ଦେଓଧର ଟ୍ରଫି : ଭାରତ ‘ସି’ ଚମ୍ପିଆନ

0

ଦୁବାଇ : ଭାରତ ‘ସି’ ଚଳିତବର୍ଷ ଦେଓଧର ଟ୍ରଫି ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଈଶାନ କିଶନଙ୍କ ଶତକ ବଳରେ ଭାରତ ‘ସି’ ଏଠାରେ ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ‘ବି’କୁ ୨୯ ରନରେ ପରାସ୍ତ କରିଛି।
ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ‘ସି’ ରାହାଣେ ଓ ଈଶାନଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ୩୫୨ ରନ କରିଥିଲା। ୩୫୩ ରନ୍‍ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ‘ବି’ ୧୬ ରନରେ ଓପନର ମୟଙ୍କ ଅଗ୍ରୱାଲଙ୍କ (୧୪) ୱିକେଟ ହରାଇଥିଲା। ତେବେ ଋତୁରାଜ ଗାଏକୱାଡ ଓ ଅଧିନାୟକ ଶ୍ରେୟସ ଆୟାର ୨ୟ ୱିକେଟ ପାଇଁ ୧୧୬ ରନ ଯୋଗକରି ସ୍ଥିତିକୁ ସୁଧାରିଥିଲେ। ଏହି ଯୋଡି କ୍ରିଜ୍‍ରେ ଜମିଆସୁଥିବାବେଳେ ଗାଏକୱାଡ୍‍ ବ୍ୟକ୍ତିଗତ ୬୦ ରନ କରି ପପ୍ପୁ ରାୟଙ୍କ ପ୍ରଥମ ଶିକାର ପାଲଟିଥିଲେ। ଗାଏକୱାଡଙ୍କ ପ୍ରସ୍ଥାନ ପରେ ଦଳ ସହଳ ଆଉ ଦୁଇଟି ୱିକେଟ ହରାଇଥିଲା। ହନୁମା ବିହାରି ୮ ଓ ମନୋଜ ତିୱାରୀ ୪ ରନ କରି ପ୍ୟାଭିଲିୟନ ଫେରିଯାଇଥିଲେ। ମଧ୍ୟକ୍ରମରେ ଅଙ୍କୁଶ ବେନ୍‍ସଙ୍କଠାରୁ ସହଯୋଗ ପାଇ ଶ୍ରେୟସ ୫ମ ୱିକେଟ ପାଇଁ ୬୫ ରନ ସଂଗ୍ରହ କରିଥିଲେ। ବେନ୍‍ସଙ୍କୁ (୩୭) ଆଉଟ କରି ପପ୍ପୁ ରାୟ ଏହି ଯୋଡି ଭାଙ୍ଗିଥିଲେ। ଶ୍ରେୟସ ଗୋଟିଏପଟେ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପଟରୁ ନିୟମିତ ବ୍ୟବଧାନରେ ୱିକେଟର ପତନ ଘଟିବା ଫଳରେ ଦଳର ବିଜୟ ଅଭିଯାନ ବାଧାପ୍ରାପ୍ତ ହୋଇଥିଲା। ଶ୍ରେୟସ ୧୧ଟି ଚୌକା ଓ ୮ଟି ଛକା ସହାୟତାରେ ୧୪୮ ରନ କରି ଦଳୀୟ ସ୍କୋର ୩୦୯ ରନରେ ୮ମ ଖେଳାଳିଭାବେ ଆଉଟ ହୋଇଥିଲେ। ଶ୍ରେୟସଙ୍କ ପ୍ରସ୍ଥାନ ପରେ ଭାରତ ‘ବି’ ୪୬.୧ ଓଭରରେ ୩୨୩ ରନରେ ଅଲଆଉଟ ହୋଇଥିଲା। ଭାରତ ‘ସି’ ପକ୍ଷରୁ ପପ୍ପୁ ରାୟ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ନବଦୀପ ସୈନି, ରଜନୀଶ ଗୁରବାଣି ଓ ବିଜୟ ଶଙ୍କର ପ୍ରତ୍ୟେକ ୨ଟି ୱିକେଟ ପାଇଥିଲେ।
ଭାରତ ‘ସି’ ଅଧିନାୟକ ରାହାଣେ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର ରାହାଣେ ଓ ଈଶାନ ପ୍ରଥମ ୱିକେଟ ପାଇଁ ୩୦.୩ ଓଭରରେ ୨୧୦ ରନ ସଂଗ୍ରହ କରି ବିଶାଳ ସ୍କୋର ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଥିଲେ। ଈଶାନଙ୍କୁ ଆଉଟ କରି ଜୟଦେବ ଉନାଦକତ୍‍ ଦଳ ପାଇଁ ପ୍ରଥମ ସଫଳତା ଆଣିଥିଲେ। ଈଶାନ ୧୧ଟି ଚୌକା ଓ ୬ଟି ଛକା ସହାୟତାରେ ୧୧୪ ରନ କରିଥିଲେ। ସୁବ୍‍ମନ ଗିଲ୍‍ ୨୬ ଓ ସୂର୍ଯ୍ୟକୁମାର ଯାଦବ ୩୯ ରନ କରିଥିବାବେଳେ ରାହାଣେଙ୍କ ଅପରାଜିତ ୧୪୪ ରନକୁ ଆଧାର କରି ଦଳ ୫୦ ଓଭରରେ ୭ ୱିକେଟ ବିନିମୟରେ ୩୫୨ ରନ କରିଥିଲା। ଭାରତ ‘ବି’ ପକ୍ଷରୁ ଉନାଦକତ୍‍ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ କ୍ରିଷ୍ଣାପ୍ପା ଗୌତମ ଓ ମୟଙ୍କ ମାର୍କଣ୍ଡେ ପ୍ରତ୍ୟେକ ୨ଟି ୱିକେଟ ପାଇଥିଲେ।

Leave A Reply