ମାଓବାଦୀଙ୍କ ‘ଲାଲ୍‌ଗଡ଼’ ଏବେ ସାଜିଛି ‘ଲାଲ୍‌ ଟମାଟୋ ଗଡ଼’

ଦେବଗଡ଼ ଜିଲା ହେବ ପଶ୍ଚିମଓଡ଼ିଶାର ଟମାଟୋ ହବ୍‌

ଦେବଗଡ଼ : ଏକଦା ମାଓବାଦୀଙ୍କ ଚରାଭୂଇଁ ପାଲଟି ‘ଲାଲ୍‌ଗଡ଼’ ଭାବେ କୁଖ୍ୟାତି ଅର୍ଜନ କରିଥିବା ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ସଡ଼ୋ ପଂଚାୟତ ଏବେ ଓଡ଼ିଶାରେ ‘ଲାଲ୍‌ ଟମାଟୋ ଗଡ଼’ ଭାବେ ସୁଖ୍ୟାତି ଅର୍ଜନ କରିବାକୁ ଯାଉଛି । ଗ୍ରାମବାସୀଙ୍କ ସଂକଳ୍ପ ଓ କଠୋର ପରିଶ୍ରମ ସହ ସରକାରୀ ପ୍ରୋତ୍ସାହନ ଯୋଗୁଁ ସଡ଼ୋ ପଞ୍ଚାୟତ ଜିଲାବାସୀଙ୍କ ପାଇଁ ଏକ ନୂତନ ଆଶା ସଞ୍ଚାର କରିଛି । ଆଗାମୀଦିନରେ ଦେବଗଡ଼ ଜିଲା ପଶ୍ଚିମଓଡ଼ିଶାର ‘ଟମାଟୋ ହବ୍‌’ ରେ ପରିଣତ ହେବ ବୋଲି କୃଷିବିଜ୍ଞାନ କେନ୍ଦ୍ରର ମୁଖ୍ୟ ଆଶାବ୍ୟକ୍ତ କରିଛନ୍ତି । ଏହା ଶିଳ୍ପବିହୀନ ଦେବଗଡ଼ ଜିଲାବାସୀଙ୍କ ପାଇଁ ସଞ୍ଜିବନୀ ସଦୃଶ ହୋଇଛି ।
ଦେବଗଡ଼-ସମ୍ବଲପୁର ଜିଲା ସୀମାବର୍ତ୍ତୀ ତିଲେଇବଣି ବ୍ଲକ ଅନ୍ତର୍ଗତ ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ସଡ଼ୋ ପଂଚାୟତ କିଛିବର୍ଷ ପୂର୍ବେ ମାଓବାଦୀଙ୍କ ଗଡ଼ ଥିଲା। ତେଣୁ କୌଣସି ମନ୍ତ୍ରୀ, ନେତା, ସରକାରୀ ଅଧିକାରୀ ଉକ୍ତ ଅଂଚଳ ଯିବାକୁ ଭୟ କରୁଥିଲେ। ‘ଲାଲଗଡ଼’ ବାସୀ ବୋଲି ଅପବାଦର ପରିଚୟ ମୁଣ୍ଡାଇଥିବା ପଞ୍ଚାୟତବାସୀ ନିଜକୁ ନ୍ୟୁନ ମନେ କରୁଥିଲେ। ତେବେ ଦେବଗଡ଼ ଜିଲା ସମ୍ପୂର୍ଣ୍ଣ ମାଓମୁକ୍ତ ଅଂଚଳ ଘୋଷଣା ହେବା ପରେ ପଞ୍ଚାୟତବାସୀଙ୍କ ମନରେ କିଛି ନୂତନ କରିବାର ଆଗ୍ରହ ସୃଷ୍ଟି ହୋଇଥିଲା । ପ୍ରଥମେ ସେମାନେ ଅଦିନିଆଁ ଟମାଟୋ ଚାଷ କରିବା ଆରମ୍ଭ କରିଥିଲେ । ବର୍ଷାଦିନେ ଟମାଟୋର ଚାହିଦା ବଢୁଥିବାରୁ ଦର ମଧ୍ୟ ବଢିଥାଏ । ସଡ଼ୋ ପଂଚାୟତା ସଡ଼ୋ, କାଳଚିପୁଡାଡିହି, ବେଲୁଆମ, ଡଙ୍ଗାପଥର, ତୁଲୁବଡିହି ଓ ପତ୍ରାଝରି ଗ୍ରାମର ୨୦୦ ପରିବାର ଏବେ ଉତ୍କୃଷ୍ଟମାନର ଲା୍‌ଲ୍‌ ଟମାଟୋ ଉତ୍ପାଦନ କରୁଛନ୍ତି । ଏହାକି ବିକିବା ଲାଗି ଗ୍ରାମବାସୀ କୌଣସି ବଜାରକୁ ଯାଉ ନ ଥିବା ବେଳେ ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୋଳ ଜିଲାର ବ୍ୟବସାୟୀ ମାନେ ଏଠାକୁ ଆସି ସିଧାସଳଖ ଚାଷଜମିରୁ କୁଇଣ୍ଟାଲ କୁଇଣ୍ଟାଲ ଟମାଟୋ କିଣି ନେଉଛନ୍ତି । ଫଳରେ ଚାଷୀମାନେ ଭଲ ଦୁଇପଇସା ରୋଜଗାର କରୁଛନ୍ତି । ତେଣୁ ପୂର୍ବରୁ ‘ଲାଲଗଡ଼’ ଭାବେ କୁଖ୍ୟାତି ଅର୍ଜନ କରିଥିବା ସଡ଼ୋ ପଞ୍ଚାୟତ ଏବେ ‘ଲାଲ୍‌ ଟମାଟୋ ଗଡ଼’ ଭାବେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।
