ବେଆଇନ ଲଘୁ ଖଣିଜ ଚାଲାଣ ବେଳେ ୧୦ ଗାଡ଼ି ଜବତ, ଚାଳକ ଗିରଫ

ଦେବଗଡ଼/ରିଆମାଳ : ଦେବଗଡ ଜିଲା ପୁଲିସ ପକ୍ଷରୁ ଦେବଗଡ ଆଦର୍ଶ ଥାନା, ବାରକୋଟ ଓ କୁଣ୍ଢେଇଗୋଳା ଥାନାଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୪ ଘଣ୍ଟା ମଧ୍ୟରେ ବେଆଇନ ବାଲି ଚାଲାଣ କରୁଥିବା ୧୦ଟି ଟ୍ରାକ୍ଟର ଓ ଭାରିଯାନକୁ ଜବତ କରାଯାଇଛି। ଏଥିସହ ୧୦ ଜଣ ଚାଳକଙ୍କୁ ମଧ୍ୟ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

ମିଳିଥିବା ସୂଚନା ଅନୁଯାୟୀ, ବେଆଇନ ବାଲି, ପଥର ଓ ମୋରମ ଚାଲାଣ ହେଉଥିବା ସୂଚନା ପାଇ ଦେବଗଡ ଏସ୍.ପି ମନୋଜ କୁମାର ମହାନ୍ତଙ୍କ ନିର୍ଦ୍ଦେଶ ଅନୁସାରେ ଦେବଗଡ ଥାନା ପୁଲିସ ବଗଛେରା ପଟୁ ବେଆଇନ ପଥର ବୋଝେଇ କରି ଆସୁଥିବା ଏକ ଟ୍ରାକ୍ଟର ଓ ନୂଆଁଗାଁରୁ ବେଆଇନ ମୋରମ ବୋଝେଇ କରି ଆଣୁଥିବା ଅନ୍ୟ ଏକ ଟାକ୍ଟରକୁ ଜବତ କରିଥିଲେ । ଅନୁରୂପ ଭାବେ ବାରକୋଟ ଥାନା ପୁଲିସ ୨ଟି ବାଲି ବୋଝେଇ ହାଇୱା ଜବତ କରିଥିଲା । ଆଜି କୁଣ୍ଢେଇଗୋଳା ଥାନା ପୁଲିସ ତାଲକୁଦର ପଟୁ ଆସୁଥିବା ୬ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି । ଏକକାଳୀନ ୧୦ଟି ବେଆଇନ ଲଘୁ ଖଣିଜ ବୋଝେଇ ଯାନ ଜବତ କରାଯାଇ ୧୦ ଜଣ ଚାଳକଙ୍କୁ ଗିରଫ କରାଯାଇଥିବାରୁ ଜିଲାର ବେଆଇନ ଖଣିଜ ଚୋରା ଚାଲାଣକାରୀ ମାନେ ଆତଙ୍କିତ ହୋଇପଡିଛନ୍ତି ।

Comments are closed.