୧୧ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଲାନି ଦେଓଗାଁ ମିନି ଷ୍ଟାଡ଼ିୟମ

ଦେଓଗାଁ: ଦେଓଗାଁ ଅଞ୍ଚଳର ଲୋକଙ୍କ କ୍ରୀଡ଼ାର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଛି ମିନି ଷ୍ଟାଡ଼ିୟମ। ଇତି ମଧ୍ୟରେ ଷ୍ଟାଡ଼ିୟମକୁ ୧୧ବର୍ଷ ବିତି ଯାଇଛି, ତଥାପି ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ।
ଦେଓଗାଁରେ ରହିଛି ଦୁଇ ଦୁଇଟି ଖେଳପଡ଼ିଆ। ହେଳେ ଅଞ୍ଚଳର କ୍ରିଡ଼ାରେ ସେତେଟା ବିକାଶ ହୋଇଥିବା ପରିଲକ୍ଷିତ ହେଉ ନାହିଁ। ଦେଓଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ପଛ ପଟେ ଥିବା ନେହେରୁ ଖେଳ ପଡ଼ିଆରେ ବର୍ତ୍ତମାନ ସମସ୍ତେ କରୁଛନ୍ତି କ୍ରୀଡ଼ାର ଅଭ୍ୟାସ। ଏଠାକାର ଯୁବପିଢ଼ି ବିଭିନ୍ନ ସମୟରେ ପୁଲିସ ଓ ସେନା ବାହିନୀରେ ଯୋଗ ଦେବା ପାଇଁ ଏହି ପଡ଼ିଆରେ ଅଭ୍ୟାସ କରିଥାନ୍ତି। ହେଲେ ଏହି ପଡ଼ିଆଟି ଉପଯୁକ୍ତ ନ ଥିବାରୁ ଅସନ୍ତୋଷ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଖେଳ ପଡ଼ିଆଟି ବ୍ୟକ୍ତିଗତ ମାଲିକାନାରେ ଥିବା ଯୋଗୁଁ ପଡ଼ିଆର ଉନ୍ନତି ପାଇଁ ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇ ପାରୁନି।  ଦେଓଗାଁ କଲେଜ ପଛପଟେ ଏକ ମିନି ଷ୍ଟାଡ଼ିୟମ ନିର୍ମାଣ କରାଯାଇଛି। ସେଥିରେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାର ଖର୍ଚ୍ଚ କରାଯାଇଛି। ହେଲେ ନିର୍ମାଣ ହେବା ଦିନରୁ ତାହା ଖେଳାଳି କିମ୍ବା ଜନସାଧାରଣଙ୍କ କାମରେ ଲାଗି ପାରି ନାହିଁ। ଆଜି ପର୍ଯ୍ୟନ୍ତ ଏହି ଷ୍ଟାଡ଼ିୟମ୍‌ରେ କୌଣସି ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇନାହିଁ।
ଷ୍ଟାଡ଼ିୟମରେ କେବଳ ହୋଇଛି ବାଡ଼ ଓ ଗ୍ୟାଲେରୀ କାମ। ତାହା ପୁଣି ନିମ୍ନ ମାନର। ଅପର ପକ୍ଷରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଷ୍ଟାଡ଼ିୟମରେ ଡ଼େରା ପକାଉଛନ୍ତି ମଦୁଆ ଗୋଷ୍ଠୀ। ମଦ ପିଇ, ବୋଦଲକୁ ଏଣେ ତେଣେ ଭାଙ୍ଗି ପକାଉ ଥିବାରୁ ଏହି ଷ୍ଟାଡ଼ିୟମ ଏବେ ଦେଓଗାଁର ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି।

 

ଦେଓଗାଁ ବ୍ଲକରେ ସରକାରୀ ଓ ବେସରକାରୀ ଭାବେ ପ୍ରତି ବର୍ଷ ବ୍ଲକ ଓ ଜିଲ୍ଲ ସ୍ତରୀୟ ଫୁଟବଲ, କ୍ରିକେଟ ମ୍ୟାଚ୍ ସହ ବିଭିନ୍ନ ଆଥଲେଟିକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥାଏ। ଖେଳ ପଡ଼ି ଅଭାବରୁ ତାହା ସଦରରେ ନ ହୋଇ ଦୂରଦୂରାନ୍ତରେ ଥିବା ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥାଏ। ଏହି ଷ୍ଟାଡ଼ିୟମ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଉପଯୋଗୀ ହୋଇ ନଥିବାରୁ ଏହା କ୍ରୀଡ଼ାବିତ୍‌ଙ୍କ ପାଇଁ ବ୍ୟବହାର କରାଯାଇ ପାରୁନାହିଁ।
ଏହି ଷ୍ଟାଡ଼ିୟମ୍‌ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୫୦ଲକ୍ଷରୁ ଅଧିକ ଟଙ୍କାର ଅନୁଦାନ ମିଳିଥିଲା। ସେଥିମଧ୍ୟରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ କାହାରି ପାଖରେ ନାହିଁ। ଷ୍ଟାଡ଼ିୟମ ଭିତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୮ଲକ୍ଷ ଟଙ୍କାରେ ଗ୍ୟାଲେରୀ, ୫ଲକ୍ଷ ଟଙ୍କାର ଚେଞ୍ଜିଙ୍ଗ ରୁମ୍ନି ର୍ମାଣ ହୋଇଛି। ଗ୍ୟାଲେରୀ ଭାଙ୍ଗି ଯାଇଥିବା ବେଳେ ଚେଞ୍ଜିଙ୍ଗ ରୁମ ଅଧାପନ୍ତରିଆ ହୋଇ ପଡ଼ିରହିଛି। ସେହିପରି ପ୍ରଡ଼ିଆ ଭିତରକୁ ପ୍ରବେଶ କରିବା ପାଇଁ ଦେଓଗାଁ ଗାଈବାହାଲପୁର୍ଣ୍ଣ ରାସ୍ତାରୁ ମନରେଗାରେ ୧୦ଲକ୍ଷ ଟଙ୍କା, ତା’ ଉପରେ ବ୍ଲକ ପ୍ରଶାସନ ୫ଲକ୍ଷର ମେଟାଲିଙ୍ଗ ଓ ୧୦ ଲକ୍ଷର କଂକ୍ରିଟ ରାସ୍ତା ନିର୍ମାଣ କରିଛି।
ସୂଚନାଯୋଗ୍ୟ ଯେ, ଗତ ୨୦୦୯ ମସିହାରେ ତତ୍କାଳୀନ ବଲାଙ୍ଗୀର ବିଧାୟକ ତଥା ମନ୍ତ୍ରୀ ଅନଙ୍ଗ ଉଦୟ ସିଂ ଦେଓ ଦେଓଗାଁ ବ୍ଲକର ଉନ୍ନତି ପାଇଁ ଗୋଟିଏ ଦିନରେ ଦୁଇଟି ଶିଳାନ୍ୟାସ କରିଥିଲେ। ଗୋଟେ ମିନି ଷ୍ଟାଡ଼ିୟମ ଓ ଅନ୍ୟଟି ତହସିଲ କାର୍ୟ୍ୟାଳୟ। ତହସିଲ କାର୍ଯ୍ୟାଳୟଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି।

Comments are closed.