ଉକ୍ତ ଅଂଚଳର ଚାଷୀମାନଙ୍କ ଏଭଳି ଆଗ୍ରହ ଦେଖି ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେଉଛି ଦେବଗଡ଼ କୃଷି ବିଜ୍ଞାନକେନ୍ଦ୍ର, ଉଦ୍ୟାନ ବିଭାଗ ଏବଂ ତିଳେଇବଣି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇ.ଟି.ଡି.ଏ.) । ଆଇ.ଟି.ଡି.ଏ. ପକ୍ଷରୁ ଉକ୍ତ ଟମାଟୋ ଚାଷୀଙ୍କୁ ମାଗଣାରେ ବିହନ ଓ ସାର ଯୋଗାଇ ଦିଆଯାଇଛି । କୃଷିବିଜ୍ଞାନ କେନ୍ଦ୍ର ଓ ଉଦ୍ୟାନ ବିଭାଗ ପକ୍ଷରୁ ଉନ୍ନତ ମାନର ଟମାଟୋ ଚାଷ ପାଇଁ ବୈଷୟିକ ଜ୍ଞାନକୌଶଳ ଓ ତାଲିମ ଯୋଗାଇ ଦିଆଯାଇଛି । ସଡୋ ପଂଚାୟତବାସୀଙ୍କ ସଫଳତା ଦେଖି ଜିଲାର ବିଭିନ୍ନ ଅଂଚଳର ଚାଷୀମାନେ ଏବେ ଟମାଟୋ ଚାଷ ପାଇଁ ମନ ବଳାଇଲେଣି । ତେଣୁ ଆଗାମୀଦିନରେ ଦେବଗଡ଼ ଜିଲା ପଶ୍ଚିମଓଡ଼ିଶାର ‘ଟମାଟୋ ହବ୍‌’ରେ ପରିଣତ ହେବ ବୋଲି ଦେବଗଡ଼ କୃଷିବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ସୁଜିତ କୁମାର ନାଥ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଏମାନେ କହନ୍ତି …
– ପୂର୍ବରୁ ଆମ ଅଂଚଳରେ କେବଳ ଶୀତଦିନେ ଟମାଟୋ ଚାଷ ହେଉଥିଲା। ତେବେ ମୂଲ୍ୟ କମ୍‌ ରହୁଥିବାରୁ ବିଶେଷ ଲାଭ ମିଳୁ ନ ଥିଲା। ଆମେ ପାଠପଡା ଶେଷକରି ଭଲ ଅର୍ଥ ରୋଜଗାର ଉଦ୍ଦେଶ୍ୟରେ ବର୍ଷାଦିନିଆଁ ଟମାଟୋ ଚାଷ ପାଇଁ ପରିକଳ୍ପନା କଲୁ। ଏଥିରେ ସଫଳ ହେବାପରେ ଅନ୍ୟ ଜିଲାର ବେପାରୀମାନେ ଆମବଗିଚାକୁ ଆସି ଉଚିତ ମୂଲ୍ୟଦେଇ ଟମାଟୋ କିଣୁଛନ୍ତି । ଏବେ ଆମେ ଟମାଟୋ ଚାଷକରି ଭଲ ରୋଜଗାର କରିବା ସହ ଆତ୍ମସନ୍ତୋଷ ଲାଭ କରୁଛୁ।
– ଗାନ୍ଦୃ ମିଞ୍ଜ, ଟମାଟୋ ଚାଷୀ, କାଲଚିପୁଡାଡିହି ଗ୍ରାମ
– ମୁଁ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିବା ବେଳେ କରୋନା ଲକ୍‌ଡାଉନ ସମୟରେ ଗାଁକୁ ଫେରିଥିଲି। ଅନ୍ୟମାନଙ୍କୁ ଦେଖି ବର୍ଷାଦିନିଆଁ ଟମାଟୋ ଚାଷ ପ୍ରତି ଆକୃଷ୍ଟ ହେଲି । ମାତ୍ର ୩ ମାସ ମଧ୍ୟରେ ଆଶାନୁରୂପ ଅର୍ଥ ରୋଜଗାର କଲି। ନିଜ ଗାଁରେ ରହି ଟମାଟୋ ଚାଷରେ ଅଳ୍ପଦିନ ମଧ୍ୟରେ ଯଦି ଭଲ ରୋଜଗାର କରିପାରିଲି, ଆଉ ତାମିଲନାଡୁ କାହିଁକି ଯିବି ?
