ ବ୍ରହ୍ମା ଉପେନ୍ଦ୍ରଙ୍କୁ ମିଠାକଥା କହି ନିଜ ବାଇକରେ ବସାଇବା ସହ ରାଜେଶ ପଛରେ ଆସିବ ବୋଲି କରି ଦେବଗଡ ଥାନା ଅନ୍ତର୍ଗତ ଶୁଳିଆ ଗ୍ରାମ ଦେଇ ଗାଁ ଆଡକୁ ବାହାରିଥିଲେ। ଶୁଳିଆ ଗ୍ରାମରେ ପହଂଚିବାପରେ ସେଠାରେ ମଦ୍ୟପାନ କରିବାସହ ସେଠାରେ ନିର୍ମୀତ ନୂତନ ପୋଲ ଉପରେ ତିନିଜଣ ଯାକ ଠିଆହୋଇଥିଲେ। ଏହି ସମୟରେ ପୁଡିଆ ଅଣିବାକୁ କହି ବ୍ରହ୍ମା ରାଜେଶଙ୍କୁ ପାନ ଦୋକାନକୁ ପଠାଇଥିଲା। ରାଜେଶ ପୁଡିଆ ନେଇ ପୋଲ ଉପରକୁ ଫେରିବାରୁ ବ୍ରହ୍ମା ତାଙ୍କୁ ‘ ଉପେନ୍ଦ୍ର ପୋଲ ତଳେ ପଡିଛି, ଯା ଦେଖିବୁ’ ବୋଲି କହିଥିଲା। ରାଜେଶ ପୋଲ ତଳକୁ ଯାଇ ଉପେନ୍ଦ୍ର ମୁମୂର୍ଷୂ ଅବସ୍ଥାରେ ପଡିଥିବା ଦେଖି ଉପେନ୍ଦ୍ରଙ୍କ ପୁଅ ଆଲୋକ ବେହେରାଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲା।

ସୂଚନା ପାଇ ଆଲୋକ ତୁରନ୍ତ ସେଠାରେ ପହଂଚିବା ସହ ବାପା ଉପେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଇକ ଯୋଗେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଅଧରକ ଚିକିତ୍ସା ନିମନ୍ତେ ବୁର୍ଲା ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନେ ବୁର୍ଲା ଅଭିମୁଖେ ଯାଉଥିବା ବେଳେ ସମ୍ବଲପୁର ଜିଲାର କୁଚିଣ୍ଡା ନିକଟରେ (ଜମନକିରା ଥାନାଂଚଳରେ)ଉପେନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ଏହାର ପରଦିନ ଅର୍ଥାତ ୨୪ ତାରିଖରେ ଉପେନ୍ଦ୍ରଙ୍କର ମୃତଦେହ କୁଚିଣ୍ଡା ଡାକ୍ତରଖାନାରେ କରାଯିବା ପରେ ଘରକୁ ଅଣାଯାଇଥିଲା। ତେବେ ଉପେନ୍ଦ୍ରଙ୍କ ପୁଅ ଆଲୋକ ଘଟଣା ସମ୍ପର୍କରେ ତୁରନ୍ତ ଥାନାରେ ଅଭିଯୋଗ ନକରି ୨୬ ତାରିଖ ଦିନ ଦେବଗଡ ଅଧର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭି୍େ‍ାଗ ଅଧାରରେ ଦେବଗଡ ଆଦର୍ଶ ଥାନା ପୁଲିସ ଏକ ମାମଲା ଋଜୁକରି ଘଟଣାର ତଦନ୍ତ କରିବାସହ ଅଭିଯୁକ୍ତ ବ୍ରହ୍ମାକୁ ଥାନାକୁ ଆଣି ପଚରାଉଚରା କରୁଥିଲା। ପଚରା ଉଚରା ସମୟରେ ପୂର୍ବ ଶତୃତାକୁ କେନ୍ଦ୍ରକରି ବ୍ରହ୍ମା ଉପେନ୍ଦ୍ରଙ୍କୁ ପୋଲ ଉପରୁ ଠେଲି ହତ୍ୟା ଉଦ୍ୟମ କରିଥିବା ସ୍ୱୀକାର କରିବାରୁ ପୁଲିସ ତା ବିରୁଦ୍ଧରେ ଏକ ହତ୍ୟା ମାମଲା ଋଜୁକରି ଗିରଫ କରିବା ସହ ଆଜି କୋର୍ଟ ଚାକଲାଣ କରିଛି।

Comments are closed.