ପୁଣି ଚର୍ଚ୍ଚାରେ ଡଁରା ପଂଚାୟତ : ବଲାଣି ଝରଣା କଟା ଉନ୍ନତିକରଣ କାମରେ ଗୁରୁତର ଅନିୟମିତତା

ସରିନାହିଁ ୩୦ ପ୍ରତିଶତ କାର୍ଯ୍ୟ: ଉଠାଣ ହେଲାଣି ୯୫ ପ୍ରତିଶତ ଅର୍ଥ, ଭିଜିଲାନ୍ସ ତଦନ୍ତ ଦାବୀ

ଦେବଗଡ଼ : ନିମ୍ନମାନର ନିର୍ମାଣ କାର୍ଯ୍ୟ ଓ ମିଥ୍ୟା ବିଲ୍ ଯୋଗୁଁ ବର୍ଷ ବର୍ଷ ଧରି ଚର୍ଚ୍ଚାରେ ରହି ଆସିଥିବା ଡଁରା ପଂଚାୟତରେ ସଂପ୍ରତି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ତେବେ ଏଥର କିନ୍ତୁ ମନରେଗା କାମ ପାଇଁ ନୁହେଁ। ଏଥର ସି.ଏଫ୍‍.ସି. ଯୋଜନାରେ ନର୍ମିତ ବଳିତା ଝରଣା କଟାର ଉନ୍ନତିକରଣ ଜଣାପଡିଛି।

ମିଳିଥିବା ଅଭିଯୋଗ ଅନୁଯାୟୀ, ବଳିତା ଝରଣା କଟାର ଉନ୍ନତିକରଣ ନିମନ୍ତେ ସରକାର ସି.ଏଫ୍‍.ସି.ରୁ ଅର୍ଥ ମଞ୍ଜୁର କରିବାପରେ କାର୍ଯ୍ୟ ନିମନ୍ତେ ୭ଲକ୍ଷ ୮୪ହଜାର ୩୨ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ୩୦ ପ୍ରତିଶତ କାମ ଶେଷ ହୋଇ ନଥିବାବେଳେ ଗତ ୨୮ ତାରିଖ ମଧ୍ୟରେ ୭ ଲକ୍ଷ ୪୨ହଜାରରୁ ଊର୍ଦ୍ଧ୍ବ ଟଙ୍କା ବିଲ ଉଠାଣ ହୋଇସାରିଛି।

ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ବର୍ତ୍ତମାନ ପର୍ଯନ୍ତ ଉକ୍ତ ନିର୍ମାଣ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ଫଳକ ନିର୍ମାଣ ହୋଇ ନଥିବାବେଳେ ପ୍ରାୟ ସାଢେ ୭ ଲକ୍ଷ ଟଙ୍କାର ବିଲ୍ ପ୍ରଦାନ କରାଯାଇଛି। ଏକଥା ଜଣାପଡିବା ପରେ ସମ୍ପୃକ୍ତ ଅଂଚଳରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହିପରି ପଂଚାୟତ ନିର୍ବାହୀ ଅଧିକାରୀ ଓ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଅନିୟମିତତା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ନିର୍ମାଣ କରିବାର ବିଧି ବ୍ୟବସ୍ଥା ରହିଥିବା ଓ ବିନା ସୂଚନା ଫଳକରେ କୌଣସି ପରିସ୍ଥିତିରେ ବିଲ୍ ପାସ୍ ନହେବାର ବ୍ୟବସ୍ଥା ରହିଥିବାବେଳେ ସୂଚନା ଫଳକ ନିର୍ମାଣ କରାନଯାଇ ବିଲ୍ ପାସ୍ ହୋଇଥିବାରୁ ଏହା ପଛରେ ଏକ ବଡ ଧରଣର ଜାଲିଆତି କାରବାର ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ଏଭଳି ଗୁରୁତର ଅନିୟମିତତା ସମ୍ପର୍କରେ ଗତକାଲି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହେବାପରେ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ପଟେଲ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ନିର୍ବାହୀ ଯନ୍ତ୍ରୀ ବିଭୂ ପ୍ରସାଦ ମିଶ୍ର ଘଟଣାସ୍ଥଳକୁ ଯାଇ ଏହି ଅନିୟମିତତାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ତଦନ୍ତ ସମୟରେ ସୂଚନା ଫଳକ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମିଶ୍ର ଆଶ୍ଚର୍ଯ୍ୟ ପ୍ରକଟ କରିବାସହ ଉକ୍ତ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅସିତ ନାୟକଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ସେହିପରି ନିର୍ମାଣ କାର୍ଯ୍ୟରେ ଏକାଧିକ ତୃଟି ବିଚ୍ୟୁତି ରହିଥିବା ଦର୍ଶାଇ ତୁରନ୍ତ ଏଗୁଡିକୁ ସଂଶୋଧନ କରିବାକୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅନିୟମିତତା ସମ୍ପର୍କରେ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଡଁରା ପଂଚାୟତର ନିର୍ବାହୀ ଅଧିକାରୀ ବନ୍ଧୁରାମ ଏକ୍କାଙ୍କ ମତାମତ ଲୋଡିବାରୁ ସେ ଉକ୍ତ ପଂଚାୟତର ସରପଂଚ ହରିହର ସାହୁଙ୍କ ସହ ପାର୍ଟନରସିପରେ ବଳିତା ଝରଣା କଟା ଉନ୍ନତିକରଣ କାମ କରିଥିବା ଉତ୍ତର ଦେବାସହ ଉକ୍ତ କାମ ବାବଦକୁ ଇତିମଧ୍ୟରେ ୭ ଲକ୍ଷ ୪୨ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଉଠାଣ ହୋଇଥିବା ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷରରେ ବିନା ସୂଚନା ଫଳରେ କିଭଳି ବିଲ୍ ପାସ୍ ହେଲା ବୋଲି ପଚାରିବାରୁ ‘ଭୂଲ ହୋଇଯାଇଛି’ ବୋଲି ଉତ୍ତର ଦେବାସହ ଏକଥା କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାକୁ ପରାମର୍ଶ ଦେଇଥିଲେ। ତେବେ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାୟକଙ୍କୁ ଏ ବିଷୟରେ ପଚାରିବାରୁ ସେ ଘଟଣାକୁ ଚପାଇବା ନିମନ୍ତେ କୌଣସି ସ୍ପଷ୍ଟ ଉତ୍ତର ନଦେଇ ପ୍ରଶ୍ନକୁ ଏଡାଇ ଯାଇଥିଲେ। ଏ ସମ୍ପର୍କରେ ମତାମତ ପାଇ ଡଁରା ପଂଚାୟତର ସରପଂଚ ହରିହର ସାହୁଙ୍କୁ ମୋବାଇଲରେ ଯୋଗେଯାଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନାହିଁ। ତଦନ୍ତ ସମୟରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଅନିୟମିତତା ସମ୍ପର୍କରେ ପଚାରିବାରୁ ‘ଇନକ୍ୱାରୀ ଚାଲିଛି’ ବୋଲି ଉତ୍ତର ଦେଇଥିଲେ। ତେବେ ବିଭାଗୀୟ ତଦନ୍ତ ହେଲେ ତଦନ୍ତରେ ନିରପେକ୍ଷତା ନେଇ ସନ୍ଦେହ ରହିଥିବାରୁ ଭିଜିଲାନ୍ସ ବିଭାଗ ଦ୍ୱାରା ଏଘଟଣାର ତଦନ୍ତ କରିବାକୁ ସମ୍ପୃକ୍ତ ଅଂଚଳବାସୀ ଦାବୀ କରିଛନ୍ତି।

Comments are closed.