– ରସାନନ୍ଦ କୁଜୁର, ଟମାଟୋ ଚାଷୀ, କାଲଚିପୁଡାଡିହି ଗ୍ରାମ
– ବାପଅଜା ଅମଳରେ ଆମ ଅଂଚଳରେ ଢିପଜମିରେ କେବଳ ଗୋଡାଧାନ ଚାଷ ହେଉଥିଲା। ଏଥିରେ ଲାଭ ନ ମିଳିବାରୁ ୧୫ ବର୍ଷ ତଳେ ଟମାଟୋଚାଷ ଆରମ୍ଭ କରିଥିଲୁ। ସରକାରୀ ପ୍ରୋତ୍ସାହନ ଏବଂ ଉନ୍ନତ ଜ୍ଞାନକୌଶଳର ତାଲିମ ମିଳିବାରୁ ଅଦିନିଆଁ ଟମାଟୋଚାଷ କରି ଲାଭବାନ ହେଉଛୁ। ‘ଲାଲ୍‌ ଟମାଟୋ ଗଡ଼’ର ବାସିନ୍ଦା ଭାବେ ଆମେ ଗର୍ବ ଅନୁଭବ କରୁଛୁ।
– ଗୋସାଇଁ ମିଞ୍ଜ, ଟମାଟୋ ଚାଷୀ, କାଲଚିପୁଡାଡିହି ଗ୍ରାମ
– ବଜାର ଚାହିଦା, ଅଧିକ ମୂଲ୍ୟ ଏବଂ ଚାଷୀଙ୍କ ରୋଜଗାରକୁ ଦୃଷ୍ଟିରେ ରଖି ବର୍ଷାଦିନିଆଁ ଟମାଟୋଚାଷ ଉପରେ ଚାଷୀଙ୍କୁ ପ୍ରୋତ୍ସାହିତ ସହ ଉତ୍କୃଷ୍ଟମାନର ବିହନ ଓ ଜ୍ଞାନକୌଶଳ ଯୋଗାଇ ଦେଉଛୁ। ଜଳସେଚନର ସୁବିଧା ନ ଥିବା ସଡ଼ୋ ପଞ୍ଚାୟତର ପାହାଡିଆ ଅଞ୍ଚଳରେ ବର୍ଷାଜଳକୁ ବିନିଯୋଗ କରାଯାଇ ପର୍ଯ୍ୟାପ୍ତ ପରିମାଣର ବର୍ଷାଦିନିଆଁ ଟମାଟୋ ଉତ୍ପାଦନ କରାଯାଉଛି । ଏହାର ଚାହିଦା ପଡୋଶୀ ଜିଲା​‌େ​‌ର ଅଧିକ ଥିବାରୁ ଦେବଗଡ଼ ଜିଲାକୁ ପଶ୍ଚିମଓଡ଼ିଶାର ଟମାଟୋ ହବ୍‌ କରାଯିବା ଲକ୍ଷ୍ୟ ରଖାଯାଇଛି।
– ଡଃ ସୁଜିତ କୁମାର ନାଥ, ଦେବଗଡ଼ କୃଷି ବିଜ୍ଞାନକେନ୍ଦ୍ର ମୁଖ୍ୟ

Comments are closed.